ପୃଥିବୀର ରାଜନୀତି : ପରିବେଶ ସଙ୍କଟରେ ମନୁଷ୍ୟର ପରୀକ୍ଷା 

ଆଜିର ଦିନରେ ‘ପରିବେଶ ରାଜନୀତି’ କେବଳ ଏକ ରାଷ୍ଟ୍ରୀୟ ଧାରଣା ନୁହେଁ, ଏହା ମନୁଷ୍ୟ ସଭ୍ୟତାର ଅସ୍ଥିତ୍ଵ ସହ ଜଡ଼ିତ ଏକ ଗଭୀର ଚିନ୍ତା। ବିଶ୍ବରେ ବଢୁଥିବା ଜଳବାୟୁ ପରିବର୍ତ୍ତନ, ବଣ ବ୍ୟବଛେଦ, ଜଳ ବାୟୁ ପ୍ରଦୂଷଣ ମନୁଷ୍ୟକୁ ଏକ ଭୟଙ୍କର ସଙ୍କଟରେ ପକାଇଛି। ଏହି ସମସ୍ତ ସମସ୍ୟା ର ସମାଧାନ କେବଳ ବିଜ୍ଞାନ ନୁହେଁ ବରଂ ଏହାର ଉଚିତ ତଥା ନ୍ୟାୟୋଚିତ ସମାଧାନ ରାଜନୀତି ଦ୍ବାରା ହିଁ ସମ୍ଭବ। ପରିବେଶ ରାଜନୀତି ମାନେ ହେଉଛି ସେହି ସମସ୍ତ ନୀତି, ନିଷ୍ପତ୍ତି ଓ କାମ ଯାହା ପରିବେଶ ସୁରକ୍ଷା ପାଇଁ ସରକାର ଓ ଅନ୍ତର୍ଜାତୀୟ ସଂଗଠନ ଗ୍ରହଣ କରନ୍ତି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଉନ୍ନତି ଓ ପରିବେଶ ମଧ୍ୟ ରେ ସମନ୍ବୟ ସ୍ଥାପନ କରିବା। ଆଜି ବିଶ୍ବ ରେ ବିଭିନ୍ନ ଦେଶ ନିଜ ଆର୍ଥିକ ଉନ୍ନତି ପାଇଁ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ କରୁଛନ୍ତି। ଏହା ଦୀର୍ଘ କାଳୀନ ଭାବେ ଓପରିବେଶ କୁ ଅସନ୍ତୁଳିତ କରୁଛି। ଉନ୍ନତି ଆଜିର ଆବଶ୍ୟକତା, କିନ୍ତୁ ଏହା ପରିବେଶକୁ ବିନା କିଛି କ୍ଷତି ପହୁଁଚାଇ ହେବା ଆବଶ୍ୟକ। ଏକ ପକ୍ଷରେ ଶିଳ୍ପାୟନ ଓ ନଗରୀକରଣ ବଢୁଛି, ଅନ୍ୟ ପକ୍ଷରେ ଜଳବାୟୁ ଅସ୍ଥିରତା, ବନ୍ୟା, ଗ୍ରୀଷ୍ମ ପ୍ରବାହ,ଓ ପ୍ରାକୃତିକ ବିପର୍ଜୟ ଦିନ କୁ ଦିନ ବଢିବାରେ ଲାଗିଛି। ଏହା ଏକ ଗଭୀର ବିଷୟ ବସ୍ତୁ ପାଲଟି ଗଲାଣି କି କିପରି ଆମେ ଶିଳ୍ପାୟନ, ଆର୍ଥିକ ଉନ୍ନତି କରିବା ସହିତ ପରିବେଶ କୁ ସୁରକ୍ଷିତ ରଖିପାରିବୁ? ଏହା ପାଇଁ ସସ୍ଥାୟୀ ଉନ୍ନତି  ଆବଶ୍ୟକ। ଭାରତ ଭଳି ଏକ ବିକାଶଶୀଳ ଦେଶ ପାଇଁ ପରିବେଶ ଓ ଉନ୍ନତି ମଧ୍ୟ ରେ ସଂତୁଳନ ରଖିବା ଏକ ବଡ ଚାଲେଞ୍ଜ। ଦେଶରେ ବିଭିନ୍ନ ପରିବେଶ ସୁରକ୍ଷା ଆଇନ ରହିଛି ଯଥା – ବଣ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ, ଓ ଜଳ ସଂରକ୍ଷଣ । ଏହା ସହିତ ନବିନିକରଣ ଶକ୍ତିକୁ ତ୍ବରାନ୍ବିତ କରଯାଉଛି। ତଥାପି ବୃହତ ପ୍ରକଳ୍ପ ଓ ଶିଳ୍ପ ଜନିତ କ୍ରିୟାକଳାପ ପରିବେଶ ଉପରେ କୁ – ପ୍ରଭାବ ପକାଉଛି। ଏହି ପରିସ୍ଥିତିରେ ସରକାରୀ ନୀତି ସହିତ ସାଧରଣ ଲୋକଙ୍କ ର ସଚେତନତା ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ବିଶ୍ବରେ ପରିବେଶ ରାଜନୀତି ଏକ ସମ୍ବେଦନଶୀଳ ବିଷୟ ଭାବ ରେ  ଉଭରି ଆସିଛି। ବିଭିନ୍ନ  ଦେଶ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଏକତ୍ର ହୋଇ ବିଭିନ୍ନ ପ୍ରକାର ଚୁକ୍ତି ସ୍ବାକ୍ଷର କାରୁଛନ୍ତି। କିନ୍ତୁ ଏଥିରେ ଦେଶ ମାନଙ୍କର ମଧ୍ୟରେ ଦାୟିତ୍ଵ ବଣ୍ଟନ ଓ ଆର୍ଥିକ ସହଯୋଗ ନେଇ ମତଭେଦ ଦେଖାଯାଉଛି। ଉନ୍ନତ ଦେଶ ମାନେ ଐତିହାସିକ ଭାବେ ଅଧିକ ପ୍ରଦୂଷଣ କରିଥିବା ବେଳେ, ଉନ୍ନତିଶୀଳ ଦେଶମାନେ ନିଜକୁ ଉନ୍ନତିଶୀଳ  ରାଷ୍ଟ୍ର ରେ ପରିଗଣିତ କରିବାକୁ ଯାଇ ପ୍ରାକୃତିକ ସମ୍ପଦ ର ଆହେତୁକ ବ୍ୟବହାର କରୁଛନ୍ତି। ଯାହା ଫଳରେ ପରିବେଶରେ ନାହିଁ ନଥିବା ଅସମାଜସ୍ୟ ଓ ପ୍ରଦୂଷଣ ଦେଖିବାକୁ ମିଳୁଛି।

