ବାରାଣସେୟ ଉତ୍କଳ ସମାଜର ଉତ୍କଳ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ବାରାଣସୀ: ମସିହା ଅପ୍ରେଲ ମାସ ୨ ତାରିଖ ଗୁରୁବାର ଦିନ ବାରାଣସେୟ ଉତ୍କଳ ସମାଜ ଆନୁକୂଲ୍ୟରେ ବାରାଣସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥିତ ମାଳବୀୟ ମୂଲ୍ୟ ଅନୁଶୀଳନ କେନ୍ଦ୍ର ପ୍ରେକ୍ଷାଳୟରେ ଉତ୍କଳ ଦିବସ ଧୂମଧାମରେ ପାଳନ କରାଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଦେବାଶିଷ ପଟ୍ଟନାୟକ, ଡାଲମା ରେଷ୍ଟୁରାଣ୍ଟର ସଂସ୍ଥାପକ ଯୋଗ ଦେଇଥିବା ବେଳେ, ବାରାଣସେୟ ଉତ୍କଳ ସମାଜର ସଭାପତି ପ୍ରଫେସର ଗୋପବନ୍ଧୁ ମିଶ୍ର ଓ ସମ୍ପାଦକ ଡ.ଅମିୟ କୁମାର ସାମଲ ସଭାମଣ୍ଡନ କରିଥିଲେ । ସଭାପରିଚଳନା ଦାୟିତ୍ଵ ତୁଳାଇଥିଲେ ସୁବ୍ରତ ଓ ଅନିର୍ବାଣ।

ସଭା ପ୍ରାରମ୍ଭରେ ସର୍ବପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପାଦତଳେ ପୁଷ୍ପାଞ୍ଜଳି ଅର୍ପଣ କରି ସମସ୍ତ ସଦସ୍ୟ ସମବେତରେ ଓଡ଼ିଶାର ରାଜ୍ୟସଙ୍ଗୀତ ‘ବନ୍ଦେ ଉତ୍କଳଜନନୀ’ ଗାନ କରିଥିଲେ । ସଭାପତି ପ୍ର. ମିଶ୍ରଙ୍କ ଅତିଥି ପରିଚୟ ପ୍ରଦାନ ପରେ ଡ. ଅମିୟ କୁମାର ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ “କାଶୀ ଉତ୍କଳିକା” ପତ୍ରିକା ଉନ୍ମୋଚନ କରାଯାଇଥିଲା ।

ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପ୍ରବାସୀ ଓଡ଼ିଆ ସମସ୍ତେ ଜଣେଜଣେ ରାଷ୍ଟ୍ରଦୂତ ତଥା ରାଜ୍ୟଦୂତ ବୋଲି କହିଥିଲେ । ତେଣୁ ଅଣଓଡ଼ିଆ ଲୋକଙ୍କ ମଧ୍ୟରେ ଓଡ଼ିଶାର ରୀତିନୀତି, ସଂସ୍କୃତିର ପ୍ରଚାରପ୍ରସାର କେମିତି ଅଧିକରୁ ଅଧିକ ହେବ ଏବଂ ଓଡ଼ିଶାକୁ ବିଶ୍ୱ ସ୍ତରରେ ପରିଚିତ କରିବା ପାଇଁ ପ୍ରବାସୀ ଓଡ଼ିଆଙ୍କ ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ । ଏଥି ସହିତ ଓଡ଼ିଶା ବାହାରେ ଓଡ଼ିଆ ସଂସ୍କୃତିର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବାରାଣସେୟ ଉତ୍କଳ ସମାଜର ଅବଦାନକୁ ଭୂରି ଭୂରି ପ୍ରଶଂସା କରିଥିଲେ।

ସଭାପତି ପ୍ରଫେସର ଗୋପବନ୍ଧୁ ମିଶ୍ର ଓଡ଼ିଶା ଗଠନରେ ଓଡ଼ିଆ ବରପୁତ୍ରମାନଙ୍କ ସଂଘର୍ଷ କାହାଣୀର ଆଭାସ ଦେଇଥିଲେ । ଏହାପରେ ଉତ୍କଳ ଦିବସ ଉପଲକ୍ଷେ ଆୟୋଜିତ କୁଇଜ୍ ଓ ଚିତ୍ରକଳା ପ୍ରଦର୍ଶନ, ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯାଇଥିଲା ।

ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଓଡ଼ିଶାର ଅଧ୍ୟାପକ/ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଭା ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ସମାଜର ଉପସଭାପତି ପ୍ର.କଲ୍ୟାଣ ଘଡ଼େଇ ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ କ୍ରୀଷ୍ଣା ଏବଂ କାବେରୀ । ମୁଖ୍ୟ ଆକର୍ଷଣ ଭାବେ ପ୍ରଫେସର ଗୋପବନ୍ଧୁ ମିଶ୍ରଙ୍କ ରଚିତ ଓ ନିର୍ଦ୍ଦେଶିତ କ୍ଷୁଦ୍ର ସାମାଜିକ ନାଟକ “ହାତୀ ବନସ୍ତରେ ଥିଲେ ବି ରାଜାଙ୍କର” ଛାତ୍ରଛାତ୍ରୀଙ୍କ ଦ୍ଵାରା ମଞ୍ଚସ୍ଥ ହୋଇ ଦର୍ଶକମାନଙ୍କ ହୃଦୟକୁ ବିଗଳିତ କରିଥିଲା ଏଥିରେ ଅନିର୍ବାଣ, ମୋନାଲିସା, ସୁବ୍ରତ, କ୍ରିଷ୍ଣା, ଶ୍ରୀଲିନା ସୌମ୍ୟରଞ୍ଜନ ଏବଂ ଦୀପକ ଜୀବନ୍ତ ଅଭିନୟ କରିଥିଲେ ।

ଏହା ବ୍ୟତୀତ କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସରମାନଙ୍କ ସୁଗୃହିଣୀ ଯଥାକ୍ରମେ: ସଙ୍ଗୀତା, ଗୀତା, ବନଲତା, ବିନୋଦିନୀ, ସୌମ୍ୟା, ଅନିମା, ସୋନାଲି, ସ୍ମିତା, ଚିତ୍ରା ମ୍ୟାଡ଼ମ୍ ମାନଙ୍କ ଦ୍ଵାରା ପ୍ରାୟୋଜିତ ‘ଓଡ଼ିଆଣୀଙ୍କ ଓଡ଼ିଆ ପରମ୍ପରାର ପ୍ରତିଛବି’ ସମସ୍ତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା ।

ତା’ ସହ ଓଡ଼ିଆ ସଙ୍ଗୀତରେ ଡ.ଓଁକୃତି ପାଢ଼ୀ, ସୁବ୍ରତ କୁମାର ଦାସ ଓ ପ୍ରଣବ ସ୍ୱରୂପ ସାହୁ, ଓଡ଼ିଶୀ ନୃତ୍ୟରେ ଶୁଭଶ୍ରୀ ଜେନା ଓ ହଂଶୁଜା ଦାସ ଅଧିକାରୀ, ସମ୍ବଲପୁରୀ ନୃତ୍ୟରେ ପ୍ରୀୟାଂଶୀ ମିଶ୍ର ଓ ଆଧୁନିକ ନୃତ୍ୟରେ ଅନିର୍ବାଣ, ବିକାଶ, ଜ୍ୟୋତିର୍ମୟୀ, ଶ୍ରଦ୍ଧାଞ୍ଜଳି, ଦୀପକଙ୍କ ନୃତ୍ୟ ମଞ୍ଚକୁ ରଙ୍ଗମୟ କରିଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଖାଦ୍ୟ ଦହିବରା ଓ ଆଳୁଦମ ମୁଖ୍ୟ ଆକର୍ଷଣ ଥିଲା । ଏଥିରେ ୫୦୦ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ ଯୋଗଦେଇ ମାତୃଭୂମିର ଗୌରବକୁ ସ୍ମରଣ କରିବା ସହ ରାତ୍ରି ଭୋଜନରେ ଓଡିଆ ବ୍ୟଞ୍ଜନର ମଜା ଉଠାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.