ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚୈତ୍ର ନବରାତ୍ର ପୂଜାର ଷଷ୍ଠ ଦିବସରେ ଦେବଗିରି ମଠରେ ଉପାସିତ ହୋଇଛନ୍ତି ଦେବୀ କାତ୍ୟାୟିନୀ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଭଗବତ ସ୍ବାମୀ ଦେବଗିରି ମଠରେ ଚାଲିଛି ଚୈତ୍ର ନବରାତ୍ର। ସପ୍ତସତୀ ଚଣ୍ଡୀପାଠ ସହ ବୈଦିକ ବିଧିରେ ହେଉଛି ଦେବୀ ଆରାଧନା। ମଠର ଗୁମ୍ଫା ମଧ୍ୟସ୍ଥ ମହାମାୟା ଚଣ୍ଡୀଙ୍କ ପିଠରେ ନବରାତ୍ରରେ ନବଗୌରୀ ବା ନବଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇ ଆସୁଛି। ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ରୂପରେ ପୂଜା ପାଉଛନ୍ତି ଜଗତଜନନୀ। ସେହି କ୍ରମରେ ମଙ୍ଗଳବାର ଦିନ ପୂଜା ପାଇଛନ୍ତି ଦେବୀ କାତ୍ୟାୟିନୀ। ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପୂଜକ ସନ୍ତୋଷ ପାଢ଼ୀ ନିତି ସଂପାଦନ କରୁଥିବାବେଳେ ସାଧକ ପଣ୍ଡିତ ଶୁକଦେବ ପାଢ଼ୀ ଚଣ୍ଡୀପାଠ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶକ୍ତି ଉପାସନା କ୍ଷେତ୍ରରେ କାତ୍ୟାୟିନୀ ହେଉଛନ୍ତି ଶକ୍ତିର ଅବତାର ଦେବୀ।ପ୍ରାଚୀନ ଯୋଗ ଓ ତନ୍ତ୍ର ସାଧନାରେ କାତ୍ୟାୟନୀଙ୍କୁ ଷଷ୍ଠ ଅଜ୍ନ ଚକ୍ର ବା ତୃତୀୟ ନୟନ ଚକ୍ର ହିସାବରେ ଗ୍ରହଣ କରି ତାଙ୍କର ଆଶିଷ ଭିକ୍ଷା କରାଯାଇଥାଏ। କାତ୍ୟାୟିନୀଙ୍କ ପୂଜାରୁ କୁମାରୀ କନ୍ୟାମାନଙ୍କ ବିବାହ ସମସ୍ୟାର ସମାଧାନ ହୁଏ ବୋଲି ବିଶ୍ୱାସ ରହିଛି। ଭାଗବତ ପୁରାଣରେ ବର୍ଣ୍ଣିତ ଅଛି ଯେ ବୃନ୍ଦାବନର ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସ୍ୱାମୀରୂପେ ପାଇବା ପାଇଁ କାତ୍ୟାୟିନୀ ବ୍ରତ କରିଥିଲେ। ମା’ କାତ୍ୟାୟନୀ ଶକ୍ତି, ସାହସ ଓ ନ୍ୟାୟର ପ୍ରତୀକ। ସେ ଭକ୍ତଙ୍କୁ ଧର୍ମ, ଅର୍ଥ, କାମ ଓ ମୋକ୍ଷର ମାର୍ଗରେ ଅଗ୍ରସର କରନ୍ତି। ଏପଟେ ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଦେବଗିରି ମଠ ରାଜ୍ୟର ଏକ ପ୍ରାଚୀନ ଶକ୍ତିପୀଠ ହୋଇଥିବାରୁ ନବରାତ୍ର ତଥା ଦେବୀଙ୍କ ଏହି ସ୍ବତନ୍ତ୍ର ପୂଜା ପାଇଁ ଅନେକ ସାଧକ, ଭକ୍ତ ଓ ଶ୍ରଦ୍ଧାଳୁ ସମବେତ ହୋଇଥିବା ଦେଖିବାକୁ ମିଳିଛି।





