ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ଅଧିକ ବାଧୁଛି ପରିବା କିଣା
ସୋନପୁର,୫/୧୧ : ହୁ ହୁ ହୋଇ ବଢି ଚାଲିଛି ପରିବାଦର । ଅସାଧୁ ବ୍ୟବସାୟୀ ପରିବାବିକି ମାଲାମାଲ ହେଇଥିବାବେଳେ କାନ୍ଦୁଛନ୍ତି ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକ । ପରିବା ବଜାର ଭିତରକୁ ପସିବାବି ଡର ହୋଇଗଲାଣି । ଟଙ୍କା ୫୦୦ରେ ବି ପୁରୁନି ମୁଣା । ଏହା ସାରା ଓଡିଶାର ଚିତ୍ର ହୋଅଥିବାବେଳେ ସୋନପୁରରେ ବି ସମାନ ଅବସ୍ଥା । କୌଣସି ପନିପରିବା ଦର ଏବେ କିଲୋ ପିଛା ୫୦ ଟଙ୍କା ତଳକୁ ନାହିଁ । ଗୋଟିଏ ଗୋଟିଏ ପରିବା ୧୦୦ ଛୁଇଁଲାଣି । ଅଦା ରସୁଣ ଦର ନ କହିଲେ ଭଲ । ରସୁଣ ୨୦୦ ଟଙ୍କା ଟପିଥିବା ବେଳେ ଅଦା ୧୫୦ ଟପିଲାଣି । ଏହି ପରିସ୍ଥିତି ଗୃହିଣୀମାନଙ୍କୁ ବେଶ ବାଧିଛି । ସେମାନେ ଏବେ ମୁଣ୍ଡରେ ହାତ ଦେଇ ବସିଲେଣି । ବଜାରରେ ଯଦି ପରିବା ଦର ଏତେ ତେବେ ପରିବାର ଲୋକେ କ’ଣ ଖାଇବେ । ପରିବାର ଦର ଅଧିକ ହେଲେ ଲୋକେ ଅଣ୍ଡା କିମ୍ବା ଆମିଷ ଦ୍ରବ୍ୟ ପ୍ରତି ବେଶି ଆଗ୍ରହ ପ୍ରକାଶ କରନ୍ତି । ହେଲେ ଏବେ କାର୍ତ୍ତିକ ଚାଲୁଥିବାରୁ ଅନେକଙ୍କ ଘରେ ଆମିଷ ପଶୁ ନାହିଁ । ତେଣୁ ପନିପରିବାର ସ୍ଥାନ ଆମିଷ ମଧ୍ୟ ନେଇ ପାରୁ ନାହିଁ । ଗୃହିଣୀମାନେ ଏବେ ଦୋଛକିରେ ପହଞ୍ଚିଛନ୍ତି । ଗୋଟେ ପଟେ ପରିବାରେ ହାତ ମାରି ହେଉନି । ଅନ୍ୟ ପଟେ ଆମିଷ କିଣି ଖାଇବାରେ ମନ ପାପ ଛୁଉଁଛି । ଏହିଭଳି ପରିସ୍ଥିତି ସେମାନଙ୍କୁ ଏକ ସଙ୍ଗୀନ ମାନସିକତାରେ ପକାଇଛି ବୋଲି ଅନେକ ଗୃହିଣୀ ମତବ୍ୟକ୍ତ କରିଛନ୍ତି ।
କେଉଁ ପରିବା ଦର କେତେ
ଆଳୁ ୨୫, ପିଆଜ ୬୦, ବିଲାତି ୪୦, ବାଇଗଣ ୪୦, ଟୋମାଟୋ ୪୦, ବିନସ ୫୦, ପୋଟଳ ୬୦, ଝୁଡଙ୍ଗ ୭୦, ବନ୍ଧାକୋବି ୩୦/୪୦, ଫୁଲକୋବି ୬୦, ଅଦା ୧୫୦, ଗାଜର ୬୦, କ୍ୟାପସିକମ ୧୦୦, କଖାରୁ ୩୦, ଭେଣ୍ଡି ୬୦, ସାରୁ ୪୦, ମାଟି ଆଳୁ ୬୦, କନ୍ଦମୂଳ ୪୦ ।
