ବୁଲବୁଲ୍ ପ୍ରଭାବିତ କଲା ବାଲେଶ୍ଵର ଓ ଭଦ୍ରକର ଜନଜୀବନକୁ : ଚାନ୍ଦିପୁର ଉପକୂଳରେ ପବନର ବେଗ ବଢୁଛି

● ସହରର ଅନେକ ସ୍ଥାନରେ ଉପୁଡି ପଡିଛି ଗଛ ଓ ସାଇନବୋର୍ଡ

ବାଲେଶ୍ଵର,୯/୧୧(କୃଷ୍ଣ କୁମାର ମହାନ୍ତି): ବୁଲବୁଲ୍ ପ୍ରଭାବ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ପବନର ବେଗ ବୃଦ୍ଧି ପାଇବା ଫଳରେ ସହରର ସ୍ଥାନେ ସ୍ଥାନେ ବଡ ବଡ ଗଛ ଉପୁଡି ପଡିବା ସହ କେତେକ ଦୋକାଘରର ସାଇନବୋର୍ଡ ସବୁ ଉଡେଇ ନେଇଛି। ଚାନ୍ଦିପୁର ଉପକୂଳ ଏରିଆରେ ମଧ୍ୟ ଦିନ ୧୨ ଟାରୁ ୧ଟା ଭିତରେ ଜୋର୍ ରେ ପବନ ବହିବା ଯୋଗୁ ବଡ ଗଛ ପାନ୍ଥନିବାସ ରାସ୍ତାରେ ଉପଙଡି ପଡିଥିବାର ସୂଚନା ଅଛି। ତେବେ କେହି ମୃତାହତ ହେବାର ଖବର ନାହିଁ।

 

ସହରରେ ସକାଳ ପହରୁ ଲଗାଣ ବର୍ଷା ଫଳରେ ଜୀବନଯାତ୍ରା ଠପ୍ ହୋଇଯାଇଥିବା ବେଳେ ଦୋକାନବଜାର ପ୍ରାୟ ବନ୍ଦ ରହିଥିବା ଦେଖାଦେଇଛି।

ଜିଲ୍ଲାର ବାଲିଆପାଳ, ତାଳସାରୀ ପ୍ରଭୃତି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଶାସନ ସଜାଗ ଅଛି। ବାଲିଆପାଳରେ ଗଛ ଉପୁଡିଥିବାର ଖବର ମିଳିଛି। ତଦନୁସାରେ ଗଛ କଟାଯାଇ ରାସ୍ତା ଅବରୋଧକୁ ତୁରନ୍ତ ସଫା କରାଯିବା କାର୍ଯ୍ୟ ଚାଲିଛି। ବିଦ୍ୟୁତ ସରାବରାହ ଗ୍ରାମାଞ୍ଚଳରେ ବନ୍ଦ ରହିଛି। ସହରାଞ୍ଚଳରେ ବିଦ୍ୟୁତ ଯୋଗାଣ ଚାଲୁ ରହିଛି। ଯଦିଓ ମଝିରେ ମଝିରେ ପାଓ୍ଵାରକଟ୍ ହେଉଛି।

ବାଲେଶ୍ଵରରେ ୪୧.୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ସହରର ଖାଲୁଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ମତ୍ସ୍ୟଜୀବୀମାନଙ୍କୁ ତଳିଆ ଅଞ୍ଚଳରୁ ଅଣାଯାଇ ବାତ୍ୟା ଆଶ୍ରୟସ୍ଥଳିରେ ରଖାଯାଇଛି। ପ୍ରାୟ ୯୭୦ ପରିବାର ଏବେ ବାତ୍ୟା ଆଶ୍ରୟସ୍ଥଳିରେ ରହୁଛନ୍ତି ଓ ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା ମଧ୍ୟ ହୋଇଛି।

ସହରର କେତୋଟି ମୁଖ୍ୟ ସଡକ ଉପରେ ଗଛ ଉପୁଡି ପଡିଥିବାରୁ ଯାତାୟାତ ଅସୁବିଧା ହେଉଛି। କେତୋଟି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଢଳି ପଡିବା କାରଣରୁ ବିଦ୍ୟୁତ୍ କାଟ୍ ହୋଇଛି। ତେବେ ଅସୁବିଧା ଥିବା ଜାଗାରେ ତୁରନ୍ତ ଏନ୍.ଡି.ଆର୍.ଏଫ୍. ଦଳ ପହଞ୍ଚି ସ୍ଥିତିକୁ ସାମାନ୍ୟ କରୁଛନ୍ତି।

ବୁଲବୁଲ୍ ପ୍ରଭାବରେ ବାଲେଶ୍ଵର ଜିଲ୍ଲା ପ୍ରଭାବିତ ହୋଇଥିଲେ ହେଁ ପରିସ୍ଥିତି ନିୟନ୍ତ୍ରାଧୀନ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.