ସଚେତନ ନାଗରିକ ମଞ୍ଚ ପକ୍ଷରୁ ଲାଗିଛି ପୋଷ୍ଟର
ରାୟଗଡ/୩୧/୩ : ମାଓ ପ୍ରବଣ ରାୟଗଡ ଜିଲ୍ଳାରେ ବୁଲୁଥିବା ମାଓବାଦୀମାନେ ଅନ୍ୟ ରାଜ୍ୟରୁ ଆସିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ,ଏହି ମାଓବାଦୀମାନଙ୍କ ମଧ୍ୟରୁ କିଛି ମାଓବାଦୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ପଡୋଶୀ ରାଜ୍ୟରୁ ଆସିଛନ୍ତି ଏବଂ ସେମାନଙ୍କ ଦ୍ୱାରା ଅଂଚଳରେ କରୋନା ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଗ୍ରାମବାସୀମାନେ ସଂକ୍ରମିତ ହେଇଥିବା ମାଓବାଦୀ ସଂସ୍ପର୍ଶରେ ନ ଆସିବା ସହ ଏମାନଙ୍କ ଦ୍ୱାରା ସଂଗଠିତ ସଭା ସମିତିରେ ଯୋଗ ନ ଦେବା, ଆବଶ୍ୟକ ହେଉଥିବା ଜିନିଷ ପତ୍ର ଏବଂ ଖାଦ୍ୟପଦାର୍ଥ ନ ଦେବା ପାଇଁ ଉଲ୍ଳେଖ ରହିଥିବା ବେଳେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମାବଳୀ ପାଳନ କରି ଘରେ ରହିବା ପାଇଁ ଏବଂ ବାହାର ଲୋକଙ୍କ ସହ ନ ମିଶିବାକୁ ଅନୁରୋଧ କରାଯାଇଥିବା ନେଇ ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଓ ମହାତ୍ମାଗାନ୍ଧୀ ଶିଶୁ ଉଦ୍ୟାନ ମୁଖ୍ୟ ଫାଟକ ସମ୍ମୁଖରେ ସୋମବାର ସକାଳେ ସଚେତନ ନାଗରିକ ମଂଚ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ଉଲ୍ଳେଖ ଥିବା ଦେଖିବାକୁ ମିଳିଥିଲା । ଏହି ପୋଷ୍ଟରରେ ସାରା ପୃଥିବୀ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବାରେ ଲାଗିଛି । ଓଡିଶା ମଧ୍ୟ ଏହି ସଂକ୍ରମଣର ଶିକାର ହୋଇସାରିଲାଣି । ଯାହାକୁ ନେଇ ସରକାର ଜାତୀୟ ବିପତି ଘୋଷଣା କରିବା ସହ ପ୍ରତିଷେଧ ମୂଳକ ସାମାଜିକ ଦୂରୀକରଣ ପାଇଁ ଆହ୍ୱାନ ଦେଇଛନ୍ତି । ଏହି ରୋଗର ନିରାକରଣ ପାଇଁ କୈାଣସି ଔଷଧ ବାହାରି ନ ଥିବାରୁ ସଂକ୍ରମିତ ଲୋକଙ୍କ ଠାରୁ ଦୂରେଇ ରହିଲେ ହିଁ ନିଜକୁ ମୃତ୍ୟୁ ମୁଖରୁ ବଂଚାଇ ପାରିବେ । ସେହିପରି ଗାଁ ଗାଁ ବୁଲି ରୋଗ ସଂକ୍ରମଣର ବାହାକ ନ ହୋଇ ଜଙ୍ଗଲରୁ ବାହାରି କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଜିଲ୍ଳା ପ୍ରଶାସନ ତଥା ପୋଲିସ ପ୍ରଶାସନ ପାଖେ ଆତ୍ମସର୍ମପଣ କରିବା ପାଇଁ ଅନୁରୋଧ କରାଯାଇଛି ।