କଳାହାଣ୍ଡି,୧୩/୧୦(ହେମନ୍ତ ସାହୁ): ଗାଁକୁ ସଡ଼କପଥର ସଂଯୋଗୀକରଣ ପରେ ହିଁ ବିକାଶର ପ୍ରକ୍ରିୟା ଆରମ୍ଭ ହେଇଥାଏ, କିନ୍ତୁ ଆଜି ବି କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକରେ ଏମିତି ଗାଁ ରହିଛି, ଯୋଉଠିକି ସାମାନ୍ୟତମ ଆବଶ୍ୟକତା ରାସ୍ତାଟିଏ ବି ଯାଇନି । କାରଣ କୋଉଠି ଜଙ୍ଗଲ ଜମି ତ ଆଉ କୋଉଠି ପାହାଡ଼ି ଅପହଂଚ ଇଲାକା । ଏଭଳି ଏକ ଗାଁ ହେଉଛି ଗାଦାଡ଼ି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ଆଜି ବି ଏମିତି ଅନେକ ଗାଁ ରହିଛି,ଯୋଉଠି ବିକାଶକୁ ଆଖିଠାର ଭଳି ପ୍ରତୀତ ହୁଏ । ସେହି ସବୁ ଇଲାକାକୁ ଗଲେ ଲାଗେ,ଏବେ ବି ଏଇ ମଣିଷମାନେ ନିଜକୁ ଜଙ୍ଗଲୀ ମଣିଷର ପରିଚୟରେ କାଳାତିପାତ କରୁଛନ୍ତି । ସେହଭଳି ଏକ ଗାଁ ଉର୍ଲାଦାନୀ ପଂଚାୟତରୁ ମାତ୍ର ଦୁଇକିଲୋମିଟର ଦୂରରେ ରହିଛି ଗାଦାଡ଼ି ଗ୍ରାମ ।
ପ୍ରାୟ ୨୫/୩୦ ଆଦିବାସୀ ପରିବାରର ପାଖାପାଖି ଦୁଇଶହ ଲୋକସଂଖ୍ୟାକୁ ନେଇ ଏହି ଗାଁ । ଗାଁରେ ରହିଛି ମାତ୍ର ଗୋଟିଏ ନଳକୂପ । ଯାହାର ପାଣି ବି ଫ୍ଲୋରାଇଡ଼ ଯୁକ୍ତ ହେଇଥିବାରୁ ତାକୁ ପିଇବା ବି ମୁସ୍କିଲ ହେଇପଡ଼ୁଛି । ଫଳରେ ନିକଟରେ ବହି ଯାଇଥିବା ନଦୀ ଓ ନାଳର ପାଣି ସିଧାସଳଖ ପିଉଛନ୍ତି । ଏବେ ତ ନାଳର ପାଣି ମିଳୁଛି । କିଛି ଦିନପରେ ଏହି ନାଳର ସ୍ରୋତ ଶୁଖିଗଲେ,ନଦୀ ପାଣି ହିଁ ପିଇବାକୁ ବାଧ୍ୟ ହେବେ ଲୋକେ । ଏହି ଗାଁକୁ ଯିବାକୁ ହେଲେ ବୁଦା ଜଙ୍ଗଲ ପଡ଼େ,ଯାହା ଜଙ୍ଗଲଜମି ଅର୍ନ୍ତର୍ଭୂକ୍ତ ହେଇଥିବା କାରଣରୁ ରାସ୍ତା ନିର୍ମାଣ ହେଇପାରୁନାହିଁ । ନିକଟ ଅତୀତରେ ଗାଁଲୋକେ ମିଳିତ ଭାବରେ ନିଜ ଉଦ୍ୟମରେ ବୁଦା ସବୁକୁ କାଟି ରାସ୍ତା ତିଆରି କରିଛନ୍ତି । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଗାଁରେ ସମସ୍ତେ ମିଶି ଗାଦାଡ଼ି ବିକାଶ ପରିଷଦ ଗଠନ କରି ଗାଁ ଶେଷ ମୁଣ୍ଡରେ ବୋର୍ଡ଼ ତିଆରି କରି ସରକାରଙ୍କୁ ବିଭିନ୍ନ ବିକାଶର ଆହ୍ୱାନ ଦେଇଥିଲେ । ପରେ ନିଜେ ନିଜେ ଅଣ ଓସାରିଆ ରାସ୍ତାକୁ ଓସାର କରିବା ସହିତ ଖାଲ ଖମା ଥିବା ରାସ୍ତାକୁ ସମତଳ କରିଛନ୍ତି । ଏହି ଗାଁର ଛାତ୍ରଛାତ୍ରୀମାନେ ଶିକ୍ଷା ପାଇଁ ଉର୍ଲଦାନୀକୁ ଆସୁଥିବାବେଳେ ଜଙ୍ଗଲରାସ୍ତା ହେଇଥିବା ଫଳରେଠିକ ଭାବରେ ଏହି ଛାତ୍ରଛାତ୍ରୀମାନେ ସବୁଦିନ ବିଦ୍ୟାଳୟକୁ ଆସିପାରନ୍ତି ନାହିଁ । ଏପରିକି ଏହି ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ନଥିବାରୁ ଲୋକେ ପ୍ରାକ୍ ବିଦ୍ୟାଳୟ ସେବା ସହ ଗର୍ଭବତୀ, ପ୍ରସୂତି, କିଶୋରୀ ସ୍ୱାସ୍ଥ୍ୟ ସଂପର୍କିତ ବିଭିନ୍ନ ସେବାର ଏକ ପ୍ରକାର ବଂଚିତ ହେଉଛନ୍ତି । ସ୍ୱାସ୍ଥ୍ୟ ସେବା ପାଇବାକୁ ମଧ୍ୟ ଏହି ଗାଁ ଲୋକେ ଉର୍ଲଦାନୀକୁ ନିର୍ଭର କରନ୍ତି ସତ ହେଲେ ତାହା ବି ଠିକ ଭାବରେମିଳିପାରୁନାହଁ । ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ସହିତ ବିଭିନ୍ନ ପଂଚାୟତ ସେବା ପାଇଁ ଲୋକେ ପଂଚାୟତକୁ ଆସିବା କାଠିକର ପାଠ ହେଇପଡ଼େ । ଏମିତି ବି ଦେଖାଯାଇଛି,ଜଣେ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯାଉଥିବାବେଳେ ରାସ୍ତାରେ ପଡ଼ି ହାତ ଭାଙ୍ଗିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛ । ବିଦ୍ୟୁତ ସେବା ପାଇଁ ଟ୍ରାନ୍ସଫର୍ମର ଲାଗିଛି,ତାର ଟଣା ହେଇଛି,କିନ୍ତୁ ବିଦ୍ୟୁତ ସଂଯୋଗୀକରଣ ହେଇପାରୁନାହିଁ, ପିଡ଼ିଏସରେ ମିଳୁଥିବା କିରୋସିନି ହିଁ ଏମାନଙ୍କ ଅନ୍ଧାରକୁ କିଛି କ୍ଷଣ ଦୂର କରିବାରେ ସହାୟକ ହେଇଥାଏ । ଶିଘ୍ର ଏହି ଟ୍ରାନ୍ସଫର୍ମରକୁ ବିଦ୍ୟୁତ ସଂଯୋଗ କରିବାକୁ ଦାବୀ ହେଉଛି । ଜୀବନ ଜୀବିକା ନିର୍ବାହ କରିବାର ବିକଳ୍ପ ନଥିବା କାରଣରୁ ଏହି ଗାଁ ଲୋକେ ପଶୁପାଳନ,ଜଙ୍ଗଲଜାତ ଦ୍ରବ୍ୟ ଓ କିଛି ଲୋକେ ଋତୁ କାଳୀନ ଶସ୍ୟ ଉତ୍ସାଦନ କରି ଅର୍ଥଉପାର୍ଜନ ସହିତ ଜୀବନ ନିର୍ବାହ କରିଥାନ୍ତି । ଏଠି କୃଷି ଉତ୍ପାଦନ ପାଇଁ ବ୍ୟାପକ ସାଧନ ରହିଥିଲେ ମଧ୍ୟ ଜଳସେଚନ ଅଭାବ ଯୋଗୁଁ କୃଷିକୁ ନେଇ ଜୀବନ ନିର୍ବାହ କରିବା କଷ୍ଟକର ହେଇପଡ଼ିଛ । ଏଣୁ ଗ୍ରାମବାସୀଙ୍କ ସମ୍ମିଳିତ ଦାବି ଯେ, ଚାଉଳଧୂଆ ନଦୀର ଉପରମୁଣ୍ଡରେ ଏକ ଡ଼୍ୟାମ ନିର୍ମାଣ କରାଗଲେ ଏହି ଅଂଚଳରେ ଅନେକ ଅର୍ଥଲାଭକାରୀ ଫସଲ ଅମଳକ୍ଷମ ହେଇପାରିବ ବୋଲି ଗ୍ରାମାବାସୀ ମାନେ ଆମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ପ୍ରକାଶ କରିଥିଲେ । ତେବେ ବିଭିନ୍ନ ସମସ୍ୟାରେ ରହିଥିବା ଗାଦାଡ଼ି ଗ୍ରାମ ଓ ଗ୍ରାମବାସୀଙ୍କ ବିଭିନ୍ନ ଦାବୀ ସମୂହକୁ ପ୍ରଶାସନ ଦୃଷ୍ଟିନିକ୍ଷେପ ପୂର୍ବକ ସମାଧାନ ଦିଗରେ ଆଗେଇ ଆସିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।