ପାରା ଆଥଲେଟ୍ ସୁନା ଝିଅ ପାୟଲ୍ ନାଗ ବିଶ୍ୱର ଏକ ନମ୍ବର ଖେଳାଳି

ଶୀତଲ ଦେବୀଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତି ଭାରତ ତଥା ବଲାଙ୍ଗୀର ଜିଲ୍ଲା ପାଇଁ ଆଣିଲେ ଗୌରବ

ଓଡ଼ିଆ ବାର୍ତ୍ତା / ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ର ପାୟଲ ନାଗ ବ୍ୟାଙ୍କକରେ ଅନୁଷ୍ଠିତ ହ୍ୟୁଣ୍ଡାଇ ବିଶ୍ୱ ଆର୍ଚେରୀପାରା ସିରିଜ୍ ୨୦୨୬‌ରେ ଭାରତୀୟ ଖେଳାଳି ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି ସିରିଜ୍ ରେ ଭାରତୀୟ ଖେଳାଳି ମାନେ ସମୁଦାୟ ୧୬ଟି ପଦକ (୭ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ) ଜିତି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଏଥି ମଧ୍ୟରୁ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ର ସୁନାଝିଅ ତଥା ପ୍ରତିଭାବାନ୍ ପାରା ଆଥଲେଟ୍ ପାୟଲ୍ ନାଗ ବିଶ୍ୱର ଏକ ନମ୍ବର ଖେଳାଳି ଶୀତଲ ଦେବୀଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ଚକିତ କରିବା ସହ ନିଜ ଦେଶ ଭାରତ ତଥା ନିଜ ଅଞ୍ଚଳ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ପାଇଁ ଗୌରବ ଆଣିଛନ୍ତି । ଏହି ବିଶ୍ୱ ଆର୍ଚେରୀ ପାରା ସିରିଜ୍‌ରେ ଭାରତୀୟ ଖେଳାଳି ମାନେ ଭାରତ କମ୍ପାଉଣ୍ଡ ପୁରୁଷ, ମହିଳା ଏବଂ ମିଶ୍ରିତ ଦଳଗତ ବିଭାଗରେ ସମସ୍ତ ୩ଟି ଯାକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏହି ସିରିଜ୍‌ର ପରବର୍ତ୍ତୀ ପର୍ଯ୍ୟାୟ ଜୁନ୍ ୨୮ ରୁ ଜୁଲାଇ ୪, ୨୦୨୬ ମଧ୍ୟରେ ଚେକ୍ ରିପବ୍ଲିକରେ ଅନୁଷ୍ଠିତ ହେବ। ତେବେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ବାନ୍ଦୁପଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜମୁନାବାହାଲ ଗ୍ରାମର ଜଣେ ପ୍ରତିଭାବାନ ପାରା-ଆଥଲେଟ୍ ହେଉଛନ୍ତି ପାୟଲ୍ ନାଗ । ସେ ୫ ବର୍ଷ ବୟସରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ଆଜି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରିଛନ୍ତି। ପାୟଲ ନାଗଙ୍କ ଭଳି ଖେଳାଳି ମାନେ ଆଜିର ଯୁବପିଢ଼ି ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଥିବା ବେଳେ ଆଜିର ଦିନରେ ସେ ପ୍ରମାଣ କରିସାରିଛନ୍ତି ଯେ ଅକ୍ଷମତା ଶରୀରରେ ଥାଏ, ମନରେ ନୁହେଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.