ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମାଣ୍ଡିଆ କଳାବଜାରୀକୁ ନେଇ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ରହିଛି କୋକସରା ଅଞ୍ଚଳ। କେତେବେଳେ ଚାଷ କରି ନଥିବା ଚାଷୀ ମଣ୍ଡିରେ ମାଣ୍ଡିଆ ବ୍ରିକ୍ରୀ କରିଥିବା ଘଟଣା ସାମ୍ନାକୁ ଆସିଛି ତ ଆଉ କେତେବେଳେ ଚାଷୀ ଯେତିକି ଉତ୍ପାଦନ କରିଛି ତା’ ଠାରୁ ଢେର ଅଧିକ ବିକ୍ରୀ କରିଥିବା ଭଲି ଘଟଣା ସାମ୍ନାକୁ ଆସିଛି। ଏହି ସବୁ କାରବାର ଗୁଡ଼ିକ ପ୍ରଚ୍ଛଦ ପଟରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାର ହାତ ଥିବା ଆଲୋଚନା ହେଉଛି। ଏବେ କିନ୍ତୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ କି ଏକ ବନ୍ଦ ହୋଇଯାଇଥିବା ବିଦ୍ୟାଳୟର କୋଠରୀରେ ହଜାର ହଜାର କୁଇଣ୍ଟାଲ ମାଣ୍ଡିଆ ଗଚ୍ଛିତ ରଖି ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଛି। ତେବେ ଏତେ ମାତ୍ରାରେ ମାଣ୍ଡିଆ କେଉଁଠି ଆସୁଛି ଓ କେଉଁଠି କୁ ଯାଉଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କୋକସରା ବ୍ଲକର ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ତେଲିଗୁଡା ଠାରେ ଥିବା ବନ୍ଦ ହୋଇଯାଇଥିବା ବିଦ୍ୟାଳୟରେ ଶହ ଶହ କୁଇଣ୍ଟାଲ ମଣ୍ଡିଆ ଗଚ୍ଛିତ ଥିବା ଦେଖିବାକୁ ମିଳୁଛି। ଏହି ମାଣ୍ଡିଆ ଏତେ ମାତ୍ରାରେ ରହିଛି ଯେ ଏହା କୌଣସି ଚାଷୀର ହୋଇ ଥାଇ ନ ପାରେ। ଏହି ସ୍କୁଲ ନିକଟରେ ଦୈନିକ ଏକାଧିକ ଟ୍ରକ୍ ଓ ପିକ୍ ଅପ୍ ଭ୍ୟାନ ଲାଗୁଥିବା ଦେଖିବାକୁ ମିଳିଥିବାବେଳେ ଏତେ ଗୁଡ଼ିଏ ମାଣ୍ଡିଆ କେଉଁଠାରୁ ଆସୁଛି ଓ କେଉଁଠିକୁ ପଠା ଯାଉଛି। ଏବଂ ଏସବୁ ପଛରେ କାହାରି ହାତ ରହିଛି। ଶୁଣିବାକୁ ମିଳୁଛି ଯେ, ଏହି କାରବାର ପଛରେ ସ୍ଥାନୀୟ କିଛି ଯୁବକ ଓ ଆମପାଣି ମଣ୍ଡଳ ବିଜେପିର କିଛି ଆଗ ଧାଡ଼ିର ପଦାଧିକାରୀଙ୍କ ହାତ ରହିଛି। ତାଙ୍କ ଇଙ୍ଗିତରେ ଏହି କାରବାର ବର୍ଷ ବର୍ଷ ଧରି ଚାଲିଥିବା ଅଞ୍ଚଳରେ ଯୋରଦାର ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ଶ୍ରୀଅନ୍ନ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କୁ ମାଣ୍ଡିଆ ଚାଷ ନିମନ୍ତେ ବିଭିନ୍ନ ସମୟରେ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି। ଚାଷୀମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିବା ପାଇଁ ଚାଷ ପ୍ରତି ଆକର୍ଷିତ ହୋଇ ଚାଷ କରୁଛନ୍ତି। ତେବେ ଯେତେ ପରିମାଣର ଜମିରେ ଏହି ଚାଷ କରାଯାଉଛି ସେହି ପରିମାଣରେ ଚାଷୀ ମାଣ୍ଡିଆ ବିକ୍ରୀ କରୁ ନଥିବା ବେଳେ ଦଲାଲ ମାନେ ଏହାର ଭରପୁର ଫାଇଦା ଉଠାଇବାରେ ଲାଗିଛନ୍ତି। ପଞ୍ଚାୟତ ଗୁଡିକରେ ପ୍ରଦାନ କରାଯାଉଥିବା ମାଣ୍ଡିଆକୁ ହିତାଧିକାରୀ ମାନଙ୍କଠାରୁ କମ୍ ମୂଲ୍ୟରେ କ୍ରୟ କରି ପରବର୍ତ୍ତୀ ସମୟରେ ମଣ୍ଡିରେ ବିକ୍ରି କରୁଥିବା ଅନେକ ଅଭିଯୋଗ ଆସିଛି। ବର୍ଷେ କି ଦୁଇ ବର୍ଷର କଥା ନୁହେଁ ଏହି କାରବାର ଦିର୍ଘ ବର୍ଷରୁ ଚାଲିଆସିଛି। ତେବେ ଏହା ପଛରେ କାହାରି ହାତ ରହିଛି ଓ କାହା ଇଙ୍ଗିତରେ ଚାଲିଛି ଏହାର ପ୍ରଚ୍ଛଦପଟ୍ଟରେ ରହିଥିବା ଦଲାଲକୁ ଲୋକଲୋଚନକୁ ଆଣିବା ପାଇଁ ଜନ ସାଧାରଣରେ ଦାବି ହେଉଛି। ଏନେଇ କୋକସରା ଗୋଷ୍ଠୀକୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀଙ୍କୁ ପଚାରିବାରୁ ମାର୍ଚ୍ଚ ଶେଷରେ ମଣ୍ଡି ସରିଯାଇଛି ବର୍ତମାନ କୌଣସି ସରକାରୀ ଭାବରେ ମାଣ୍ଡିଆ ଉଠାଣ ହେଉନଥିବା କହିଛନ୍ତି।





