ରାୟଗଡ,୩୦/୮ : ରାୟଗଡ ସହରର ସ୍ଥାନୀୟ ହୋଟେଲ ସତ୍ୟମ ରେସିଡେନ୍ସି ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କ୍ଷେତ୍ରରେ ଦେଖାଯାଉଥିବା ଅସମାନତାକୁ ନେଇ ଅକ୍ସଫାମ ଇଣ୍ଡିଆ ଓ ଆଧାର ଅନୁଷ୍ଠାନ ତରଫରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଏକ ପରାମର୍ଶ କର୍ମଶାଳାର ଆୟୋଜନ କରାଯାଇଥିଲା । ସାରା ବିଶ୍ୱରେ ତଥା ଭାରତରେ ମଧ୍ୟ ତୃଣମୂଳ ସ୍ତରରେ ଥିବା ଆର୍ଥିକ ଅସମାନତା ଓଅସମାନତା ଦ୍ୱାରା ଦେଖାଯାଉଥିବା ପ୍ରଭାବ ବିଶେଷ କରି ଶିକ୍ଷା ଓ ସ୍ୱାସ୍ଥ୍ୟରେ ଏହାର ପ୍ରଭାବ ଉପରେ ବିଭିନ୍ନ ତଥ୍ୟ ସମ୍ବନ୍ଧିତ ପ୍ରସଙ୍ଗମାନ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅସମାନତା ସାଙ୍ଗକୁ ଶିକ୍ଷା ଓ ସ୍ୱାସ୍ଥ୍ୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା । ସମସ୍ୟା ଗୁଡିକୁ ଜାଣିବା ପରେ ଗଣପ୍ରତିନିଧିମାନେ ରାୟଗଡ ଜିଲ୍ଳାରେ ସ୍କୁଲ ବନ୍ଦ କରାଯିବା,ସ୍କୁଲରୁ ପିଲା ପାଠ ଛାଡୁଥିବା ଓ ଆଦିବାସୀ ଶିକ୍ଷା ପ୍ରସଙ୍ଗରେ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଭବିଷ୍ୟତରେ ଏହି ସମସ୍ୟାକୁ ନେଇ ଆଗାମୀ ଦିନରେ ଗଣମାଧ୍ୟମ ଉଚିତ ପଦକ୍ଷେପ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ବିଗତ ବର୍ଷରେ ୧୩୧ଟି ସରକାରୀ ସ୍କୁଲ ରାୟଗଡ ଜିଲ୍ଳାରେ ବନ୍ଦ ହୋଇଛି ଓ ବନ୍ଦ ହୋଇଥିବା ସ୍କୁଲରେ ପିଲାମାନେ ସ୍କୁଲ ବାହାରେ ଥିବା ଓ ଅଧିକରୁ ଅଧିକ ପିଲାପାଠ ଛାଡୁଥିବା ଦେଖାଦେଇଛି । ସ୍କୁଲଗୁଡିକରେ ପିଲା କମ ଥିବା ଆଳରେ ସ୍କୁଲ ବନ୍ଦ କରିବା ଓ ସ୍କୁଲ ବନ୍ଦ ବାବଦରେ ଗୋଷ୍ଠୀଙ୍କୁ ଅବଗତ ନ କରିବା ସହ ଅନ୍ୟ ସ୍କୁଲରେ ନାମଲେଖା ପ୍ରକ୍ରିୟା ଠିକ୍ ଭାବେ ନ ହେବା କଥା ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥାପନା କରିଥିଲେ । ସ୍କୁଲ ବନ୍ଦ ସମସ୍ୟାକୁ ଛାଡି ଜିଲ୍ଳାର ବିଭିନ୍ନ ସମସ୍ୟା ଓ ଶିକ୍ଷା, ସ୍ୱାସ୍ଥ୍ୟରେ ଗୁଣାତ୍ମକ ମାନହ୍ରାସ ଓ ସରକାର ଏ ଦିଗରେ କମ ବ୍ୟୟ ଅଟକଳ କରୁଥିବା ପ୍ରସଙ୍ଗଗୁଡିକ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଧାର ଅନୁଷ୍ଠାନର ପ୍ରତିନିଧି ଉମାଶଙ୍କର ସାହୁ ଓ ଅକ୍ସଫାମ ଇଣ୍ଡିଆର ସନ୍ତୋଷ ପାତ୍ର ଉପସ୍ଥିତ ରହି ଆଲୋଚନାକୁ ପରିଚାଳନା କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