କୁମାରସ୍ଵାମୀ ମହୋତ୍ସବ ଉଦଘାଟିତ

‘କଳା, ସଂସ୍କୃତି ଓ ଐତିହ୍ୟର ବିକାଶରେ ଦେବଗିରି ମାଟିର ଭୂମିକା ଅନନ୍ୟ’

କଳାହାଣ୍ଡି,୧୦/୧୧ : ଶୈବ, ଶାକ୍ତ ଓ ବୈଷ୍ଣବ ପରମ୍ପରାର ଅପୂର୍ବ ସମନ୍ଵୟ ତଥା ଐତିହାସିକ ଗୌରବଗାଥା ବହନ କରୁଥିବା ଦେବଗିରି ଓ ଏହାର ପାଦଦେଶରେ ଥିବା ବୁଢୀପଦର ଗାଁର କଳା, ସଂସ୍କୃତି ଓ ଐତିହ୍ୟ ଆଜି ବି ଜନମାନସକୁ ବିମୋହିତ କରେ। ଏ ମାଟିର ମହନୀୟ ପରମ୍ପରାର ବାର୍ତ୍ତାବହ କୁମାରସ୍ଵାମୀ ମହୋତ୍ସବ ଆଜି ୨୭ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାର ପ୍ରାଣପ୍ରତିଷ୍ଠାତା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ କେବଳ ଏକ ସାଂସ୍କୃତିକ ଅନୁଷ୍ଠାନ ନୁହେଁ ବରଂ କଳା ଓ ପ୍ରତିଭାର ବିକାଶ କରାଇବାରେ ଏହାର ଭୂମିକା ଅନନ୍ୟ। ସାଂସ୍କୃତିକ ମହାଯାତ୍ରାର ଏହି ମହାନ ଉତ୍ସବ ସମଗ୍ର ଓଡିଶାରେ କଳା ସଂସ୍କୃତି ତଥା ପ୍ରତିଭା ପୂଜାର ଏକ ଉଲ୍ଲେଖନୀୟ ପରମ୍ପରା ସୃଷ୍ଟି କରିଛି। ଏହି ସାଂସ୍କୃତିକ ଜୟଯାତ୍ରାର ଆହୁରି ପ୍ରଚାର ପ୍ରସାର କରାଯିବା ଆବଶ୍ୟକ ବୋଲି ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା କୁମାରସ୍ଵାମୀ ମହୋତ୍ସବର ଉଦଘାଟନୀ ସମାରୋହରେ ମତପ୍ରକାଶ ପାଇଛି।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଗ୍ରାମରେ ଆୟୋଜିତ ଉଦଘାଟନୀ ସମାରୋହରେ ଲାଞ୍ଜିଗଡ ପ୍ରେସ୍ କ୍ଲବର ସଭାପତି କୈଳାଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ପତାକା ଉତ୍ତୋଳନ କରି ଉତ୍ସବର ଉଦଘାଟନ କରିଥିଲେ । ଯୁବ ସମାଜସେବୀ ତଥା ଲେଖକ ସୁଶୀଲ କୁମାର ବାଗ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀଙ୍କ ପୌରୋହିତ୍ୟରେ ଯୁବ ସଂଗଠକ ଡିଲେଶ କୁମାର ନାଗ, ଅନୁଷ୍ଠାନର ପ୍ରତିଷ୍ଠାତା ଜଗନ୍ନାଥ ଧଙ୍ଗଡାମାଝୀ, ପ୍ରତିଷ୍ଠାତା ସଭାପତି ପ୍ରଦୀପ ଧଙ୍ଗଡାମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସ୍ବାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ନେତ୍ରାନନ୍ଦ ବାରିକ ସଭା ପରିଚାଳନା କରିଥିଲେ। ଏହି ଅବସରରେ କୁମାରସ୍ବାମୀଙ୍କ ପୂଜାର୍ଚ୍ଚନା ନିମନ୍ତେ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ ବାଦ୍ୟନାଦ ସହ ଗ୍ରାମର କୁମାରୀ ଓ ଗୃହିଣୀମାନେ ଖଲିଆବନ୍ଧରୁ ମଞ୍ଚ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ।

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.