ଦେବୀ କାତ୍ୟାୟିନୀ ମା ଦୁର୍ଗାଙ୍କ ଅବତାର ଭାବରେ ନବରାତ୍ରର ଷଷ୍ଠ ଦିବସରେ ପୂଜିତ ହୁଅନ୍ତି । ସନାତନ ଧର୍ମରେ କାତ୍ୟାୟିନୀ ହେଉଛନ୍ତି ନବଦୁର୍ଗାଙ୍କ ଷଷ୍ଠ ଅବତାର । ନବରାତ୍ର ସମୟରେ କାତ୍ୟାୟିନୀ ରୂପରେ ସନାତନ ସଂସ୍କୃତିର ଶକ୍ତି ଦେବୀ ପାର୍ବତୀଙ୍କ ଆରାଧନା କରାଯାଇଥାଏ । ଶକ୍ତି ଉପାସନା କ୍ଷେତ୍ରରେ କାତ୍ୟାୟିନୀଙ୍କୁ ଶକ୍ତିର ଅବତାର ଦେବୀ ରୂପରେ ବିକଟାଳ ତଥା ଶକ୍ତିମୟୀ ରୂପରେ ଭଦ୍ରକାଳୀ ଓ ଚନ୍ଦ୍ରିକା ଅବତାରରେ ଉପାସନା କରାଯାଇଥାଏ । ଖ୍ରୀଷ୍ଟ ପୂର୍ବ ୨ୟ ଶତାବ୍ଦୀରେ ରଚିତ ପତଞ୍ଜଳିଙ୍କ ମହାଭାଷ୍ୟରେ ଏହା ଉଲ୍ଲିଖିତ ରହିଛି । ଯଦୁର୍ବେଦ ସ୍କନ୍ଧ ପୁରାଣରେ ଅରଣ୍ୟକଖଣ୍ଡରେ କାତ୍ୟାୟିନୀଙ୍କ ବିଷୟରେ ବର୍ଣ୍ଣନା ରହିଛି । ସେଥିରେ କାତ୍ୟାୟିନୀ ଦେବତାମାନଙ୍କ କ୍ରୋଧରୁ ଆପେ ଆପେ ସୃଷ୍ଟି ହେଇଥିବା କଥା ଜଣାପଡେ । ଦାନବ ମହିଷାସୁରକୁ ବଧ ପାଇଁ ଦେବତାମାନେ ତାଙ୍କୁ ସୃଷ୍ଟି କରିଥିଲେ । ସେ ଦେବୀ ପାର୍ବତୀଙ୍କ ସିଂହ ବାହନ ଆରୋହଣ କରି ମହିଷାସୁରକୁ ବଧ କରିଥିଲେ ଏବଂ ଏହି ବିଜଯ ଉତ୍ସବ ସମୟକୁ ବିଜୟାଦଶମୀ ବା ଦୁର୍ଗାପୂଜା ଭାବରେ ପାଳନ କରାଯାଏ । ମାର୍କଣ୍ଡେୟ ଋଷିଙ୍କଦ୍ୱାରା ୪୦୦/୫୦୦ ମସିହାରେ ରଚିତ ସଂସୃତ ମହାକାବ୍ୟର ‘ଦେବୀ ଭାଗବତ ଓ ଦେବୀ ମାହାତ୍ମ୍ୟମ’ ଖଣ୍ଡରେ କାତ୍ୟାୟିନୀଙ୍କ ଉପରେ ବିଶଦ ବର୍ଣ୍ଣନା ରହିଛି । ତାଙ୍କର ଉପସ୍ଥିତିର ପ୍ରଭାବ ବୌଦ୍ଧ ଓ ଜୈନ ତଥା ତାନ୍ତ୍ରିକ ଲିପି ମାନଙ୍କରେ ମଧ୍ୟ ଦେଖିବାକୁ ମିଳେ । ୧୦ମ ଶତାବ୍ଦୀରେ ଲିଖିତ କାଳୀକା-ପୁରାଣରେ ଉଡ୍ଡୀଯାନ ବା ଉଡ୍ରଦେଶ (ପ୍ରାଚୀନ ଓଡ଼ିଶା)କୁ ମହାଦେବୀ କାତ୍ୟାୟିନୀ ଓ ଭଗବାନ ଜଗନ୍ନାଥଙ୍କ ଆସ୍ଥାନ ବୋଲି ଉଲ୍ଲିଖିତ ରହିଛି । ହିନ୍ଦୁ ଯୋଗ ଓ ତନ୍ତ୍ର ସାଧନାରେ କାତ୍ୟାୟନୀଙ୍କୁ ଷଷ୍ଠ ଅଜ୍ନ ଚକ୍ର ବା ତୃତୀୟ ନୟନ ଚକ୍ର ହିସାବରେ ଗ୍ରହଣ କରି ତାଙ୍କର ଆଶିଷ ଭିକ୍ଷ୍ୟା କରାଯାଇଥାଏ ।
