ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ପ୍ରତିଷ୍ଠିତ କିଟ୍ ଓ କିସ୍ ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବେ ଛିଡା ହୋଇ ଓଡିଶା, ଭାରତ କାହିଁକି ସାରା ପୃଥିବୀରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି । ଜନଜାତିର ଶିଶୁ ମାନଙ୍କୁ ନୂଆ ଦିଶା ଦେଖାଇ ସେମାନଙ୍କ ଭବିଷ୍ୟତ ନିର୍ମାଣ କରୁଥିବା କିସ୍ ଶିକ୍ଷାନୁଷ୍ଠାନ ଦ୍ବାରା ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହେଉଛନ୍ତି । ଏହି କ୍ରମରେ ବାରିଝୋଲା ଠାରେ ଥିବା ସ୍ଥାନୀୟ ଜୁପିଟର ବିଦ୍ୟାଳୟରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରାୟଗଡ,୨୩/୧୦ (ଶିବ ନାରାୟଣ ଗୌଡ) : ରାୟଗଡ ଜିଲ୍ଳା ସଦର ମହକୁମା ଉପକଣ୍ଠ ବାରିଝୋଲା ଠାରେ ଥିବା ସ୍ଥାନୀୟ ଜୁପିଟର ବିଦ୍ୟାଳୟରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ କାର୍ଯ୍ୟକ୍ରମଟି କିଟ୍ ଓ କିସ ସଂସ୍ଥା ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଳା ଏସ.ପି.ଡଃ.ସର୍ବଣା ବିବେକ ଏମ.ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ତଥା ସ୍ଥାୟୀ ଲୋକ ଅଦାଲତର ସଭ୍ୟ ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଏବଂ ଅନ୍ୟତମ ଅତିଥି ଭାବେ ଜୁପିଟର ବିଦ୍ୟାଳୟର ନିର୍ଦ୍ଦେଶକ ଗୋବିନ୍ଦ ରଥ, କଳିଙ୍ଗ ଟିଭିର ପ୍ରତିନିଧି ଅମୂଲ୍ୟରତ୍ନ ସାହୁ ଓ ଜୁପିଟର ବିଦ୍ୟାଳୟର ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ । କିସ ଅନୁଷ୍ଠାନ ମାଧ୍ୟମରେ ଆଦିବାସୀ ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ଆଣିବାରେ ଗତ ୨୭ବର୍ଷ ଧରି ଚାଲିଥିବା ପ୍ରଚେଷ୍ଠାକୁ ସମସ୍ତେ ସାଧୁବାଦ ଓ କୃତଜ୍ଞତା ଜଣାଇଥିବା ବେଳେ ଶିକ୍ଷା ଆମର ଓ ଏହାଦ୍ୱାରା ସମାଜରେ କିପରି ପରିବର୍ତନ ଅଣାଯାଇ ପାରିବ ଏବଂ ଶିକ୍ଷା ସମସ୍ତଙ୍କ ପାଇଁ କେତେ ଜରୁରୀ ସେ ବିଷୟରେ ସମସ୍ତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ କୁଲି ଗ୍ରାମ ପଂଚାୟତର ସରପଂଚ ତଥା ଅନୁଷ୍ଠାନର ପୁରାତନ ଛାତ୍ର ହରପ୍ରସାଦ ହେପ୍ରୁକା ଶିକ୍ଷା ମାଧ୍ୟମରେ କିପରି ଜୀବନ ପରିବର୍ତନ ହୋଇଥାଏ ନିଜ ଅନୁଭୂତିଟି ପ୍ରକାଶ କରିଥିଲେ । କିସ’ର ଜିଲ୍ଳା ସଂଯୋଜକ ରନିତ୍ ଶବର ଧନ୍ୟବାଦ ଅର୍ପଣ କରିଥିଲେ ।