କାର୍ତ୍ତିକ ପାଇଁ ଚଢ଼ା ଦର
ଡେଲି ମାର୍କେଟ୍ର ବ୍ୟବସାୟୀ ମାନେ କହିଛନ୍ତି, କାର୍ତ୍ତିକ ପାଇଁ ଏହି ରି ଦର ହୋଇଛି । କାରଣ କାର୍ତ୍ତିକରେ ଅଧିକାଂଶ ଲୋକ ଆମିଷ ଖାଆନ୍ତି ନାହିଁ । ତେଣୁ ସେମାନେ ଅଧିକ ପରିମାଣର ପନିପରିବା ଖାଆନ୍ତି । ଏହା ହେଉଛି ଏକ ମୁଖ୍ୟ କାରଣ ଯେଉଁଥି ପାଇଁ ପନି ପରିବା ଏତେ ଅଧିକ ଦର ହୋଇଛି । କାର୍ତ୍ତିକ ଶେଷ ହୋଇଗଲେ ଦର ଆପେ କମିଯିବ । ଫଳରେ ଲୋକେ ପୂର୍ବରୁ ଯେଭଳି ଭାବେ ପନିରିବା କିଣି ଖାଉଥିଲେ ସେପରି କିଣି ପାରିବେ । ଦୋକାନୀ ଏଭଳି ଚଢ଼ା ଦର କରିଛନ୍ତି କି ପଚାରିବାରୁ ସେ କହିଲେ, ଆମେ ଯେମିତି ଚଢା ଦର ଦେଇ କିଣୁଛୁ ସେହି ଦରରୁ କିଲୋ ପିଛା ୫/୬ ଟଙ୍କା ଲାଭ ରଖି ବିକ୍ରି କରୁଛୁ । ଏବେ କିନ୍ତୁ ବିକ୍ରି ପୂର୍ବ ଭଳି ହେଉ ନାହିଁ । ତେଣୁ ଆମର ଲାଭ ପରି ମାଣ ମଧ୍ୟ ଆଶାତୀତ ହେଉ ନାହିଁ ।
ପ୍ରଶାସନ ନିରବଦ୍ରଷ୍ଟା
ପରିବା ଦର ରୋଷେଇ ଘର ଉପରେ ପାହାର ପକାଉଥିଲେ ବି ଜିଲା ପ୍ରଶାସନ ଏପରିକି ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଛି ବୋଲି ଗ୍ରାହକମାନେ ଅଭିଯୋଗ କରିଛନ୍ତି । ପରିବା କିଣିବାକୁ ଆସିଥିବା କିଛି ଖାଉଟି କହିଛନ୍ତି, ଆମେ ଆଜ୍ଞା ଆଜୀବନ ନିରାମିଶାଷୀ । ହେଲେ ଏବେ ପରିବା ଦର ଆକାଶଛୁଆଁ ହୋଇଛି । ଫଳରେ ଆମକୁ ଅଧିକ ବାଧୁଛି । ବାଧ୍ୟହୋଇ ଆମେ ଯେତିକି ଆବଶ୍ୟକତା ରହିଛି ତାହାଠାରୁ କମ ପରିମାଣର ପନିରିବା ପ୍ରତିଦିନ କିଣୁଛୁ । ଅନ୍ୟ ଜଣେ ଗ୍ରାହକ କହିଛନ୍ତି, ପ୍ରଶାସନ ଏ କ୍ଷେତ୍ରରେ କାହିଁକି ନିରବଦ୍ରଷ୍ଟା ସାଜୁଛି । ପ୍ରଶାସନ ଚାହିଁଲେ ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କୁ ପନିପରିବା ଉଚିତ ମୂଲ୍ୟରେ ଯୋଗାଇ ଦେଇହେବ । ହେଲେ ପ୍ରଶାସନ ନିରବ ରହୁଥିବାରୁ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି ବୋଲି ସେ କହିଛନ୍ତି ।