ସନ୍ଥ କବି ଭୀମ ଭୋଇଙ୍କ ବର୍ଣ୍ଣନାରେ ଶ୍ରୀଜଗନ୍ନାଥ ଏବଂ ଶ୍ରୀକୃଷ୍ଣ

ସତ୍ୟ ସନାତନ ଧର୍ମ ବିଶ୍ବର ଏକ ପ୍ରାଚୀନ ଧର୍ମଧାରା । ଯେଉଁ ଧର୍ମ ଯୁଗେ ଯୁଗେ ବିଶ୍ବ ଶାନ୍ତିର କାମନା କରି ଆସିଛି, ଯେଉଁ ଧର୍ମର ବିନାଶ ନାହିଁ, ଯିଏ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରେ ସ୍ଥିର ଭାବେ ବିଦ୍ୟମାନ ତାହା ହିଁ ସତ୍ୟ ସନାତନ ଧର୍ମ । ମହିମା ଧର୍ମ ସତ୍ୟ ସନାତନ ଧର୍ମର ଏକ ନୂତନ ସଂସ୍କରଣ । ମହିମା ଧର୍ମ ଓଡିଶାର ନିଜସ୍ବ ଧର୍ମଧାରା । ପ୍ରବୁଦ୍ଧ ସ୍ବାମୀ ମହିମା ଗୋସାଇଁ ଏହି ଧର୍ମର ସ୍ରଷ୍ଟା । ସନ୍ଥ କବି ଭୀମ ଭୋଇ ମହିମା ଧର୍ମର ଏକ ଶ୍ରେଷ୍ଠ ପ୍ରଚାରକ । ସତ୍ୟ ସନାତନ ମହିମା ଧର୍ମ ସର୍ବଜନ ହିତାୟ, ସର୍ବଧର୍ମ ସୁଖାୟର ବାର୍ତ୍ତା ବହନ କରେ । ସଂସାର ପଙ୍କରେ ଘାଣ୍ଟି ହେଉଥିବା ପ୍ରାଣୀମାନେ କିପରି ମୁକ୍ତ ହୋଇପାରିବେ ସେହି ପଥ ଦେଖାଇଛନ୍ତି ମହିମା ଗୋସାଇଁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସନ୍ଥ କବି ଭୀମ ଭୋଇ ଏକ ଦିବ୍ୟ ଦ୍ରଷ୍ଟା ଥିଲେ । ତାଙ୍କର କବି ପ୍ରତିଭା ଆଜି ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ମହିମା ଗୋସାଇଁ ଭୀମ ଭୋଇଙ୍କୁ ଶିଷ୍ୟ ରୂପେ ଗ୍ରହଣ କରି ଦିବ୍ୟ ଆଶୀର୍ବାଦ ପ୍ରଦାନ କଲେ । ଗୁରୁ ଆଶୀର୍ବାଦରୁ ଭୀମ ଭୋଇଙ୍କ ମୁଖରୁ ଅନର୍ଗଳ ଭାବେ ଭଜନ, ଜଣାଣ ସ୍ଫୁରିତ ହେଲା । ମହିମା ଧର୍ମର ପ୍ରଚାର ପାଇଁ ସେ ରଚନା କରିଛନ୍ତି ରାଶିରାଶି ଭଜନ, ଜଣାଣ, ସ୍ତବ, ଚଉପଦି ସହ ଶ୍ରୃତି ନିଷେଧ ଗୀତା, ସ୍ତୁତି ଚିନ୍ତାମଣି, ବ୍ରହ୍ମ ନିରୁପଣ ଗୀତା, ପଦ୍ମ କଳ୍ପ, ବ୍ରହ୍ମଚାଳକ ଗ୍ରନ୍ଥ, ଅଷ୍ଟକ ବିହାରୀ ଗୀତା, ଆଦି ଅନ୍ତ ଗୀତା ଇତ୍ୟାଦି ଅନେକ ଗ୍ରନ୍ଥ । ସ୍ତୁତି ଚିନ୍ତାମଣି ଭୀମ ଭୋଇଙ୍କ ଏକ ଅନାବଦ୍ୟ କୃତି । ଏହି ଗ୍ରନ୍ଥରେ ଶହେ ବୋଲି ରହିଛି । କବି ଗୁରୁ ଅଲେଖଙ୍କୁ ଭଜନ କରିବା ସହ ବିବିଧ ବିଷୟର ଅବତାରଣ କରିଛନ୍ତି । ସେହିପରି ଭାବେ ଭୀମ ଭୋଇ ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ମହିମା ମଧ୍ୟ ବର୍ଣ୍ଣନା –

