ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପେଣ୍ଡରାମାଲ ଗଉନ୍ତିଆ ପଡାରେ ଷୋହଳ ପ୍ରହର ନାମଯଜ୍ଞ ଉପଲକ୍ଷେ ଆୟୋଜିତ କଳସ ଯାତ୍ରା ଗ୍ରାମକୁ ଭକ୍ତିମୟ ମହଲାରେ ମୁଡ଼ି ଦେଇଛି। ରବିବାର ସକାଳୁ ସ୍ଥାନୀୟ ଲାଂଥ ନଦୀକୁ ଶତାଧିକ ମହିଳାଙ୍କର ଭକ୍ତିମୟ ଶୋଭାଯାତ୍ରା ଯାଇ ପବିତ୍ର ଜଳ ଭରି କଳସ ନେଇ ଯଜ୍ଞ ମଣ୍ଡପକୁ ଫେରିଥିଲେ। ଯାତ୍ରା ଦୃଶ୍ୟ ଗ୍ରାମବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବନିଥିଲା। ଖୋଲ, ତାଳ, ମୃଦଙ୍ଗର ମଧୁର ନାଦ ସହ ଶଙ୍ଖଧ୍ୱନି ଓ ହୁଳହୁଳିର ରବରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଭାବନାରେ ଭରିଯାଇଥିଲା। ଗ୍ରାମର ମା’ ଓ ମାଉସୀମାନଙ୍କର ସକ୍ରିୟ ଭାଗୀଦାରୀ ଏହି ଯାତ୍ରାକୁ ଆହୁରି ଗୌରବମୟ କରିଥିଲା। ନାମଯଜ୍ଞର କର୍ତ୍ତା ଭାବେ ବସନ୍ତ କୁମାର ଭୋଇ ଓ ହିମାଂଗିନୀ ଭୋଇ ଯଜ୍ଞର ସମସ୍ତ ବ୍ୟବସ୍ଥାପନା କରୁଥିବାବେଳେ ପୂଜକ ଭାବେ ଯୁଧିଷ୍ଠିର ହୋତା, ସହଯୋଗୀ ଭାବେ ଗୋବିନ୍ଦ ପଣ୍ଡା ଓ ବଦ୍ୟ ବାବୁ ଯଜ୍ଞକାର୍ଯ୍ୟରେ ନିୟୋଜିତ ଅଛନ୍ତି। ସଭାପତିଙ୍କ କହିବା ଅନୁସାରେ, ରବିବାର ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ସୋମବାରରୁ ନାମଯଜ୍ଞ ଆରମ୍ଭ ହେବ ଏବଂ ବୁଧବାର ପୂର୍ଣ୍ଣାହୁତି ସହ ଯଜ୍ଞର ସମାପନ ହେବ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଧାର୍ମିକ ଉତ୍ସାହ ଦେଖାଯାଉଛି ଏବଂ ଭକ୍ତମାନଙ୍କର ଭିଡ଼ ଲାଗିରହିଛି।