ପରିବେଶ ରାଜନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରହିଛି। ଜଳବାୟୁ ପରିବର୍ତ୍ତନ ଆଜିର ସବୁଠାରୁ ବଡ଼ ଆଶଙ୍କା, ଯାହା ଗ୍ଲୋବାଲ ତାପମାତ୍ରା ବଢାଇ ଦେଉଛି। ବନ ନିଶ୍ଚ୍ଛେଦ ଫଳରେ ଜୈବ ବିବିଧତା କ୍ଷୟ ହେଉଛି ଓ ପ୍ରାଣୀଜଗତ ଅସୁରକ୍ଷିତ ହେଉଛି। ଜଳ ଓ ବାୟୁ ପ୍ରଦୂଷଣ ମନୁଷ୍ୟ ସ୍ୱାସ୍ଥ୍ୟକୁ ଭୟଙ୍କର ଭାବେ ପ୍ରଭାବିତ କରୁଛି। ଏହା ସହିତ ଜଳ ସଙ୍କଟ ଓ ମାଟିର ଉର୍ବରତା ହ୍ରାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଭାବେ ଉଭରି ଆସିଛି। ଏହି ସମସ୍ତ ଅସୁବିଧା ଦୃଢ଼ ରାଜନୀତିକ ନୀତି ଓ ଜନସହଭାଗ ବିନା ସମାଧାନ ହେବା ଦୁର୍ଲଭ। ଏହି ସମସ୍ୟାଗୁଡ଼ିକୁ ମୁକାବିଲା କରିବା ପାଇଁ ଦୃଢ଼ ପଦକ୍ଷେପ ଆବଶ୍ୟକ। ପ୍ରଥମେ, ସରକାରଙ୍କୁ କଡା ଆଇନ ଲାଗୁ କରିବା ସହିତ ଏହାର ଠିକ୍ ପ୍ରୟୋଗ କରିବା ଆବଶ୍ୟକ। ଦ୍ୱିତୀୟତଃ, ସମାଜରେ ପରିବେଶ ସଚେତନତା ବଢାଇବା ଆବଶ୍ୟକ, ଯାହା ଲୋକଙ୍କୁ ସୁସ୍ଥ ଜୀବନ ଶୈଳୀ ଅନୁସରଣ କରିବାକୁ ପ୍ରେରିତ କରିବ। ତୃତୀୟତଃ, ସୂର୍ଯ୍ୟ ଓ ପବନ ଶକ୍ତି ଭଳି ପରିଷ୍କାର ଶକ୍ତି ବ୍ୟବହାରକୁ ବଢାଇବା ଆବଶ୍ୟକ। ଏହା ସହିତ ଯୁବ ପିଢିକୁ ପରିବେଶ ଆନ୍ଦୋଳନରେ ସମ୍ମିଳିତ କରିବା ଦ୍ୱାରା ଆଗାମୀ ଦିନରେ ଏକ ସୁସ୍ଥ ପୃଥିବୀ ଗଢ଼ାଯାଇପାରିବ। ସମାପ୍ତିରେ କୁହିବାକୁ ହେଲେ, ପରିବେଶ ରାଜନୀତି କେବଳ ଏକ ଚର୍ଚ୍ଚାର ବିଷୟ ନୁହେଁ, ଏହା ଆମ ଜୀବନର ଆବଶ୍ୟକତା। ଆଜି ନିଆଯାଉଥିବା ରାଜନୀତିକ ନିଷ୍ପତ୍ତି ଆଗାମୀ ପିଢିର ଭବିଷ୍ୟତ ନିର୍ଣ୍ଣୟ କରିବ। ଯଦି ଆମେ ସଚେତନ ଓ ଦାୟିତ୍ୱଶୀଳ ହୋଇ ପରିବେଶ ସୁରକ୍ଷା ପାଇଁ କାମ କରିବା, ତେବେ ଆମେ ଏକ ସୁନ୍ଦର ଓ ସୁସ୍ଥ ପୃଥିବୀ ଆଗାମୀ ପିଢିକୁ ଦେଇପାରିବୁ। ଏହା ହେଉଛି ଆମ ସମସ୍ତଙ୍କର ସାଧାରଣ କର୍ତ୍ତବ୍ୟ ଓ ନୈତିକ ଦାୟିତ୍ୱ।

ସିଦ୍ଧାର୍ଥ ଶାଶ୍ଵତ ପଣ୍ଡା 

ଜୁନାଗଡ ,କଳାହାଣ୍ଡି

ମୋ: ୯୪୩୭୭୦୦୦୨୯

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.