Udyog Nursery
Udyogi Nursery

“ବେଦ ବଖାଣିଛି ଶାସ୍ତ୍ରରେ ଲିହିଛି ନିୟତ ପ୍ରମାଣ ସତ ।
ନୀଳାଚଳେ ପ୍ରଭୂ ବିରାଜ କରନ୍ତେ ନୀଳଗିରି ଜଗନ୍ନାଥ ।।

ଅନୁସରି ବହୁଦୂରୁ ଆଶା କରି ହୃଦୟ ପଦ୍ମରେ ଚିନ୍ତି ।
ମଉନରେ ବସି ନାମ ବୋଲାଇଲେ ଦାରୁ ପ୍ରତିମା ମୁରତି ।।

ସ୍ନାହାନ ତର୍ପଣ କରି ଦରଶନ ରୁପ ଦେଖି ହେଲି ଭୋଳା ।
ଚକା ବଇଠିରେ ବିରାଜ କରନ୍ତେ ତେଣୁ ନାମ ଚକାଡୋଳା ।।

କୋଟି ଅବତାର ନୁହଇ ଗୋଚର ଭେଦ ନାହିଁ ବ୍ରହ୍ମ ଚିହ୍ନ ।
ବିବିଧ କଳ୍ପନା ରୁପକୁ ରଞ୍ଚନା ତ୍ରିପଣ୍ଡ କାଳିଆ ନାମ ।।

                 *** *** *** *** ***

ପ୍ରକୃତିରୁ ପ୍ରଭୁ ରଞ୍ଚନା କରିଛ ଦ୍ବିତୀୟ ଯୁଗଳ ଦିନୁ ।
ଅନାମରୁ ନାମ ଋପ ପ୍ରକାଶିଲ କଦମ୍ବମୁଳିଆ କାହ୍ନୁ ।।

ଢମାଳିଆପଣେ ନାହିଁ ତ୍ରିଭୂବନେ ପଞ୍ଚୁ ପ୍ରାଣ ଗୋପୀଙ୍କର ।
ବଂଶୀଧ୍ବନୀ ନାଦ ହୃଦୟରେ ଭେଦ ତେଣୁ ନାମ ବେଣୁଧର ।।

ତରୁ ତୃଣ ଆଦି କୀଟ ପତଙ୍ଗାଦି ଆଜ୍ଞାରେ ସର୍ବେ ପ୍ରଚାରି ।
ଗୋପ ବୃନ୍ଦାବନେ ବେହାର କରନ୍ତେ ନାମ ନିକୁଞ୍ଜ ବେହାରି ।।

ଶିରେ ଚୂଳଗଭା ନାଚନ୍ତେ କି ଶୋଭା ନବରଙ୍ଗେ ଢଳି ଢଳି ।
ଆଦ୍ୟ ବୃନ୍ଦାବନେ ବେହାର କରନ୍ତେ ତେଣୁ ନାମ ବନମାଳୀ ।।

ଲାଭରେ ଲୋଭିତ ବହି ଗର୍ବଚିତ୍ତ ବାସବ ବିବାଦ କରି ।
ତୋଳି ଗିରିବର କଲ ଛତ୍ରାକାର ନାମ ଦେଲେ ଗିରିଧାରୀ ।।

ଛନ୍ଦମାୟା କରି କପଟ ଆଚରି ପରୀକ୍ଷାରେ ଗଲ ହାରି ।
ତେଣୁ ଶକ୍ରାଜିତ ନାମ ଦେଇଗଲା ରାମ ଗୋବିନ୍ଦ ମୁରାରୀ ।।

