‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ଅନଲାଇନରେ ପାଳନ କଲା ବିଷୁବ ସାହିତ୍ୟ ଆସର

● ଶ୍ରେଷ୍ଠ କବି ଭାବରେ ସାରଙ୍ଗଧର ତ୍ରିପାଠୀ ପାଇଲେ ମାନପତ୍ର

ବାଲେଶ୍ବର : ୧୪/୦୪ : (କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ) କରୋନା ପାଇଁ ସମଗ୍ର ଓଡ଼ିଶା ଲକ୍ ଡାଉନ୍ ରେ ଥିବା ଯୋଗୁଁ ଓଡ଼ିଆମାନଙ୍କର ନବବର୍ଷ ମହାବିଷୁବ ସଂକ୍ରାନ୍ତି ସବୁଆଡ଼େ ନିରୁତ୍ସାହଜନକ ଭାବରେ ପାଳନ କରାଯାଇଛି। ବିଶେଷକରି ଏହିଦିନ ସାହିତ୍ୟିକମାନେ ବିଷୁବମିଳନ ସାହିତ୍ୟସଭା ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ଓ କବିତା ପାଠୋତ୍ସବର ଆୟୋଜନ କରିଥାଆନ୍ତି। ଉତ୍ସବମାନ ଆୟୋଜନ କରିବାରେ ପ୍ରତିବନ୍ଧକ ଥିବା ଯୋଗୁଁ ଚଳିତବର୍ଷ ସାହିତ୍ୟସଭାର ରଙ୍ଗ ଫିକା ପଡ଼ିଯାଇଛି। ତଥାପି କେହି କେହି ଇଣ୍ଟରନେଟ୍ ମାଧ୍ୟମରେ କାର୍ଯ୍ୟକ୍ରମ ଜାରି ରଖିଥିବା ଦେଖାଯାଇଛି।

ଅଳ୍ପସଂଖ୍ୟକ ଅନୁଷ୍ଠାନମାନଙ୍କ ମଧ୍ୟରେ ବାଲେଶ୍ଵରର ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ପଛରେ ପଡିନଥିଲା। ହ୍ବାଟ୍ସଆପ୍ ମାଧ୍ୟମରେ ଏ ଅନୁଷ୍ଠାନ କବିତା ପାଠୋତ୍ସବର ଆୟୋଜନ କରିଥିଲା। କବିମାନଙ୍କ ହୃଦୟରେ ସାହିତ୍ୟିକ ଭାବ ଜାଗ୍ରତ କରି ରଖିବାରେ ଅନୁଷ୍ଠାନର ଏତାଦୃଶ କାର୍ଯ୍ୟ ବେଶ୍ ଆଶା ଓ ଆନନ୍ଦ ସଞ୍ଚାର କରିପାରିଛି। ଅପରାହ୍ନରେ ଅନୁଷ୍ଠାନର ସମ୍ପାଦକ ନିବାରଣ ଜେନାଙ୍କ ସଂଯୋଜନାରେ କବିମାନେ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ନାମକ ସଂଗୋଷ୍ଠୀ ବା ହ୍ଵାଟ୍ସଆପ ଗ୍ରୁପ୍ ରେ ନିଜ ନିଜର କବିତାକୁ ସ୍ଥାନିତ କରିଥିଲେ। ଅନୁଷ୍ଠାନର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ କବିତାଗୁଡ଼ିକର ଆଲୋଚନା କରି କବିମାନଙ୍କ ରଚନାରେ ଦାମ୍ପତ୍ୟ ପ୍ରେମର ଧାରା, ଛଳନା ପ୍ରତି ବୀତସ୍ପୃହତା, ଓଡ଼ିଆ ନବବର୍ଷର ବର୍ଣ୍ଣନା, ଉପମା ଓ ରୂପକଳ୍ପର ପ୍ରୟୋଗ ତଥା ଆଧ୍ୟାତ୍ମିକ ଚିନ୍ତାଧାରାର ପ୍ରତିଫଳନ ଘଟିଛି ବୋଲି ମତବ୍ୟକ୍ତ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ଓ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା କବିତାଗୁଡ଼ିକର ସମୀକ୍ଷା କରି ସେଥିରେ ପ୍ରତିଫଳିତ ହୋଇଥିବା ଈଶ୍ବରୀୟ ସତ୍ତା, କବିର ସ୍ବପ୍ନ ପ୍ରକୃତିର ତାଡ଼ନାରେ ଚୂର୍ଣ୍ଣ ହୋଇ ଯାଉଥିବାର ପ୍ରତିଚ୍ଛବି, ଗ୍ରାମ୍ୟ ଜୀବନ ଓ ଗ୍ରାମ୍ୟ ପରିବେଶର ସାର୍ଥକ ବର୍ଣ୍ଣନା ଠିକ୍ ଭାବରେ ଉତୁରି ପାରିଛି ବୋଲି ପ୍ରକାଶ କରିଥିଲେ। ଏହା ବ୍ୟତୀତ ସମୀକ୍ଷକମାନେ ଛନ୍ଦ, ମେଟାଫର୍ ଓ ମିଥ୍ ର ପ୍ରୟୋଗ କରି କବିମାନେ କରିଥିବା ଭାବର ପ୍ରକାଶକୁ ଭୂୟସୀ ପ୍ରଶଂସା କରିଥିଲେ। ବରିଷ୍ଠ ସାରସ୍ବତ ସାଧିକା ଅରୁଣା ରାୟ କବିତା ଗୁଡ଼ିକର ତର୍ଜ୍ଜମା କରି ଡକ୍ଟର ସାରଙ୍ଗଧର ତ୍ରିପାଠୀ, ଦୀପକ ବୋଷ ଓ ବିଜୟ କୁମାର ମହାନ୍ତିଙ୍କୁ ଶ୍ରେଷ୍ଠ କବିତ୍ରୟୀ ରୂପେ ବିଚାର କରିଥିଲେ। ଡକ୍ଟର ସାରଙ୍ଗଧର ତ୍ରିପାଠୀଙ୍କୁ ‘ଶ୍ରେଷ୍ଠ କବି’ ଭାବରେ ଗ୍ରହଣ କରାଯାଇ ମାନପତ୍ର ସହ ତାଙ୍କୁ ସମ୍ମାନିତ କରାଯାଇଥିଲା। ସମରେନ୍ଦ୍ରନାଥ ମହାପାତ୍ର , ସୁବ୍ରତା ମହାନ୍ତି, କଲ୍ୟାଣୀ ନନ୍ଦ, ଜ୍ୟୋତ୍ସ୍ନା ରାୟ, ତପନ ରାୟ ଇତ୍ୟାଦିଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇ ପାରିଥିଲା। ଶେଷରେ ଦୀପକ ବୋଷ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ସାମାଜିକ ଦୂରତା ଏବଂ ଏକାନ୍ତବାସରେ ଥାଇ ସମ୍ପନ୍ନ ହୋଇଥିଲା।


Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.