କଳାହାଣ୍ଡି,୩୦/୩ : ସାରା ବିଶ୍ୱ ଏବେ ମହାମାରୀ କରୋନାକୁ ମୁକାବିଲା କରୁଥିବାବେଳେ ସାରା ଭାରତବର୍ଷରେ ଆଜି ଲକଡ଼ାଉନର ଷଷ୍ଠ ଦିବସ । ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ର ନାରା ଦିଲ୍ଲୀରୁ ପଲ୍ଲୀକୁ ଲମ୍ବିଥିବାବେଳେ କଳାହାଣ୍ଡି ଜିଲ୍ଲା ର ସୀମାନ୍ତ ପଂଚାୟତ ଉର୍ଲଦାନୀରେ କେମିତି ରହିଛି ସ୍ଥିତି ତାକୁ ପରଖିଥିଲୁ ଉର୍ଲାଦାନୀ ପଂଚାୟତରେ । ପଂଚାୟତ କାର୍ଯ୍ୟାଳୟରେ ଚାଲିଥିଲା ତିନିମାସର ରାସନ ବଣ୍ଟନ କାର୍ଯ୍ୟକ୍ରମ । ଛାମୁଣ୍ଡିଆ ତଳେ ସୁରକ୍ଷିତ ଦୂରତା ବଜାୟ ରଖି କାଚୁପଡ଼ା (ଉର୍ଲଦାନୀଠାରୁ ପ୍ରାୟ ୩୦ କିଲୋମିଟର ଦୂର) ଗ୍ରାମର ରାସନକାର୍ଡ଼ ଧାରୀମାନେ ଜଣେ ଜଣେ କରି ନିଜ ନିଜ ପାଇଁ ଚାଉଳ ସଂଗ୍ରହ କରୁଥିବା ଦେଖାଯାଇଥିଲା । ସେଠାରୁ ଜାତୀୟ ରାଜପଥକୁ ଆସିବା ପରେ ଜାଣିବାକୁ ପାଇଲୁ ଯେ, ପଶ୍ଚିମ ବଙ୍ଗର ୧୩ଜଣ ଶ୍ରମିକ (ଯୋଉମାନେ ଜିଓର କେବୁଲ ପୋତିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି) କରୋନାର ପ୍ରଭାବରେ ଫଶି ରହିଛନ୍ତି ।
ଘରକୁ ଫେରିବା ପାଇଁ କୌଣସି ବାଟ ନଥିବାବେଳେ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା ଏବଂ ସ୍ଥାନୀୟ ସରପଂଚ ଗନ୍ଧର୍ବ ପୁଝାରୀ ସେମାନଙ୍କୁ ରହିବା ଆଉ ଖାଇବାର ସୁବନ୍ଦୋବସ୍ତ କରିଥିବା ଜଣାଯାଇଛି । ଏହି ଶ୍ରମିକମାନଙ୍କ ମଧ୍ୟରୁ ଜଣେ ଶ୍ରମିକ ମଣ୍ଟୁ ମଣ୍ଡଳଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ..ଏଠାରେ ଆମକୁ। ରହିବା ଆଉ ଖାଇବା ବନ୍ଦୋବସ୍ତ କରାଯାଇଛି । ଏଥି ସହିତ ପ୍ରତି ପଂଚାୟତରେ ହେବାକୁ ଆଶ୍ରୟସ୍ଥଳୀ ଭାବରେ ଏହି ପଂଚାୟତର ଆଶ୍ରୟସ୍ଥଳୀ ରେଣ୍ଡୋମାଝୀ ଉଚ୍ଚ ବିଦ୍ୟାଳୟ ପରିସରରେ କରାଯାଇଥିବା ବେଳେ ଏଠାରେ ରନ୍ଧାଖାଦ୍ୟ ମଧ୍ୟ ବଂଟନ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା । କିଛିସ୍ଥାନରେ ଗ୍ରାମବାସୀମାନେ ନିଜ ନିଜ ଗାଁକୁ ନାକାବନ୍ଦୀ କରି ରଖିଥିବାବେଳେ ଷଷ୍ଠ ଦିନରେ ଆଭ୍ୟନ୍ତରୀଣ ଇଲାକାରେ ସଚେତନତା ବଢୁଥିବା କହିଛନ୍ତି ସରପଂଚ ଗନ୍ଧର୍ବ ପୁଝାରୀ ।