ଧନ୍ୟ ସେ ପାଦୁକା ଭଗତଙ୍କ ଶାଖା ବହୁଅଛି ଘନଘନ ।
ସୁଧା ମକରନ୍ଦ ଆପ୍ୟାନ କରନ୍ତେ ମାଧବ ମଧୁସୂଦନ ।।”

ଶ୍ରୀକୃଷ୍ଣଙ୍କ ରୂପ ଓ ଗୁଣ ବର୍ଣ୍ଣନା ସନ୍ଥ କବି ଭୀମ ଭୋଇଙ୍କ ଅମର ଲେଖନୀରେ ସୁନ୍ଦର ଭାବେ ଫୁଟି ଉଠିଛି । ସ୍ତୁତି ଚିନ୍ତାମଣି ଗ୍ରନ୍ଥର ଅଷ୍ଟମ ବୋଲି ୧୮ ପଦରେ ସନ୍ଥ କବି ଲେଖିଲେ –

“ବ୍ରଜସୂତ ଘେନି ଦିଗକୁ ଭ୍ରମଣି ସଙ୍ଗେ ଭାଇ ବଳରାମ ।
କାଳିନ୍ଦୀରେ ପଶି କାଳୀକି ଦଳନ୍ତେ କାଳୀୟମର୍ଦ୍ଦନ ନାମ ।।

ବାଉନ କୋଟି ଭଣ୍ଡାର ଅଧିପତି ଦାନୀପଣକୁ ସମାନ ।
ସମଚିତ୍ତେ ଦେଖି ଚିଠିପତ୍ର ଲେଖି ନାମ କର୍ତ୍ତା ଜନାର୍ଦ୍ଦନ ।।

ବଖାଣନ୍ତେ ଯଶ ନୁହଇ ଯେ ଶେଷ କୋଟିଏ ଅନନ୍ତ ନାମ ।
ବର୍ଣ୍ଣିବାକୁ ଇଚ୍ଛି କେ ସାମର୍ଥ ଅଛି କହେ ଅରକ୍ଷିତ ଭୀମ ।।”

ଭୀମ ଭୋଇଙ୍କ ରଚନାରେ ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ଚିତ୍ର ସୁନ୍ଦର ଭାବେ ଉଦ୍ଭାଷିତ ହୋଇ ଉଠିଛି । ମହିମା ଧର୍ମ ହିନ୍ଦୁ ଧର୍ମର କୁସଂସ୍କାର, ଅନ୍ଧ ବିଶ୍ବାସ ଆଦିକୁ ଦୂରୀଭୁତ କରି ଏକ ବ୍ରହ୍ମ ପଥରେ ଗତି କରିବାକୁ ସଂସାରକୁ ବାର୍ତ୍ତା ପ୍ରଦାନ କରିଥାଏ । ଜାତି ପ୍ରଥା, ମୂର୍ତ୍ତି ପୂଜା, ବ୍ୟୟ ବହୁଳ କର୍ମକାଣ୍ଡ ଆଦିକୁ ମାନିନଥାଏ ମହିମା ଧର୍ମ । ଅତିବଡି ଜଗନ୍ନାଥ ଦାସ ମଧ୍ୟ ଭାଗବତରେ ଲେଖିଲେ –
“କାଷ୍ଠ ପାଷାଣ ଲୌହ ଯେତେ
ଏସବୁ ଅଜ୍ଞାନୀଙ୍କ ମତେ ।
ଏହାଙ୍କ ହୃଦେ ଜ୍ଞାନ ନାହିଁ
ସୁଣ ଉଦ୍ଧବ ମନ ଦେଇ ।।”

ତେଣୁ ହିନ୍ଦୁ ଧର୍ମର ଅହିତ ସାଧନ କରିବା ମହିମା ଧର୍ମର ଲକ୍ଷ ନୁହଁ, ବରଂ ଏହାକୁ ପରିମାର୍ଚ୍ଚିତ କରି ସଂସାରକୁ ସତ୍ୟ ପଥ ର ସଂଧାନ ଦେବା ଏହି ଧର୍ମଧାରର ଉଦ୍ଦେଶ୍ୟ ।

 

✍️ସୁନୀଲ କୁମାର ଧଙ୍ଗଡାମାଝୀ

ସଂପାଦକ, ଓଡିଆ ବାର୍ତ୍ତା

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.