ଘାଟି ଅଞ୍ଚଳ ସହ ବିଭିନ୍ନ ସ୍ଥାନ ଗସ୍ତ କରି ସଚେତନ କରୁଛନ୍ତି ଲାଞ୍ଜିଗଡ ବିଡିଓ ଓ ତହସିଲଦାର
ଲାଞ୍ଜିଗଡ,୩୧/୩ : ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲାକଡାଉନ ହୋଇଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ମଧ୍ୟ ଏହାର ପ୍ରଭାବ ବେଶ ଅନୁଭୂତ ହୋଇଛି । ଘାଟି ଅଞ୍ଚଳକୁ ବାଦ ଦେଲେ ବ୍ଲକର ଲାଞ୍ଜିଗଡ, ବିଶ୍ୱନାଥପୁର, ଲାଞ୍ଜିଗଡ ରୋଡ଼, ବସନ୍ତ ପଡା, ଶିକେର କୁପା, ଚମ୍ପାଦେଇପୁର ପୁର ଆଦି ଅଞ୍ଚଳ ମାନଙ୍କରେ ରାସ୍ତା ଘାଟ ଶୂନଶାନ ହୋଇ ପଡିଛି । ଲୋକେ ପୂର୍ବପେକ୍ଷା ବେଶ ସଚେତନ ହୋଇ ଲକଡାଉନ ନିୟମକୁ ମାନି ଚଳୁଥିବା ପରିଦୃଷ୍ୟ ହେଉଛି ।
ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ମୁନିନ୍ଦ୍ର ହୁନାଙ୍ଗା, ଲାଞ୍ଜିଗଡ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ବିଶ୍ୱନାଥ ପୁର ଥାନା ଅଧିକାରୀ ରୁନୁ ମାଝୀ ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ନଜର ରଖୁଛନ୍ତି। ଲାଞ୍ଜିଗଡ ଏସଆଇ ବିପିନ କୁମାର କୂଳଦୀପ, ଏଏସଆଇ ରମାକାନ୍ତ ମିଶ୍ରଙ୍କ ସହିତ ପୋଲିସ ଫୋର୍ସ ଲାଞ୍ଜିଗଡ ଅଞ୍ଚଳରେ ଘଣ୍ଟାକୁ ଘଣ୍ଟା ବୁଲି ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଲାଞ୍ଜିଗଡ଼ ବିଡ଼ିଓ ଘାଟି ଅଞ୍ଚଳରେ ବନ୍ଧପାରି, ଲାଖବାହିଲି, ବିଜେପୁର, ବେନଙ୍ଗା, ମାଳିଯୁବାଙ୍ଗ,ଲାଞ୍ଜି ଆଦି ପଞ୍ଚାୟତ ଗସ୍ତ କରି ସାମାଜିକ ଦୂରତ୍ୱକୁ ନେଇ ଅଞ୍ଚଳବାସୀଙ୍କୁ ସଚେତନ କରିଛନ୍ତି । ଏହି ଅଞ୍ଚଳର କିରାନା ଦୋକାନ ମାନଙ୍କୁ ଯାଇ ସେ ନିଜେ ବୃତ୍ତ ଅଙ୍କନ କରି ଗ୍ରାହକକୁ ବୃତ୍ତ ଭିତରେ ଛିଡା ହୋଇ ସଉଦା କିଣିବା ପାଇଁ ପରାମର୍ଶ ଦେଇଥିଲେ। ଏହାସହ ସାମାଜିକ ଦୂରତା ଓ ସ୍ବଚ୍ଛତା ବିଷୟରେ ଦୋକାନୀ ମାନଙ୍କୁ ଅବଗତ କରାଇଥିଲେ ।
ସେହିଭଳି ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼. ନରେନ୍ଦ୍ର ଦାସ ଓ ତାଙ୍କ ଏମଏଚୟୁ ଟିମ, ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଆଶାକର୍ମୀମାନେ ଚମ୍ପାଦେଇ ପୁର ପଞ୍ଚାୟତର ଜୁଡ଼ାବନ୍ଧ, ଚନ୍ଦନପୁର, ଗୋପିନାଥପୁର, ନିଆଁଳି ଆଦି ଗ୍ରାମରେ ଗୃହ ପରିଦର୍ଶନ କରି କରୋନା ଭାଇରସ ଠାରୁ କିପରି ନିଜେ ତଥା ନିଜ ପରିବାର ସଚେତନ ରହିବେ ଭିନ୍ନ ଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ।
ଲାଞ୍ଜିଗଡଠାରେ ଲାଞ୍ଜିଗଡ ବଣିକ ସଂଘର ସଦସ୍ୟ ସନାତନ ନାୟକ ଏକ ଶହରୁ ଉର୍ଦ୍ଧ ଲୋକଙ୍କୁ ଆଜି ପଞ୍ଚାୟତରୁ ପିଡ଼ିଏସ ଚାଉଳ ନେଉଥିବା ହିତାଧିକାରୀ, ସ୍ଥାନୀୟ ପୁଲିସ କର୍ମଚାରୀ, ମେଡିକାଲ କର୍ମଚାରୀ ଓ ବେଡ଼ରେ ଥିବା ରୋଗୀଙ୍କୁ ମାସ, ସାବୁନ ଓ ହେଣ୍ଡୱାସ୍ ବାଣ୍ଟିଥିଲେ।
ସେହିପରି ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ ଦୂର୍ଗମ ଅଞ୍ଚଳର ୫ଟି ପଞ୍ଚାୟତର ଗ୍ରାମମାନଙ୍କୁ ଯାଇ ଲୋକଙ୍କୁ କରୋନା ଭାଇରସ ପାଇଁ ସଚେତନ ଜରିବା ସହ ସାବୁନ ବଣ୍ଟନ କରିଥିଲେ। ମୋଟାମୋଟି ଭାବେ କହିବାକୁଗଲେ ଲକଡାଉନକୁ ପୂର୍ଣ୍ଣ ସମର୍ଥନ କରି କରୋନା ବିରୁଦ୍ଧରେ ଲଢେଇ ଜାରୀ ରଖିଛନ୍ତି ଲାଞ୍ଜିଗଡ ଜନତା ।