ରାୟଗଡ,୨୦/୧୦ : ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା ଗୃହରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଏହି ବୈଠକରେ ଅଧ୍ୟକ୍ଷତା କରି କହିଲେ ଏହି ଦିବସ ପାଳନ ତଳ ସ୍ତରରୁ ଗୋଷ୍ଠୀକୁ ନେଇ ପାଳନ କଲେ ଲୋକେ ସଚେତନତା ହେବେ ଏବଂ ପ୍ରସ୍ତୁତି ରହିବେ । ଯାହାଫଳରେ ବିପର୍ଯ୍ୟୟ କ୍ଷୟକ୍ଷତିକୁ ଏଡାଇ ଦିଆଯାଇ ପାରିବ । ବୈଠକରେ ଅତିିରିକ୍ତ ଜିଲ୍ଳାପାଳ ସୁଧାକର ଶବର ଏହି ଦିବସକୁ ପାଳନ ପାଇଁ କାର୍ଯ୍ୟସୂଚୀକୁ ଉପସ୍ଥାପନା କରିଥିଲେ ।

ଜନସଚେତନତା ପାଇଁ ଶୋଭାଯାତ୍ରା ସ୍ଥାନୀୟ ଗଜପତି ଛକରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିବ ଏବଂ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଆୟୋଜନ ପାଇଁ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏତତ୍ ବ୍ୟତିତ ଏହି ବର୍ଷ ଜିଲ୍ଳାର ପ୍ରତ୍ୟେକ ବ୍ଳକରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନଙ୍କୁ ଜିଲ୍ଳାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପିଏ-ଆଇଟିଡିଏ ଟୁକୁ ବାରିକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଶୋକ କୁମାର ସାହୁଙ୍କ ସମେତ ବିଭିନ୍ନ ବ୍ଳକର ବିଡିଓ, ତହସିଲଦାର ଓ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in






