କଳାହାଣ୍ଡିକୁ ଫେରିଲା ପୁଣି ଏକ ଦାଦନ ଶ୍ରମିକର ଶବ

ନର୍ଲା,୫/୬: ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ଚିତ୍ର ଦିନକୁ ଦିନ ବଢି ଚାଲିଥିବାବେଳେ କଳାହାଣ୍ଡିରେ ଅସହ୍ୟ ହେଉଛି ଦାଦନ ଦୁଃଖ । ଆଜି ଜିଲ୍ଲାକୁ ଫେରିଛି ପୁଣି ଏକ ଦାଦନ ଶ୍ରମିକର ଶବ । କଳାହାଣ୍ଡି ମାଟି ହରାଇ ବସିଛି ପୁଣି ଏକ ମାଟିର ମଣିଷକୁ । ମୃତ ଦାଦନ ଶ୍ରମିକ ଜଣକ ହେଉଛନ୍ତି ନର୍ଲା ବ୍ଲକ ଅନ୍ତର୍ଗତ ଗାଡେବନ୍ଧ ଖମନପଡାର ପ୍ରତାପ ବିଭାର (୩୦) ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଖମନପଡା ଗାଁର ଶଙ୍କର ବିଭାରଙ୍କ ପୁଅ ପ୍ରତାପ ବିଭାର ଗୁଜରାତ ରାଜ୍ୟ ରାଜକୋଟ ସହରରେ କୋଠା ନିର୍ମାଣ କାମରେ ନିୟୋଜିତ ଥିଲେ । ସାଥିରେ ତାଙ୍କ ଧର୍ମପତ୍ନୀ ଓ ପଡିଶାର ଅନ୍ୟ ପରିବାରମାନେ ମଧ୍ୟ ରହୁଥିଲେ । ଏପଟେ ଗାଁରେ ବାପା, ମାଁ, ଭାଇ ଆଦି ରହୁଥିଲେ ।

ସବୁ ଠିକ ଠାକ ଚାଲିଥିବା ସମୟରେ ଜୁନ ୨ ତାରିଖ ପ୍ରତାପଙ୍କ ଜୀବନରେ କଳା ବାଦଳ ଘୋଟି ଆସିଲା । ସେ ଉକ୍ତ ଦିନ ସକାଳ ୭ ଘଣ୍ଟା ସମୟରେ କାମ କରିବାକୁ ଯାଉଥିଲା ବେଳେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ରାଜକୋଟ ସ୍ଥିତ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମୁଣ୍ଡରୁ ପ୍ରଚୁର ରକ୍ତ ସ୍ରାବ ହୋଇଥିବା ଯୋଗୁଁ ବୁଧବାର ଦିନ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିଲା । ସେଠାରେ ଶବ ବ୍ଯବଛେଦ ପରେ ଅମ୍ବୁଲାନ୍ସ ଯୋଗେ ଶବ ଗାଁକୁ ଆସିଥିଲା । ଆଜି (ଶୁକ୍ରବାର) ଶୋକାକୁଳ ପରିବେଶ ମଧ୍ୟରେ ଖମନପଡାରେ ଶବ ସତ୍କାର କରାଯାଇଛି । ମୃତ ପ୍ରତାପଙ୍କ ଉପରେ ତାଙ୍କ ପରିବାର ଭରଷା କରି ଚଳୁଥିଲା ଓ ଏମାନେ ଗରିବ ହୋଇଥିବାରୁ ସରକାରଙ୍କ ତରଫରୁ ଆର୍ଥିକ ସହଯୋଗ ଯୋଗାଇଦେବା ନିମନ୍ତେ ଅଞ୍ଚଳବାସୀ ଦାବୀ କରିଛନ୍ତି ।

(ମୃତ ପ୍ରତାପ ବିଭାରଙ୍କ ଫାଇଲ ଫଟୋ)

ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ ସପ୍ତାହରେ ଏହି ବ୍ଲକ ଟୋଲବ୍ରାହ୍ମଣୀ ଗ୍ରାମକୁ ମଧ୍ୟ ଏକ ଦାଦନ ଶ୍ରମିକର ଶବ ଫେରିଥିଲା । ସେହି କଥା ଲୋକଙ୍କ ମନରୁ ନଲିଭୁଣୁ ଆଜି ପୁଣି ଏକ ଦାଦନର ଶବ ଆସିବାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.