ଓଡ଼ିଆ ବାର୍ତ୍ତା/ ଜୁନାଗଡ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ବ୍ଲକ ତେତେଲଖୁଣ୍ଟି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୨୬ ମସିହାର ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ସହିତ ପୁରସ୍କାର ବଣ୍ଟନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଚାରଭାଟି ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ପଦ୍ମିନୀ ହଂସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବୁଧିଧରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପଞ୍ଚାନନ ବିଶ୍ୱାଲ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ଏସଏମସିର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ପଟେଲ ଅଧ୍ୟକ୍ଷତା କରିଥିଲେ ଓ ଉପାଧ୍ୟକ୍ଷା ଶ୍ରୀମତୀ ସରିତା ଛତ୍ରିଆ ମଧ୍ୟ ଉପସ୍ଥିତ ଥିଲେ। ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ୧୬ ଜଣ ବାଳବାଟିକା ଶିଶୁ ତାଙ୍କର ଅଭିଭାବକମାନଙ୍କ ସହ ଅଂଶଗ୍ରହଣ କରିଥିଲେ। ଶିକ୍ଷକ ଶ୍ରୀ ଟଙ୍କଧର ଶବର ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମଟି ଶ୍ରୀ ସମରେନ୍ଦ୍ର ଶେଖର ଦାସ ଓ ଶ୍ରୀମତୀ ପ୍ରିୟମ୍ବଦା ଜେନାଙ୍କ ଦ୍ୱାରା ସଂଚାଳିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ମଧ୍ୟ ଅତିଥିମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା। ବାର୍ଷିକ ବିବରଣୀ ଶ୍ରୀମତୀ ପ୍ରିୟମ୍ବଦା ଜେନା ପଢିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ମକରଧ୍ୱଜ ରାଉତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉଦବୋଧନ ରଖିଥିଲେ। ସମସ୍ତ ଅଭିଭାବକ ଉପସ୍ଥିତ ଥାଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।





