ବ୍ଳକ ପ୍ରଶାସନର ଉଦାସୀନତା ପାଇଁ ଗ୍ରାମବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା
ରାୟଗଡ,୨୨/୧୦ : ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଛୁଆ ଜିଲ୍ଳାର ବିକାଶ ଗଣତିରେ ମଧ୍ୟ ସ୍ଥାନ ପାଇଛି । କୋଟି କୋଟି ଅନୁଦାନ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଅନେକ ଯୋଜନାରେ ଭେଟି ଦେଉଛନ୍ତି ଉଭୟ ସରକାର । ତେବେ ଜିଲ୍ଳାର ଅନେକ ଗ୍ରାମକୁ ଏବେ ମଧ୍ୟ ଗମନାଗମନର ସୁବିଧା ନ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ହେବା ସହ ଅଭିଶପ୍ତ ଜୀବନ ବିତାଉଛନ୍ତି ଅଂଚଳବାସୀ । ଏପରି ଏକ ଗ୍ରାମକୁ ଗମନାଗମନ ପାଇଁ ପକ୍କାରାସ୍ତାଟିଏ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଦୈନନ୍ଦିନ ଭୋଗୁଛନ୍ତି । ରାୟଗଡ ଜିଲ୍ଳା କାଶିପୁର ବ୍ଳକ ସୁଙ୍ଗେର ଗ୍ରାମ ପଂଚାୟତ ଅଧୀନସ୍ଥ ଆଲିଗୁନା ଗ୍ରାମ । ତେବେ ଏହି ଗ୍ରାମକୁ ଯିବା ପାଇଁ ଦୀର୍ଘ ବର୍ଷ ଧରି ପକ୍କା ରାସ୍ତାଟିଏ ନଥିବାରୁ ଏଠାକାର ଗ୍ରାମବାସୀମାନେ ଦୁର୍ଦ୍ଦିନ ଅବସ୍ଥାରେ ଜୀବନ କାଳାତିପାତ କରୁଛନ୍ତି । ଗ୍ରାମରେ ରହୁଛନ୍ତି ୬୦ଟି ପରିବାର । ବନ୍ତେଜି ଗ୍ରାମ ଠାରୁ ଆଲିଗୁନା ଗ୍ରାମକୁ ସଂଯୋଗ କରୁଥିବା ଦୀର୍ଘ ୨କିଲୋମିଟର ରାସ୍ତା ଏବେ ଦୟନୀୟ ଅବସ୍ଥାରେ ପଡି ରହିଛି ।
ନୂତନ ରାସ୍ତା ନିର୍ମାଣ ପାଇଁ ବ୍ଳକ ପ୍ରଶାସନ ତଥା ରାଜନୈତିକ ନେତାମାନଙ୍କ ପାଖେ ଦାବି କରୁଆସୁଥିଲେ ମଧ୍ୟ ଏମାନଙ୍କର ଉଦାସୀନତା ଗ୍ରାମବାସୀଙ୍କ ପାଇଁ ସମସ୍ୟାର ପାହାଡ ସୃଷ୍ଟି କରୁଛି । ବନ୍ତେଜି ଓ ଆଲିଗୁନା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମଝିରେ ପ୍ରବାହିତ ହେଉଛି ବନ୍ତେଜୀ ନଦୀ । ଏହି ନଦୀ କଡ ଦେଇ ଗାକୁ ଯିବା ପାଇଁ କରାଯାଇଛି ରାସ୍ତା । ହେଲେ ନଦୀରେ ପାଣି ବଢିଲେ ଧୋଇ ହୋଇଯାଉଛି ନିର୍ମାଣଧୀନ ରାସ୍ତା । ଉଠିପଡୁଛି ମାଟି, ଫଳରେ ଖାଲଖମା ଓ ବଡ ବଡ ପଥର ପଡି ରହୁଛି । ଯାହାକି ଚାଲି ଯିବାକୁ ମଧ୍ୟ କଷ୍ଟକର ହୋଇପଡୁଛି । ବିଶେଷ କରି ବର୍ଷା ଦିନେ ଏହି ରାସ୍ତା ନଦୀର ବନ୍ୟା ପାଣିରେ ବୁଡି ଯାଉଥିବାରୁ ଏକ ବିଚ୍ଛିନ୍ନା ଅଂଚଳ ଭାବେ ରହିଯାଇଥାଏ ଏହି ଗ୍ରାମ ।
ସ୍ୱାସ୍ଥ୍ୟ ସେବା ଏହି ଗ୍ରାମକୁ ଅପଂହଚ । ରାସ୍ତା ନ ଥିବାରୁ ଜରୁରୀକାଳୀନ ସେବା ଯୋଗାଉଥିବା ୧୦୮ କି ୧୦୨ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରେ ନାହିଁ । ଫଳରେ ଖଟିଆ, ଭାର ଆଦି କରି ଗ୍ରାମବାସୀମାନେ ରୋଗୀ ଓ ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧବୃଦ୍ଧାମାନଙ୍କୁ ନେବା ଆଣିବା କରିଥାନ୍ତି । ବିକାଶର ଡିଣ୍ଡିମ ପିଟୁଥିବା ଶାସକ ଦଳ ପାଇଁ ଏହି ଗ୍ରାମକୁ ରାସ୍ତା ସତେ ଯେପରି ଆବଶ୍ୟକତା ଲାଗେ ନାହିଁ । ଗ୍ରାମର ହିତାଧିକାରୀମାନେ ସୁଙ୍ଗେର ଗ୍ରାମପଂଚାୟତକୁ ମାସକୁ ମିଳୁଥିବା ପିଡିଏସ ବ୍ୟବସ୍ଥାର ସାମଗ୍ରୀ ଆଣିବାକୁ ଯାଇ ହଇରାଣ ହରକତ ହେଉଛନ୍ତି । ବର୍ଷ ତମାମ ଏପରି ରାସ୍ତାରେ ଦୟନୀୟ ଅବସ୍ଥାରେ ଗ୍ରାମବାସୀମାନେ ଯାତାୟାତ କରୁଥିଲେ ମଧ୍ୟ ବ୍ଳକ ଓ ଜିଲ୍ଳା ପ୍ରଶାସନ ତଥା ରାଜନୈତିକ ନେତାମାନେ ସବୁ ଜାଣି ଚୁପ ହୋଇ ବସି ରହୁଛନ୍ତି । ବନ୍ତେଜି ଠାରୁ ଆଲିଗୁନା ଗ୍ରାମକୁ ଏକ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଦାବି କରିଛନ୍ତି ଅଂଚଳବାସୀ ।