ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ୭୦ ଜଣ ସଦସ୍ୟ ବିଶିଷ୍ଟ ଏକ ସାରସ୍ୱତ ଦଳ ଗତ ଫେବୃୟାରୀ ମାସ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱରରୁ ଶାନ୍ତିନିକେତନ ଯାତ୍ରା କରିଥିଲେ। ‘ରବୀନ୍ଦ୍ର ଦର୍ଶନ ଯାତ୍ରା’ ଶୀର୍ଷକ ଏହି ଅଭିନବ କାର୍ଯ୍ୟକ୍ରମରେ ବିଶ୍ୱଭାରତୀର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସହଭାଗିତାରେ ସମ୍ପାନ, ‘ଏକତ୍ର କବିତା ଲିଖନ ଓ ପଠନ’ ଏବଂ ‘ଧ୍ରୁର୍ଜଟୀ ଓ ଭାନୁସିଂହର ଗାଥା’ ନାମକ ନାଟକ ପରିବେଷଣ କରାଯାଇଥିଲା। ଓବିବିଏର ସଦସ୍ୟ ଓ ବିଶ୍ୱଭାରତୀର ଛାତ୍ରଛାତ୍ରୀମାନେ ମାତ୍ର ୧୦ ମିନିଟ୍ ସମୟ ମଧ୍ୟରେ ‘ଉଡ଼ିବାକୁ ଡେଣା ପ୍ରସାରିଲି ଯେ ଆକାଶ କାହିଁ’ ଶୀର୍ଷକରେ ଲେଖିଥିବା ଏକତ୍ର କବିତାଗୁଡ଼ିକର ଏକ ସଂକଳନ ଗତ ରବିବାର ସନ୍ଧ୍ୟାରେ ବାଲେଶ୍ୱର ସ୍ରଷ୍ଟା ନାଟ୍ୟାଳୟ ପ୍ରେକ୍ଷାଳୟ ପରିସରରେ ଆୟୋଜିତ ଉଦ୍ଯାପନୀ ସମାରୋହରେ ଲୋକାର୍ପିତ ହୋଇଯାଇଛି। ଓବିବିଏର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଓ ତାଙ୍କ ସହଧର୍ମିଣୀ ପ୍ରଫେସର ରଶ୍ମିରେଖା ପତିଙ୍କ ପରିଚାଳନାରେ ଦିବସବ୍ୟାପୀ କାର୍ଯ୍ୟକ୍ରମର ପ୍ରାରମ୍ଭରେ କବି ଦୀପକ ବୋଷଙ୍କ ରଚିତ ଓ କଲ୍ୟାଣୀ ନନ୍ଦଙ୍କ ନିର୍ଦ୍ଦେଶିତ ପ୍ରାରମ୍ଭିକ ସଂଗୀତକୁ ସୁନାମଣି ଜେନା, ବାସନ୍ତୀ ଦେ, ପୁଷ୍ପଲତା ଚକ୍ରବର୍ତ୍ତୀ, କବିତା ଜେନା, ଶାନ୍ତି ବିଶି, ଅର୍ଚ୍ଚନା କର ଓ ଶାନ୍ତିଲତା ପଣ୍ଡା ସମବେତ ଭାବରେ ଗାନ କରିଥିଲେ। ୨୦ ଜଣରୁ ଉର୍ଦ୍ଧ୍ୱ ସଦସ୍ୟ ସେମାନଙ୍କର ଶାନ୍ତିନିକେତନ ଭ୍ରମଣର ସ୍ମୃତି ଓ ଅନୁଭୂତିକୁ ବଖାଣି ଥିଲେ। ସଂଗଠନ ସମ୍ପାଦକ ତପନ ରାୟଙ୍କ ପରିଚାଳନାରେ ଶାନ୍ତିନିକେତନ ସମ୍ପର୍କିତ ଏକ ଜଣାଅଜଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ଦ୍ୱାରା ବ୍ୟଙ୍ଗାତ୍ମକ ଶୈଳୀରେ ଏକ ବିଶେଷ କାର୍ଯ୍ୟକ୍ରମ ‘ଫ୍ରବଚନ’ ପରିବେଷଣ କରାଯାଇଥିଲା। ଯେଉଁଥିରେ ପଣ୍ଡିତ ସଞ୍ଜୟ ପଣ୍ଡା, ଜୁମରନାଥ ପାତ୍ର, ଡକ୍ଟର ଲକ୍ଷ୍ମଣ ଚରଣ ବିଶ୍ୱାଳ ଓ କଲ୍ୟାଣୀ ନନ୍ଦ ଅଂଶ ଗ୍ରହଣ କରିଥିଲେ। ସେହିପରି ଯାତ୍ରାକାଳର ସମସ୍ତ ଭିଡିଓ ଓ ଫଟୋର ଏକ ସମ୍ପାଦିତ ମନୋଜ୍ଞ ଭିଡିଓ ସଂକଳନ ପ୍ରସାରଣ କରାଯାଇଥିଲା। ଏହି ଉଦଯାପନୀ ସନ୍ଧ୍ୟାରେ ବିଶେଷ ଅତିଥି ଭାବେ କବି ବିମଳ ଜେନା, କବି ଦୀପ୍ତି ଦାସ, ଗାଳ୍ପିକ ନିବାରଣ ଜେନା, କବି ଶ୍ରୀଦେବ, ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ପ୍ରଶାନ୍ତ ଦାସ ଓ ଡକ୍ଟର ମଣୀନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅନୁଷ୍ଠାନର ସଦସ୍ୟ ଶ୍ରୀମତୀ କଲ୍ୟାଣୀ ନନ୍ଦ ଓ କୋଷାଧ୍ୟକ୍ଷ ଦୀପକ ବୋଷଙ୍କୁ କାର୍ଯ୍ୟକ୍ରମରେ ବିଶେଷ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଶତାଧିକ ସାରସ୍ୱତ ସାଧକ ଓ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ।




