ଜିଲ୍ଲାସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳନ
ସୋନପୁର,୧୫/୧୧ : ମଧୁମେହ ହେଉଛି ଏକ ନୀରବ ଘାତକ ରୋଗ । ସମଗ୍ର ବିଶ୍ୱରେ ୪୨୫ ମିଲିୟନ ଲୋକ ମଧୁମେୟ ରୋଗରେ ଆକ୍ରାନ୍ତ । ବିଶ୍ୱରେ ପ୍ରତି ଆଠ ସେକେଂଡରେ ଜଣେ ବ୍ୟକ୍ତିର ମଧୁମେୟ ଜନିତ ମୃତ୍ୟୁ ଘଟୁଛି । ମଧୁମେୟର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଇନସୁଲିନର ଦାମ ଅନେକ ଦେଶରେ ଏତେ ଅଧିକ ଯେ ଗୋଟିଏ ପରିବାରର ମୋଟ ଆୟର ଅଧା ସେ ଦିଗରେ ଖର୍ଚ୍ଚ ହୋଇଯାଏ । ତେଣୁ ମଧୁମେୟକୁ ଜାଣିବା, ପ୍ରତିକାର କରିବା ଏବଂ ତାକୁ ପ୍ରତିହତ କରିବା ନିହାତି ଆବଶ୍ୟକ । ଏଥି ସକାଶେ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ସହ, ନିୟମିତ ଶାରିରୀକ ବ୍ୟାୟାମ ଏବଂ ଉତ୍ତମ ଜୀବନ ଶୈଳୀ ନିହାତି ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ସାହାଜପିଟା ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଶ୍ୱ ମଧୁମେୟ ଦିବସ ପାଳନ ଅବସରରେ ମଂଚାସୀନ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ସାହାଜପିଟାର ମେଡିକାଲ ଅଫିସର ଡାକ୍ତର ରାମଶଙ୍କର ତ୍ରୀପାଠୀ ପ୍ରମୂଖ ଯୋଗଦେଇ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ । ଏଏନଏମ୍, ଆଶା, ଅଙ୍ଗନବାଡି କର୍ମୀ, ଗୋଷ୍ଠୀ ସଦସ୍ୟ ତଥା ସ୍ୱାସ୍ଥ୍ୟ କର୍ମଚାରୀମାନେ ପ୍ଲାକାର୍ଡ, ବ୍ୟାନର ସହ ଏହି ସଚେତନତା ରାଲିରେ ଯୋଗ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସାହାଜପିଠା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ଡାକ୍ତର ସଂଗୀତା ଚୌଧୂରୀଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୨୩ ଜଣ ଅଂଶଗ୍ରହଣକରୀଙ୍କ ଡାଇବେଟିସ୍ ପରୀକ୍ଷା କରାଯାଇଥିଲା । ନାଇକେନପାଲିର ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶାନ୍ତ୍ୱନୁ ମେହେର ସଭା ପରିଚାଳନା କରିଥିବା ବେଳେ ବିପିଏମ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱାସ୍ଥ୍ୟ ପରିଦର୍ଶକ ସୀମାଂଚଳ ଦାସ, ସ୍ୱାସ୍ଥ୍ୟକର୍ମୀ ସରୋଜ କୁମାର ଗାନ, ଜଗଦୀଶ ଦାଶ ପ୍ରମୂଖ ଆୟୋଜନରେ ସହଯୋଗ କରିଥିଲେ ।