ପୁରାତନ ଲୋକ କଥା ହିସାବରେ କାତ୍ୟାୟିନୀ, କାତ୍ୟାୟନ ଋଷିଙ୍କ ଝିଅ ହିସାବରେ ଜନ୍ମ ହେଇଥିଲେ । କିନ୍ତୁ କାଳିକା ପୁରାଣରେ ଋଷି କାତ୍ୟାୟନ ପ୍ରଥମେ ତାଙ୍କୁ ଦେବୀ ଭାବରେ ଉପାସନା କରିଥିବାରୁ ତାଙ୍କୁ କାତ୍ୟାୟିନୀ ନାମରେ ପରିଚିତି ମିଳିଥିଲା । ବାମନ ପୁରାଣରେ ମଧ୍ୟ କାତ୍ୟାୟିନୀଙ୍କ ସୃଷ୍ଟି ବିଷୟରେ ବିଶଦ ବର୍ଣ୍ଣନା ରହିଛି । ଦାନବ ମହିଷାସୁରର ଅତ୍ୟାଚାର ପୃଥିବୀର ସାଧୁ ସନ୍ଥ ତଥା ସାଧାରଣ ଲୋକଙ୍କ ଉପରେ ଅସହ୍ୟ ହେଇଯିବାରୁ ଦେବତାମାନେ ଭଗବାନ ବିଷ୍ଣୁଙ୍କୁ ଏହାର ପ୍ରତିକାର ପାଇଁ ଅନୁରୋଧ କଲେ । ଭଗବାନ ବିଷ୍ଣୁ , ବ୍ରହ୍ମା , ଶିବ ତଥା ଅନ୍ୟ ମୁଖ୍ୟ ଦେବତାମାନଙ୍କୁ ଡକାଇ ସେମାନଙ୍କ ସମ୍ମିଳିତ ଶକ୍ତି ନୟନର ପ୍ରଖର ଜ୍ୱଳିତ ଶିଖା ହିସାବରେ ପ୍ରେରଣ କରି କାତ୍ୟାୟିନୀଙ୍କ ସୃଷ୍ଟି କଲେ । ସହସ୍ର ସୂର୍ଯ୍ୟର ତେଜ ପାଇବା ସହ ସେ ୧୮ଟି ହାତ ମଧ୍ୟ ପାଇଲେ । ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ର, ଶିବ ତାଙ୍କର ତ୍ରିଶୂଳ, ବରୁଣ ତାଙ୍କର ଶଙ୍ଖ, ଅଗ୍ନି ଦେବ ତାଙ୍କର ଶିଖା, ବାୟୁଦେବତା ତାଙ୍କର ବତାଶ, ଏହିପରି ସମସ୍ତ ଦେବ ଦେବୀ ତାଙ୍କର ଶକ୍ତି ବା ଅସ୍ର କାତ୍ୟାୟନୀଙ୍କୁ ପ୍ରଦାନ କାଲେ । ଏହି ସବୁ ଶକ୍ତି ବଳରେ ବଳୀୟାନ ହେଇ କାତ୍ୟାୟନୀ ଅସୁର ମାନଙ୍କ ରାଜା ମହିଷାସୁର ସାଙ୍ଗରେ ଯୁଦ୍ଧ କଲେ ଓ ତାଙ୍କୁ ପରାସ୍ତ କରି ବଧ କଲେ ।





