ପରିବା ଦର ଆକାଶଛୁଆଁ : ପ୍ରଭାବିତ ହେଉଛି ମଧ୍ୟାହ୍ନ ଭୋଜନ

ସୋନପୁର,୨୦/୧୧ : ଦିନକୁ ଦିନ ବୃଦ୍ଧି ପାଉଛି ପନିପରିବା ଦର । ଆଳୁ କିଲୋଗ୍ରାମ ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ଟମାଟୋ, ବାଇଗଣ, ବନ୍ଧାକୋବି, ସାରୁ, ଜହ୍ନି ଆଦି କିଲୋପ୍ରତି ୪୦ ରୁ ୫୦ ଟଙ୍କାରେ ବିକ୍ରୟ ହେଉଛି । ସେହିଭଳି ଫୁଲକୋବି, ପୋଟଳ, ବୋଇତାଳୁ ବିନ୍ସ, ବରଗୁଡି, କଲରା ଭଳି ଆହୁରି ଅନେକ ପରିବା ଏବେ କିଲୋପ୍ରତି ୮୦ରୁ ୧୦୦ଟଙ୍କା ମଧ୍ୟରେ ବିକ୍ରୟ ହେଉଛି । ସାଧାରଣ ଖାଉଟି ତଥା ମଧ୍ୟବିତ ପରିବାର ପାଇଁ ଏହି ମହଙ୍ଗାମାଡ ଅସହ୍ୟ ହେଉଥିବା ବେଳେ ଗରିବର ପଖାଳ କଂସାରୁ ପିଆଜ ଉଭାନ ହେଇଯାଇଛି । କେବଳ ପନିପରିବା ନୁହେଁ ଡାଲି ଜାତୀୟ ସାମଗ୍ରୀର ଦର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଖୋଦ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି । ସରକାର ଅନ୍ୟ ବିଭାଗର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ପୃଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଣ ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପ୍ରାଥମିକ ବର୍ଗ ପାଇଁ ଜଣକ ପ୍ରତି ମାତ୍ର ୪.୯୩ ପଇସା ବ୍ୟବସ୍ଥା କରିଥିବା ବେଳେ ଉଚ୍ଚ ମାଧ୍ୟମିକ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ପାଇଁ ୭.୧୬ ପଇସା ବ୍ୟବସ୍ଥା କରିଛନ୍ତି । ଏହି ଟଙ୍କାରୁ ହିଁ ରନ୍ଧନ ପାଇଁ ଆବଶ୍ୟକ କାଠ ଅଥବା ରନ୍ଧନ ଗ୍ୟାସର ବ୍ୟବସ୍ଥା କରାଯିବ । ସେହିଭଳି ସପ୍ତାହକ ବୁଧବାର ଓ ଶନିବାର ଜଣକ ପ୍ରତି ଗୋଟିଏ କୁକୁଡା ଅଣ୍ଡାର ତରକାରୀ ଦିଆଯିବାର ନିର୍ଦେଶ ରହିଛି । ବର୍ତ୍ତମାନ ବଜାରରେ ଗୋଟିଏ କୁକୁଡା ଅଣ୍ଡାର ମୂଲ୍ୟ ପ୍ରାୟ ୫ଟଙ୍କା ରୁ ୫ଟଙ୍କା ୫୦ ପଇସା ରହିଥିବା ବେଳେ କେଉଁ ଅନୁଦାନରୁ ଶିକ୍ଷକ ଏହାର ଭରଣା କରିବେ । ସେହିଭଳି ଡାଲିର ମୂଲ୍ୟ ବୃଦ୍ଧି ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟତ୍ବରେ ଥିବା ଶିକ୍ଷକମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅନ୍ୟପଟେ ଚାଉଳ ଯୋଗାଣ ଦାୟିତ୍ୱରେ ଥିବା ସଂସ୍ଥା ଅନେକ ସମୟରେ ଧାର୍ଯ୍ୟ ଓଜନ ଠାରୁ ୮ରୁ ୧୦ କେଜି କମ୍ ପରିମାଣର ଚାଉଳ ଯୋଗାଉଛନ୍ତି । ଏସମସ୍ତ ଭରଣା କରିବାକୁ ହେଲେ ଭୁତ ଛାତ୍ରଙ୍କ ଉପସ୍ଥାନ ଦେବାକୁ ବାଧ୍ୟ ହେଉଛନ୍ତି ଶିକ୍ଷକ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଯେତେବେଳେ କୌଣସି ବିଦ୍ୟାଳୟ ପରିଦର୍ଶନରେ ଯାଉଛନ୍ତି ସେତେବେଳେ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ସହିତ ଏହି ସାମଗ୍ରୀ ସମ୍ବନ୍ଧରେ ତଦନ୍ତ କଲେ ଅନେକ ସମସ୍ୟାର ସମାଧାନ ହେଇ ପାରିବ । ଏହାସହ ଦିନକୁ ଦିନ ମୂଲ୍ୟ ବୃଦ୍ଧି ସାଧାରଣ ଖାଉଟି ଉପରେ ମାଡ ହେଉଥିବାରୁ ଶ୍ରମିକ, ଚାଷୀ ପ୍ରଭାବିତ ହେଉଛନ୍ତି । ତେଣୁ ଏଥ୍ରିତି ନିୟନ୍ତ୍ରଣ କରିବାରେ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ଗୁରୁତ୍ୱ ଦେବା ପାଇଁ ଜନସାଧାରଣଙ୍କ ଦାବି ହେଉଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.