ନିଆରା ଯାତ୍ରା ଆମପାଣି ଦଶରା

ଉପସ୍ଥାପନା: ଭାଗିରଥି ସାଗର

ନୈସର୍ଗିକ ସୌନ୍ଦର୍ଯ୍ୟରେ ବିମଣ୍ଡିତ କଳାହାଣ୍ଡି ମାଟିର ଅନନ୍ୟ ଭୂଖଣ୍ଡ ପ୍ରକୃତିରାଣୀର ସ୍ନେହମୟୀ ରାଜକୁମାରୀ ଆମପାଣି। ଶାନ୍ତ ସ୍ନିଗ୍ଧ ମନଲୋଭା ସ୍ଥାନଟିଏ। ଠିକ୍ ଦକ୍ଷିଣ ଦିଗକୁ ମୁହାଁଇ ଦେଲେ ପଡ଼େ ଆମପାଣି ଘାଟି। କେଇ କିଲୋମିଟର ଅତିକ୍ରମ କଲେ ପଡ଼ିଥାଏ ନବରଂଗପୁର ଜିଲ୍ଲା।

ପବିତ୍ର ଗାଁ ଆମପାଣିର ପ୍ରତ୍ୟେକ ମଣିଷ କଳାପ୍ରେମୀ ଏବଂ ସରଳ ବିଶ୍ୱାସୀ। ଗାଁର ଗୋଟିଏ ପାର୍ଶ୍ଵରେ ଘଞ୍ଚ ଅରଣ୍ୟ ଥିବାବେଳେ ଆରପାଖେ ମାଳମାଳ ଶସ୍ୟ କ୍ଷେତ ଏବଂ ମଡ୍ରା ନଈ । ଆମପାଣି ବନ୍ୟକୁସୁମରାଜିର ମହମହ ମହକରେ ପର୍ଯ୍ୟଟକଙ୍କ ମନ ଓ ହୃଦୟକୁ ଚୋରି କରିନିଏ। ଯିଏ ଥରେ ଏହି ମହାନ ମାଟିରେ ପାଦ ଦେଇଛି, ଜୀବନ ଥିବା ଯାଏଁ ଗୁଞ୍ଜରଣ କରି ଉଠୁଥିବ ପଲ୍ଲୀ ପରିବେଶ, ଆମପାଣିର ସୁନ୍ଦରତା, ଗାରିମା ଓ କିର୍ତ୍ତୀଗୁଡ଼ିକ।

ଏ ମାଟିରେ ବରଷକୁ ଥରେ ପାଳିତ ହୁଏ ଏଠାକାର ଅଧିଷ୍ଠାତା ଠାକୁର ମଂଗଳମୟ ଆଶିଷ ପ୍ରଦାୟକ, ବିଘ୍ନନାଶକ ଦେବ ଶ୍ରୀ ଶ୍ରୀ ବୁଢ଼ାରଜାଙ୍କ ଯାତ୍ରା। ଏ ଯାତ୍ରାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସୁଅ ଛୁଟିବା ସହ ନବରଂଗପୁର, କୋରାପୁଟ, ରାୟଗଡ଼ା, ନୂଆପଡ଼ା,ବଲାଙ୍ଗିର ତଥା ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲା ତଥା ଛତିଶଗଡ଼ରୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗୁଥାଏ।

ଘାଟି ଚଢୁଥିବା ଶହଶହ ଯାତ୍ରୀ ଶୁଭ ମନାସିଥାନ୍ତି। ଘାଟିତଳେ ହିଁ ବୁଢ଼ାରଜା ଦେବତାଙ୍କ ମନ୍ଦିର ଅବସ୍ଥିତ। ଦଶରା ଯାତ୍ରା ଦିନ ପ୍ରବଳ ଭିଡ଼ ହୋଇଥାଏ। ବିଭିନ୍ନ ସ୍ଥାନରୁ ବିକାଳିଙ୍କ ସୁଅ ଛୁଟେ। ଘରକରଣା ଜିନିଷ ସହ ଖାଇବା ପାଇଁ ସୁସ୍ୱାଦୁ ଖାଦ୍ୟ ମିଳିଥାଏ। ମୀନାବଜାରରେ ମଧ୍ୟ ଦର୍ଶକଙ୍କ ଭିଡ଼ ଲାଗିଥାଏ। ଶ୍ରଦ୍ଧାଳୁ ଆନନ୍ଦର ପରବକୁ ଉପଭୋଗ କରିଥାନ୍ତି।

ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥାଏ ସାଂସ୍କୃତିକ କାର୍ଯ୍ୟକ୍ରମ ବୁଢ଼ାରଜା ମଂଚରେ। ଏଥିରେ ଘୁମୁରା, ଢାପ୍, ବଜାସାଲ୍, ବନାବାଡ଼ି, ଘୁଡକା ନାଚ ସ୍ଥାନ ପାଇଥାଏ। ବିଭିନ୍ନ ଲୁକ୍କାୟିତ ପ୍ରତିଭାଙ୍କୁ ଏ ମଂଚ ଆବିଷ୍କାର କରି ସମ୍ମାନିତ କରେ। ଭାଇଚାରା ସୃଷ୍ଟି କରିଥିବା ନିଆରା ମଂଚ ଏ ବୁଢ଼ାରଜା ମଂଚ।

ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କଳାକାର, ସମାଜସେବକ, ସାମ୍ବାଦିକ, ଲେଖକ, ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ଏହି ମଂଚ ସମ୍ମାତିତ କରିଥାଏ। ରାତି ଟିକିଏ ବଢ଼ିଗଲେ ବିଭିନ୍ନ ପ୍ରାନ୍ତରୁ ସ୍ୱେଚ୍ଛାକୃତ ଭାବେ ଆସିଥିବା ନାଟକ ଦଳଗୁଡ଼ିକର ପ୍ରତିଯୋଗିତା ହୋଇଥାଏ।

ହଜାର ହଜାର ଲୋକଙ୍କ ସମାଗମରେ ସତେ ଯେପରି ଜଙ୍ଗଲ ତଳେ ଗୋଟେ ମନୋଜ୍ଞ ହ୍ରଦ ବିରାଜିତ ଭଳି ଜଣାପଡ଼େ। ଚାରିଆଡ଼େ ଚିକମିକ୍ ଆଲୋକରେ ଆମପାଣି ସଜେଇ ହୋଇଥାଏ। ପ୍ରଭୁ ଦର୍ଶକଙ୍କୁ ଆର୍ଶୀବାଦ ଦେବା ପାଇଁ ଉତ୍କଣ୍ଠା ସହ ଅପେକ୍ଷା କରିଥାନ୍ତି। ଆଉ ଆମପାଣି ତା’ ମୁରୁକି ମୁରୁକି ହସର ମାଧୁର୍ଯ୍ୟରେ ଦର୍ଶକଙ୍କୁ ଅଭିବାଦନ ଜଣାଉଥାଏ। ଠିକ୍ ତା ହୃଦୟଦେଶରୁ ବାରି ହୋଇପଡୁଥାଏ, ତା ଗାମ୍ଭୀର୍ଯ୍ୟ ସ୍ୱରର ବଳିଷ୍ଠ ଆର୍ତ୍ତନାଦ, ‘ନା’ ‘ବା’ ‘ମୋ’ ଭକ୍ତ।

ମୋ: 9337624899

ଫଟୋ ସୌଜନ୍ୟ: ଫେସବୁକ

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.