ସାମାଜିକ ଏକତା ଓ ଭ୍ରାତୃଭାଵ ସୃଷ୍ଟିହେଲେ ଏକ ନୂଆ ଇତିହାସ ଲେଖାହେବ

ବଡ଼ଚିଚିଙ୍ଗ ଠାରେ ଜିଲ୍ଲାସ୍ତରୀୟ ଡମ୍ ସମାବେଶ ଓ ନୂଆଖାଇ ଭେଟଘାଟ

କଳାହାଣ୍ଡି,୨୨/୧୦ : The Great Dom Casteର ସ୍ବର୍ଣ୍ଣିମ ଅଧ୍ୟାୟ ଥିବାବେଳେ ଏହାର ଗୌରବୋଜ୍ଜଳ ଅତିତକୁ ଦଳି ମକଚି ଇତିହାସର ଅନ୍ଧ ଅର୍ଗଳିକୁ ଫୋପାଡି ଦିଆ ଯାଇଛି । ଗାନ୍ଧର୍ବ କଳାରେ ନିପୁଣ ତଥା ବିଶ୍ବ ଭାତୃତ୍ବର ବାର୍ତ୍ତା ପ୍ରଦାନକରାରୀ ଏହି ମହାନ ଜାତିକୁ ଅସ୍ପୃଶ୍ୟତାର ଅଳଙ୍କାରରେ ଆଚ୍ଛାଦିତ କରି ଏହାର ମହନୀୟତାକୁ ନ୍ୟୁନ କରି ଦିଆଗଲା । ଶହ ଶହ ବର୍ଷ ଧରି ଏହି ଜାତିର ଐତିହ୍ୟ ପରମ୍ପରା, କଳା ସଂସ୍କୃତି ଉପରେ ହିନ ମାନ୍ୟତାର ପ୍ରଳେପ ବୋଳା ଯାଇଛି, କିନ୍ତୁ ସଂର୍ଘଷମୟ ସ୍ଥିତିରେବି ଡମ୍ ଜାତି ହାର ମାନିବା ସିଖି ନାହିଁ । ପୂର୍ବ ପୂରୂଷଙ୍କ ଅସ୍ଥି ମଜ୍ଜାରେ ପ୍ରବାହିତ ହେଉଥିବା ଗାରିମାରେ ଆଜିବି ଏହି ଜାତି ଗରିୟନ ହୋଇଛି । କିନ୍ତୁ ଅନ୍ୟମାନଙ୍କ ହୀନ ପ୍ରରୋଚନାର ବଶବର୍ତ୍ତୀ ହୋଇ ଏ ଜାତି ନିଜର ପୂର୍ବ ଗୌରବକୁ ଭୁଲିଯାଇଛି । ଅତିତର ପୃଷ୍ଠଭୂମିକୁ ଫେରିବାକୁ ହେଲେ ଜାଗ୍ରତ ହେବାକୁ ପଡିବ । ଭାତୃଭାବର ଧାରାକୁ ତେଜିଆନ କରିବାକୁ ହେବ । ସାମାଜିକ କୁସଂସ୍କାରରୁ ମୁକ୍ତ ହୋଇ ସମସ୍ତଙ୍କୁ ନେଇ ଆଗେଇ ଚାଲିବାକୁ ହେବ । ହିନମାନ୍ୟତାର ବେଡି ଛିଣ୍ଡାଇ ଇତିହାସର ଅତଳ ଗହ୍ବରରୁ ନିଜର ହୃତ ଗୌରବକୁ ଫେରାଇ ଆଣିବାକୁ ପଡିବ । ଯଦି ଏପରି ହୁଏ ତେବେ ଇତିହାସ କଡ ଲେଉଟାଇବାକୁ ବାଦ୍ଧ୍ୟ ହେବ । ଆଜି ଏ ଜାତିର ଲୋକେ ଏକ ସ୍ବର୍ଣ୍ଣିମ ଭବିଷ୍ୟତ ଲେଖିବା ଦିଗରେ ଅଗ୍ରସର ହେଲେଣି । ଡମ୍ ଜାତିର ଭାଇଭଉଣୀମାନଙ୍କ ମଧ୍ୟରେ ସାମାଜିକ ଏକତା ଓ ଭାତ୍ରୁଭାବ ସୃଷ୍ଟିହେଲେ ସମଗ୍ର ମାନବ ସମାଜର ଏକ ନୂଆ ଇତିହାସ ଲେଖାହେବ ବୋଲି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶାନ୍ତପୁର ଗ୍ରାମ ପଞ୍ଚାୟତ ବଡ଼ଚିଚିଙ୍ଗଠାରେ ଜିଲ୍ଲାସ୍ତରୀୟ ଡମ୍ ସମାବେଶ ଓ ନୂଆଖାଇ ଭେଟଘାଟରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଆଞ୍ଚଳିକ ଡମ୍ ସମାଜ ଦ୍ୱାରା ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟଅତିଥି ଭାବେ ଶାନ୍ତପୁର ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଗିରିଜା ବେହେରା ଯୋଗଦେଇ ‘ଡମ୍ ସମାଜର ପୁନରୁତ୍ଥାନ’ ଶୀର୍ଷକ ଏକ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ରଘୁନାଥ ଦୀପ, ଲୋକକଳାକାର ନରୋତ୍ତମ କରୁଆଁ, ଭ୍ରମରବର ନାଗ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୌତୁକ ଖମାରୀ, ନିର୍ମଳ ଦୀପ, ଯୁବଲେଖକ ଓ ସମାଜସେବୀ ସୁଶୀଲ କୁମାର ବାଗ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ ସମାବେଶ ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଶିଷ୍ଟ ମଞ୍ଚ ସଂଚାଳକ ଗୋପାଳଦାସ ମହାନନ୍ଦ । ଆଞ୍ଚଳିକ ଡମ୍ ସମାଜର ସଭାପତି ବଳରାମ ହରପାଲ, ସଂପାଦକ ମୂରଲୀ ସୁନା, ବଡଚିଚିଙ୍ଗ ୱାର୍ଡସଭ୍ୟ ସଦାନନ୍ଦ ବାଗ, ସମାଜସେବୀ ସୁରେଶ ତାଣ୍ଡି, ବିଦେଶୀ ହରପାଲ, ନିରଞ୍ଜନ ସୁନା, ସଞ୍ଜୟ ବାଗ, ଅର୍ଚ୍ଚୁ କରୁଆଁ, ଭୁଜ ଦୁର୍ଗା, ଦୁଲମଣି ବାଗ, ଅର୍ଜୁନ ଦୁର୍ଗା, ଟିକେଲାଲ ବେନୁଆଁଙ୍କ ନେତୃତ୍ୱରେ ଆୟୋଜିତ ସମାବେଶ ଓ ନୂଆଖାଇ ଭେଟଘାଟକୁ ବଡଚିଚିଙ୍ଗ ଡମ୍ପଡାବାସୀଙ୍କ ସମେତ ଶାନ୍ତପୁର ଗ୍ରା.ପ.ର ବିଭିନ୍ନ ଗାଁର ଲୋକେ ସହଯୋଗ କରିଥିଲେ । ସମାବେଶ ପୂର୍ବରୁ ଗାଁର ଧରଣୀ ଓ ଗବଡା ଦେବୀଙ୍କଠାରେ ପୂଜାର୍ଚ୍ଚନା ପରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା ସହ ସଭାସ୍ଥଳରେ ପହଞ୍ଚିଥିଲା । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ କାର୍ଯ୍ୟକ୍ରମ ଶେଷରେ ବଜାଶାଲ ପରିବେଷଣ ସହିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା 

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.