ଲକଡାଉନ କି ସଟଡାଉନ ନିୟମ ମାନୁନାହାନ୍ତି ଅମାନିଆ ଲୋକେ
ପୁଣି ୪୭ଜଣ ଚିହ୍ନଟ ପରେ ୨୪୩ ଛୁଇଁଲା ପଜିଟିଭ୍ ନମ୍ବର
୯ଜଣ କରୋନା ଯୋଦ୍ଧା ଆକ୍ରାନ୍ତ, ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ
ରାୟଗଡ,୨୧/୭: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବୃଦ୍ଧି ପାଉଥିବା ବେଳେ ରାୟଗଡ ଜିଲ୍ଳାରେ ମଧ୍ୟ ଧୀରେ ଧୀରେ ଏହି ସଂଖ୍ୟା ବଢିବାରେ ଲାଗିଛି । ଲକଡାଉନର ୩ମାସ ପର୍ଯ୍ୟନ୍ତ ଗ୍ରୀନ ଜୋନରେ ରହିଥିବା ରାୟଗଡ ଜିଲ୍ଳାରେ ଜୁନ୍ ୩ତାରିଖରେ ପ୍ରଥମ କରି ଜଣେ ଦିଲ୍ଳୀ ଫେରନ୍ତା ଯୁବତୀ ପ୍ରଥମ କରୋନା ରୋଗୀ ଭାବେ ଚିହ୍ନଟ ହେବା ପରେ ଏହି ସଂଖ୍ୟା ଅଗ୍ରଗତି କରି ବର୍ତମାନ ୨୪୩ରେ ପଂହଚିସାରିଛି । କିଛି ଆକ୍ରାନ୍ତ ଭୁବନେଶ୍ୱରସ୍ଥିତ ଏମ୍ସ, ସୋମ, ଅଶ୍ୱିନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଳାର ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର, ବିଷମକଟ ଓ ଗୁଣପୁର କୋଭିଡ କେୟାର କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।
ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆଜି ଦିଆଯାଇଥିବା ସୂଚନା ପ୍ରକାରେ ରାଜ୍ୟରେ ମଙ୍ଗଳବାର ଦିନ ୬୪୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାୟଗଡ ଜିଲ୍ଳାରୁ ଏଥିରେ ୪୭ଜଣ ଚିହ୍ନଟ ହୋଇଥିବା ନେଇ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ଏମାନଙ୍କ ମଧ୍ୟରେ ୩୪ଜଣ ପୁରୁଷ ଓ ୧୩ଜଣ ମହିଳା ଆକ୍ରାନ୍ତ ରହିଥିବା ବେଳେ ୫୦, ୫୨ ଓ ୫୪ବର୍ଷର ୩ଜଣ ବୟସ୍କ ରହିଥିବା ବେଳେ ୫, ୮ ଓ ୧୧ ବର୍ଷର ୩ଜଣ ଶିଶୁ ରହିଥିବା ବେଳେ ୧୮ ରୁ ୪୦ମଧ୍ୟରେ ବଳକା ୪୧ଜଣ ରହିଛନ୍ତି ।
ସେହିପରି ଜିଲ୍ଳାର ବିଷମକଟକ ବ୍ଳକର ୯ଜଣ, କୋଲନରା ବ୍ଳକର ୧୫ ଓ ପଦ୍ମପୁର ବ୍ଳକରୁ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଳାପାଳ ସୂଚନା ଦେଇଛନ୍ତି । ପଦ୍ମପୁର ସଦର ସହରରେ ଜଣେ ଆକ୍ରାନ୍ତ କୋଭିଡ ଆକ୍ରାନ୍ତ ହେବା ପରେ ସେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୨ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଛନ୍ତି । ସେହିପରି ୯ଜଣ କରୋନା ଯୋଦ୍ଧାଙ୍କ ମଧ୍ୟରେ ପଦ୍ମପୁର ବ୍ଳକ କାର୍ଯ୍ୟାଳୟର ଜଣେ ବ୍ଳକ ସଂପ୍ରସାରଣ ଅଧିକାରୀ, ୫ଜଣ ମେଡିକଲ ଷ୍ଟାଫ ଓ ଟିଏମସିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଳା ପ୍ରଶାସନ ତରଫରୁ ପଦ୍ମପୁର ସହର ସମେତ ବ୍ଳକ କାର୍ଯ୍ୟାଳୟକୁ ଆସନ୍ତା ୩ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
