ମେ’ ୧୦ରୁ ମଣ୍ଡି ଆରମ୍ଭ : ପ୍ରଥମ ପର୍ଯ୍ୟାୟରେ ୫୨,୨୩୯ କ୍ୱିଂଟାଲ ରବିଧାନ ସଂଗ୍ରହ ଲକ୍ଷ୍ୟ

ବିଷମକଟକ, ମୁନିଗୁଡା, ପଦ୍ମପୁର ଓ ରାମନାଗୁଡା ବ୍ଳକରେ ହେବ ୪ଟି ନୂଆ ମଣ୍ଡି

ରାୟଗଡ,୨୭/୪ : ଆସନ୍ତା ମେ’୧୦ତାରିଖରୁ ଆରମ୍ଭ ହେବ ରାୟଗଡ ଜିଲ୍ଳାରେ ରବି ଫସଲର ଧାନ ସଂଗ୍ରହ ନିମନ୍ତେ ମଣ୍ଡି । ଏହି ବର୍ଷ ଜିଲ୍ଳାର ବିଷମକଟକ ବ୍ଳକର ଗଜବାହାଲ, ମୁନିଗୁଡାର କୁମୁଡାବାଲି, ରାମନାଗୁଡାର ଗୁମୁଡା ଓ ପଦ୍ମପୁର ବ୍ଳକର ଗୁଡିଆବନ୍ଧ ଠାରେ ଗୋଟିଏ ଲେଖାଁଏ ୪ଟି ନୂତନ ମଣ୍ଡି ଆରମ୍ଭ କରାଯିବ ବୋଲି ସୋମବାର ଦିନ ଡିଆରଡିଏ ସମ୍ମିଳନୀ ସଦଭାବନା କକ୍ଷରେ ଜିଲ୍ଳାସ୍ତରୀୟ ରବିଧାନ ସଂଗ୍ରହ କମିଟି ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି । ସେହିପରି ପ୍ରତ୍ୟେକ ମଣ୍ଡି ଗୁଡିକରେ ଚାଷି ଓ ମିଲର୍ସମାନଙ୍କ ସୁବିଧା ନିମନ୍ତେ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମଣ୍ଡିକୁ ଆସୁୂଥିବା ପ୍ରତ୍ୟେକ ବ୍ୟକ୍ତି କୋଭିଡ-୧୯ ସଂକ୍ରମଣ ଗାଇଡଲାଇନ ଅନୁଯାୟୀ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ଉପରେ ପ୍ରଶାସନ ଗୁରୁତ୍ୱ ଦେବ ବୋଲି କହିଛନ୍ତି । ଖରିଫ ମିଶନ ସିଜନ୍ ୨୦୧୯-୨୦ର ରବିଫସଲ ଧାନ ସଂଗ୍ରହ ପାଇଁ ମଣ୍ଡି ପରିଚାଳନା ଉପରେ ପର୍ଯ୍ୟବେକ୍ଷଣ ଓ ପର୍ଯ୍ୟାୟଲୋଚନା ନିମନ୍ତେ ଆଲୋଚନା କରାଯାଇଥିଲା ।

ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ବିଭାଗୀୟ ସୂଚନା ପ୍ରଦାନ କରିଥିଲେ । ଚଳିତ ବର୍ଷ ଜିଲ୍ଳାରେ ଏପ୍ରିଲ ୧୮ତାରିଖ ସୁଦ୍ଧା ୨୨୨୧ ଜଣ ଚାଷୀ ନିଜ ନାମ ପଂଜୀକୃତ କରିଛନ୍ତି । ଜିଲ୍ଳାରୁ ପ୍ରଥମ ପର୍ଯ୍ୟାୟରେ ୫୨,୨୩୯ କ୍ୱିଂଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସାଧାରଣ ଧାନ କ୍ୱିଂଟାଲ ପିଛା ୧୮୧୫ ଟଙ୍କା ଓ ଗ୍ରେଡ୍‌”ଏ”ଧାନ ୧୮୩୫ ଟଙ୍କା ପର୍ଯ୍ୟନ୍ତ ସରକାର ଧାର୍ଯ୍ୟ କରିଥିବା ନେଇ ଶ୍ରୀ ନାୟକ ସୂଚନା ଦେଇଥିଲେ । ସେହିପରି ଗତବର୍ଷ ୭୪,୮୦୫.୯୦କ୍ୱିଂଟାଲ
ରବି ଧାନ ୧୩ଟି ମଣ୍ଡିରୁ ସଂଗ୍ରହ କରାଯାଇଥିବା ବେଳେ ୧୪୭୪ ଜଣ ଚାଷୀ ପଂଜୀକୃତ କରିଥିଲେ । ଚଳିତ ବର୍ଷ ଚାଷିଙ୍କ ଖାତାକୁ ଅନଲାଇନ ଜରିଆରେ ୨ଦିନ ମଧ୍ୟରେ ପି-ପାସ ବ୍ୟବସ୍ଥାରେ ଟଙ୍କା ଖାତାରେ ଜମା କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଳାରେ ୧୨୫ଟି ମିଲ୍ ରହିଥିବା ବେଳେ ୧୧୯ଜଣ ମିଲର୍ସମାନେ ଅଂଶଗ୍ରହଣ କରିବେ ।

ଏହି ବୈଠକରେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଡିଆରସିଏସ ପ୍ରମୋଦ କୁମାର ସାହୁ, ଏଆରସିଏସ ଭବାନୀ ଦାସ, ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ ସିଏଚ. ମୂରଲିକ୍ରିଷ୍ଣା ରାଓ, ସଦର ଏସିଏସଓ ବିଶ୍ୱନାଥ ସେନାପତି, ମିଲର୍ସ ଆସୋସିଏସନ୍ ସଭାପତି କାଶି ନାଇଡୁ, ଚାଷି ପ୍ରତିନିଧି ରାଜେନ୍ଦ୍ର ନାୟକଙ୍କ ସମେତ ୧୩ଟି ଲ୍ୟାମ୍ପସର  ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବୈଠକରେ ସାମାଜିକ ଦୂରତାକୁ ବିଶେଷ ଧ୍ୟାନ ଦିଆଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.