ସାମ୍ବାଦିକତା ପାଇଁ ସମ୍ବର୍ଦ୍ଧିତ ହେଲେ ପ୍ରତ୍ୟାଶା ପ୍ରିୟମ୍ବଦା

● ଆଦର୍ଶ ସାମ୍ବାଦିକା ସମ୍ମାନ ଗ୍ରହଣ କଲେ ପ୍ରତ୍ୟାଶା

● ଚାରି ଜଣ ହେଲେ ସମ୍ବର୍ଦ୍ଧିତ

ବାଲେଶ୍ଵର,୧୩/୧୦,(କୃଷ୍ଣ କୁମାର ମହାନ୍ତି): ସାମ୍ବାଦିକତାରେ ନୀତି ଓ ଆଦର୍ଶ କୁ ପାଥେୟ କରି ଚାଲୁଥିବା ଯୁବ ସାମ୍ବାଦିକଙ୍କୁ ଉତ୍ସାହିତ କରୁଥିବା ଅନୁଷ୍ଠାନ ଭଦ୍ରକ ସୋସିଆଲ ସର୍ଭିସ୍ ଆଜି ସନ୍ଧ୍ୟାରେ ତାର ତୃତୀୟ ବାର୍ଷିକ ଉତ୍ସବ ପାଳନ କରିଛି। ଭଦ୍ରକ ଶହୀଦ ସ୍ମୃତି ଭବନରେ ଆୟୋଜିତ ଏହି ଉତ୍ସବରେ ବାଲେଶ୍ଵର ‘ସମ୍ବାଦ’ରେ ସିଟି ରିପୋର୍ଟର୍ ଭାବରେ କାର୍ଯ୍ୟରତ ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତିଙ୍କୁ ମାନପତ୍ର, ଉପଢୌକନ ଓ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ଏହା ବ୍ୟତୀତ ନିଶା ନିବାରଣ ପାଇଁ କାର୍ଯ୍ୟ କରୁଥିବା ଜାହୀଦ୍ ହବିବ୍ ଏବଂ ଅନ୍ୟ ଦୁଇଟି ଅନୁଷ୍ଠାନକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଉତ୍ସବରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗର ବିଧାୟକ କବି ବିଷ୍ଣୁ ସେଠୀ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାଶ ଓ ବି.ଏସ୍.ଏସ୍.ର ମାର୍ଗଦର୍ଶକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ସଞ୍ଜିତ କୁମାର ନାୟକ ମଞ୍ଚ ଆହ୍ଵାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରତ୍ୟାଶା ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟରୁ ଓଡ଼ିଆ ସମ୍ମାନରେ ଡିଷ୍ଟିଙ୍କସନ୍ ସହ ସ୍ନାତକ ଶିକ୍ଷା ସମାପ୍ତ ପରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଅଧୀନରେ ‘ସୋମାକ୍’ରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରି ‘ସମ୍ବାଦ’ ଭୁବନେଶ୍ୱର ଠାରେ ଟ୍ରେନି ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି। ସଂପ୍ରତି ସେ ‘ସମ୍ବାଦ’ର ଉତ୍ତର ଓଡିଶା ସଂସ୍କରଣରେ ନଗର ସାମ୍ବାଦିକ ଅଛନ୍ତି। ପ୍ରତ୍ୟାଶା ଗଳ୍ପ ରଚନା କରି ଓଡିଶାର ନବପିଢି ଗାଳ୍ପିକା ଭାବେ ସ୍ଵୀକୃତ। ବିଶିଷ୍ଟ ଲେଖକ କୃଷ୍ଣ କୁମାର ମହାନ୍ତି ଓ ମମତା ପ୍ରିୟଦର୍ଶିନୀଙ୍କର ସେ କନ୍ୟା ଅଟନ୍ତି।

“ସାମ୍ବାଦିକତା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହୋଇଥିବାରୁ ମୋ ଭିତରେ ଏହାକୁ ନେଇ ଏକ ଆଗ୍ରହ ଥିଲା। ବାପା ଜଣେ ଲେଖକ ହୋଇଥିବାରୁ ମୁଁ ପିଲାଦିନୁ ଏକ ସୃଜନ ବାତାବରଣରେ ବଡ ହୋଇଛି। ତେଣୁ ପ୍ରିଣ୍ଟ୍ ମିଡିଆରେ କାମ କରିବାର ଇଚ୍ଛା ଥିଲା। ଆଜି ଏ ଯେଉଁ ସମ୍ମାନ ମିଳିଲା ଏହାକୁ ନେଇ ମୁଁ ବେଶ୍ ଆନନ୍ଦିତ” ବୋଲି ପ୍ରତ୍ୟାଶା ‘ଓଡିଆ ବାର୍ତ୍ତା’କୁ କହିଛନ୍ତି।

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରନ୍ତୁ ଓ ୨୪x୭ ସବୁ ଖବର-ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.