ସେହିପରି କୋଲନରା ବ୍ଳକର କରୋନା ଯୋଦ୍ଧା ତହସିଲଦାର ଓ ତାଙ୍କ ଜଣେ ଷ୍ଟାଫ ମଧ୍ୟ ଆକ୍ରାନ୍ତ ହୋଇଥିବାରୁ ୭ଦିନ ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟ ଓ ଷ୍ଟାଫ ରହୁଥିବା କଲୋନୀ ଅଂଚଳ ସମେତ ଥେରୁବାଲି ମାର୍କେଟ ଅଂଚଳରୁ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ୩ଦିନ ଯାଏଁ ସଟଡାଉନ ଘୋଷଣା କରାଯାଇ ସମସ୍ତ ଅଂଚଳକୁ କନଟେଂଟମେଂଟ ଜୋନ ଘୋଷଣା କରାଯାଇଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
ଅପରପକ୍ଷେ ଜିଲ୍ଳାର ମୁନିଗୁଡା ବ୍ଳକର ଅମ୍ବାଦଳାର ଜଣେ ୭୪ବର୍ଷିୟ ବୟସ୍କ ପୁରୁଷ ମଧ୍ୟ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଗତକାଲି ସୋମବାର ଜୁଲାଇ ୨୦ତାରିଖରେ ଜୀବନ ଯୁଦ୍ଧ ହାରିଯାଇଥିବା ବେଳେ ପୂର୍ବରୁ ସେ ଗୁରୁତର ଭାବେ ନିମୋନିଆ ରୋଗରେ ପୀଡିତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିଲେ ।
ତେବେ ଜିଲ୍ଳାରେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବଂ ପଦ୍ମପୁରରେ ଏକାଥରକେ ଜଣଙ୍କ ସଂସ୍ପର୍ଶରେ ଆସି ୨୨ଜଣ ଗୋଟିଏ ସାମାଜିକ ଗହିଳ ସ୍ଥାନରୁ ଆକ୍ରାନ୍ତ ହୋଇଥିବାରୁ ଜିଲ୍ଳାବାସୀଙ୍କୁ ପୁଣିଥରେ ଜିଲ୍ଳାପାଳ ଶ୍ରୀ ବେହେରା ନିବେଦନ କରି ସତର୍କ ରହିବାକୁ ପରାମର୍ଶ ଦେବା ସହ କୋଭିଡ-୧୯ଗାଇଡଲାଇନକୁ ମାନି ଚଳିବା ବେଳେ ଅତି ଜରୁରୀ କାମ ନ ଥିଲେ ଘର ପଦାକୁ ନ ବାହାରିବା,ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ସାବୁନରେ ହାତ ଧୋଇ ଘରକୁ ପଶିବା ଏବଂ ସାମାଜିକ ଗହଳି ସ୍ଥାନରୁ ଯଥାସମ୍ଭବ ନିଜକୁ ଦୂରେଇ ରଖିଲେ କରୋନା ହାରିବ ଓ ଜୀବନ ଜିତିବ ବୋଲି ନିବେଦନ କରିଛନ୍ତି । ଏଥିସହିତ ଗାଇଡଲାଇନ ଖିଲାପକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ ସତର୍କ କରାଇଛନ୍ତି ।
ସେହିପରି ଦିନ ବେଳା ସମୟରେ ଲକଡାଉନ ନିମୟକୁ କୋହଳ କରାଯାଇଥିଲେ ମଧ୍ୟ ସଂଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଯେଉଁ ନିୟମ ରହିଛି ତାହାକୁ ଲୋକେ ବେଖାତିର କରି ରାସ୍ତା ଉପରେ ବୁଲୁଛନ୍ତି । ପୋଲିସ ପେଟ୍ରୋଲିଂକୁ ଆହୁରି କଡାକଡି କରାଯାଇ ଅମାନିଆକୁ ଘରେ ବସିବାର ପରାମର୍ଶ ଦେବା ପରିବର୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଯାଇଛି ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରୁଛନ୍ତି ।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in