ଇଦ ଉଲ ଫିତର “ଇଦୁଲ ଫିତର”, ଇଦ ଉଲ-ଫିତ୍ର ଯାହାକୁ ସଂକ୍ଷେପରେ ଇଦ କୁହାଯାଏ, ଏକ ମୁସଲିମ ପର୍ବ ଅଟେ। ଏହା ରମଜାନ ମାସର ଶେଷରେ ପାଳନ କରାଯାଏ। ଇଦ ଏକ ଆରବୀ ଶବ୍ଦ ଯାହାର ଅର୍ଥହେଲା ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା। ଏଇ ପର୍ବଟି ଅଣତିରିସିଆ ବା ତିରିସିଆ ମାସରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର। ଏଇ ଦିନକୁ ଆଲ୍ଲା (ଈଶ୍ୱର)ଙ୍କର ପରିଚୟ ଦିବସ ବୋଲି ଜ୍ଞାନ କରାଯାଏ। ଇସଲାମୀ କେଲେଣ୍ଡର ଶବ୍ୱଲର ଦଶମ ମାସର ପ୍ରଥମ ଦିନ ଏହା ପାନ କରାଯାଏ। ଇସଲାମରେ ରମଜାନ ମାସକୁ ପବିତ୍ର ମାସ ବୋଲି ଜ୍ଞାନ କରାଯାଏ। ମାସସାରା ମୁସଲମାନମାନେ ଉପବାସ କରିଥାନ୍ତି। ଇଦ ଉଲ-ଫିତ୍ରକୁ ପୈଗଂବର ମହମ୍ମଦ ସନ ୬୨୪ରେ ଜଂଗ-ଏ-ବଦର ପରେ ପାଳନ କରିଥିଲେ। ମୁସଲମାନମାନେ ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି। ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି। ଏଇ ଦିନ କଳିତକରାଳ, ବିଶେଷକରି ପାରିବାରିକ ଝଗଡ଼ାକୁ ମେଣ୍ଟେଇବାକୁ ଚେଷ୍ଟା କରିଥାନ୍ତି।




