କଳାହାଣ୍ଡି,୨/୪ : ମହାମାରୀ କରୋନା କବଳୁ ବଞ୍ଚିବା ପାଇଁ ଚାଲିଛି ଅହରହ ସଂଗ୍ରାମ । ଭିଡ ଭିତରୁ ମୁକୁଳି ମଣିଷଟି ଏକ୍ଲା ରହିଲେ ହିଁ କରୋନାରୁ ରକ୍ଷା ପାଇବ। ଟିକିଏ ସତର୍କତା,କରୋନାରୁ ରକ୍ଷା, କରୋନାକୁ କର ନା ଭଳି ସବୁବେଳେ ସବୁମହଲରେ ସଚେତନତାର ବାର୍ତ୍ତା ବାଂଟି ଚାଲୁଥିଲେ ବି ଏହି ରୋଗକୁ ନେଇ ସନ୍ଦିହାନ ହେଇପଡ଼ିଛି ମଣିଷ ସମାଜ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କେବଳ ଯେ ସହରର ଲୋକେ ସଚେତନ ସେକଥା ନୁହେଁ । ନିପଟ ମଫସଲର ଯୁବକମାନେ ବି ନିଜ ନିଜକୁ ସଚେତନ ରଖିବା ସହିତ ଅନ୍ୟମାନଙ୍କୁ ସଚେତନତାର ବାର୍ତ୍ତା ବାଂଟୁଛନ୍ତି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକଠାରୁ ପ୍ରାୟ ୩୩କିଲୋମିଟର ଦୂରରେ ରହିଛି ସିଂହପୁର ପଂଚାୟତର କୁଟିହେଜୁ ଗାଁ । ଏହି ଗାଁଟି ହେଉଛି କଳାହାଣ୍ଡି ଜିଲ୍ଲାର ଶେଷ ଗାଁ ,ତା ପାଖକୁ ଲାଗିଛି ବଲାଙ୍ଗୀର ଜିଲ୍ଲା । ପ୍ରାୟ ୫୦ ପରିବାରର ଏକ ମଫସଲ ଗାଁ । ଗାଁରେ ରହିଛି ଗୋପାଳକୃଷ୍ଣ ୟୁଥ୍ କ୍ଲବ୍ । ଏହି ୟୁଥକ୍ଲବର ସଭ୍ୟମାନେ ଭାରତକୁ ଲକଡ଼ାଉନ ଘୋଷଣା କରିବା ପରେ ନିଜ ଗାଁକୁ ବ୍ୟାରିକେଡ଼ ଦେଇ ବନ୍ଦ କରିବା ସହିତ ପାଳି କରି ଏଠାରେ ଜଗି ରହୁଛନ୍ତି । କେବଳ ସେତିକିନୁହେଁ ଗାଁକୁ ଯିବା ଓ ଆସିବା ବେଳେ ହ୍ୟାଣ୍ଡ ୱାସ୍ ଦେଇ ହାତ ସଫା କରିବା ପରେ ବାହାର ଗାଁରୁ ଆସିଥିବା ଲୋକଙ୍କୁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁର ବାର୍ତ୍ତା ମଧ୍ୟ ପ୍ରଚାର କରୁଛନ୍ତି । ତେବେ ଗାଁକୁ ବେରିକେଡ଼ ଦେବା କିଛି ଜାଗାରେ ପ୍ରହସନ ପାଲଟିଥିବାର ନଜର ଆସିଥିବାବେଳେ ଆମେ ଗାଁକୁ ଯାଇ ଦେଖିଥିଲୁ, ପ୍ରକୃତରେ ଗାଁ ଦାଣ୍ଡ ପୂରା ଶୂନଶାନ ରହିଥିଲା । କୋଉଠି ବି ଗାଁ ଲୋକେ ଦଳ ଦଳ ହେଇ ରହିନଥିଲେ । କାଁ ଭାଁ କିଏ କେମିତି ଏକା ଏକା ଦେଖାଯାଉଥିଲେ । ଅନୁଭବ ହେଲା ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କ ଡ଼ାକରାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି କୁଟିହେଜୁ ଗ୍ରାମବାସୀ । ଏମାନଙ୍କ ପାଇଁ ନା ଅଛି ପୋଲିସର ଭୟ ନା ଅଛି ପ୍ରଶାସନର ଭୟ । ତଥାପି ଜଣେ ଜଣେ ଜାଗ୍ରତ ପ୍ରହରୀର ଭୂମିକାରେ ଗୋପାଳକୃଷ୍ଣ ୟୁଥ କ୍ଲବ । ଗାଁରୁ ଏହି ବାର୍ତ୍ତା ପ୍ରତି ଗାଁରେ ପହଂଚୁ ଏବଂ ମଣିଷ ଶୃଙ୍ଖଳିତ ହେବା ସହିତ ଘରେ ରହି ସୁରକ୍ଷିତ ରହୁ ।