ବିଶ୍ୱ କବି ମହାକୁମ୍ଭରେ ଯୋଗଦେଇ ଫେରିଲେ ସୁଧୀର ଧଙ୍ଗଡ଼ାମାଝୀ

କଳାହାଣ୍ଡି,୧୨/୧୦: କଳାହାଣ୍ଡି ମାଟିର ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ୩୯ତମ ବିଶ୍ୱ କବି ମହାକୁମ୍ଭ (ୱାର୍ଲ୍ଡ କଂଗ୍ରେସ୍ ଅଫ୍ ପୋଏଟ୍ସ)ରେ ନିମନ୍ତ୍ରିତ କବି ଭାବେ ଯୋଗଦେଇ ଫେରିଆସିଛନ୍ତି। ବିଶ୍ୱ କଳା ଓ ସଂସ୍କୃତି ଏକାଡେମୀ (ୱାର୍ଲ୍ଡ ଏକାଡେମୀ ଅଫ୍ ଆର୍ଟ୍ସ ଏଣ୍ଡ୍ କଲଚର୍) ତଥା କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ବିଶାଳ ସମ୍ମିଳନୀରେ ୮୨ଟି ଦେଶର ପ୍ରାୟ ୧୩୦୦ ଜଣ ଲବ୍ଧ ପ୍ରତିଷ୍ଠିତ କବି, ଲେଖକ ଓ ନୋବେଲ୍ ବିଜେତାଙ୍କ ସମେତ ୭୦୦ରୁ ଉର୍ଦ୍ଧ୍ବ ଯୁବକବି ଅଂଶଗ୍ରହଣ କରିଥିଲେ। ଏହା ଓଡ଼ିଶାରେ ପ୍ରଥମଥର ପାଇଁ ଓ ଭାରତରେ ତୃତୀୟଥର ପାଇଁ ଆୟୋଜିତ ହୋଇଥିଲା।

ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରର ଯଦୁମଣି ଧଙ୍ଗଡ଼ାମାଝୀ ଓ ପ୍ରତିମା ଧଙ୍ଗଡ଼ାମାଝୀଙ୍କ ପୁତ୍ର ସୁଧୀର କୁମାର ଧଙ୍ଗଡ଼ାମାଝୀ ଓଡ଼ିଆ ସାହିତ୍ୟରେ ଏକ ପ୍ରଖର ସ୍ୱର। ତାଙ୍କ କବିତାରେ ଥାଏ ଚଳନ୍ତି ସମୟର କଥା, ଲାଗିବ ସେ ଆପଣଙ୍କ କଥା କହୁଛନ୍ତି। କବିତା ବ୍ୟତୀତ ଗଳ୍ପ, ଲଳିତ ନିବନ୍ଧ, ପ୍ରବନ୍ଧ, ଫିଚର୍, ସମ୍ପାଦନା, ବେତାର ଉପସ୍ଥାପନା ଆଦିରେ ସେ ବେଶ୍ ଲୋକପ୍ରିୟତା ପାଇସାରିଛନ୍ତି। ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଖଂଗାର୍’ ସାଉଁଟି ସାରିଛି ଅଜସ୍ର ପାଠକୀୟ ସ୍ୱୀକୃତି। ସାହିତ୍ୟ ସାଧନାର ସ୍ୱୀକୃତି ସ୍ୱରୂପ ସେ କେନ୍ଦ୍ର ସାହିତ୍ୟ ଅକାଦେମୀର ‘ମୁଲାକାତ୍’ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ହେବାସହ ଚେତାବନୀ ସାହିତ୍ୟ ସଂସଦ ପ୍ରଦତ୍ତ ‘ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ-୨୦୧୮’ ପାଇସାରିଛନ୍ତି।

ପାଂଚଦିନ ଧରି ଆୟୋଜିତ ବିଶ୍ୱ କବି ମହାକୁମ୍ଭକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ଭାରତର ଉପରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡ଼ୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଶ୍ୱ କବି ମହାକୁମ୍ଭର ବିଭିନ୍ନ ସମାନ୍ତରାଳ ଅଧିବେଶନରେ ଇଂଲିଶ୍, ଚାଇନିଜ୍, ସ୍ପେନିଶ୍, ଓଡ଼ିଆ ଓ ହିନ୍ଦୀ କବିମାନେ କବିତା ପାଠ କରିଥିବା ବେଳେ ସେଥିରେ ସୁଧୀର ଅଂଶଗ୍ରହଣ କରି କବିତା ପାଠ କରିଥିଲେ। ଭୁବନେଶ୍ୱରରୁ ଫେରି ସେ ପ୍ରକୃତିପ୍ରେମୀ ଅଶ୍ୱିନ କୁମାର ନାଏକଙ୍କ ସହ ଏକ ବାଇକ୍ ଟୁର୍’ରେ ଶାନ୍ତିର ବାର୍ତ୍ତା ନେଇ ଫୁଲବାଣୀରୁ ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ କଳାହାଣ୍ଡିର ବିଭିନ୍ନ ଅଂଚଳ ବୁଲି ୮୦୦ କିଲୋମିଟର ଅତିକ୍ରମ କରିବା ପରେ ଘରେ ପହଞ୍ଚିଥିଲେ।

ତାଙ୍କର ଏହି ସଫଳତାରେ କଳାହାଣ୍ଡି ଯୁବ ଲେଖକ ସମାବେଶ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି ଥିଏଟର୍ ସମେତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.