ଲାଞ୍ଜିଗଡ଼,୧/୮: ସରକାରଙ୍କ ଏକ ଜନପ୍ରିୟ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତରେ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଆବାସ ଘର ଖଣ୍ଡିଏ ପାଇଁ ଜଣେ ଗରିବ ମହିଳା ହନ୍ତସନ୍ତ ହୋଇ ମରିଗଲେ ସିନା କିନ୍ତୁ ଜୀବନର ଶେଷ ପର୍ଯ୍ୟନ୍ତ ପାଇ ପାରିଲେ ନାହିଁ ଆବାସ ଯୋଜନାର ବାକି ଟଙ୍କା।
ଏପରି ସଙ୍ଗିନ ଅଭିଯୋଗ ଆସିଛି ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଶ୍ୟାମ ସୁନ୍ଦର ପୁର ଗାଁରୁ। ଏହି ଗ୍ରାମର ପ୍ରେମଶିଳା ଗଉଡ଼ ଘରଦ୍ୱାର ନଥିବାରୁ ବହୁତ କଷ୍ଟରେ କାଳାତିପାତ କରୁଥିଲେ। ପରେ ପଞ୍ଚାୟତ ଓ ବ୍ଲକକୁ ଅନେକ ଥର ଦୌଡ଼ିବା ପରେ ତାଙ୍କ ନାମରେ ୨୦୧୩ ମସିହାରେ ଘର ଆସିଥିଲା।କିନ୍ତୁ ଘର ବାବଦକୁ ଦାଇତ୍ୱରେ ଥିବା ପଞ୍ଚାୟତ କର୍ମଚାରୀ ୫ ହଜାର ଟଙ୍କା ଦେବା ପାଇଁ କହିଥିଲା। ପଇସା ନ ଦେବାରୁ ସେହିଘରକୁ ନିକଟସ୍ଥ ଗାଁ ଡଙ୍ଗାବାହାଲର ଟଙ୍କ ବାଗକୁ ଦିଆଯାଇଥିଲା। ପୁଣି ତାଙ୍କ ନାମରେ ୨୦୧୫ ମସିହାରେ ଘର ଆସିଥିଲା।ସେହି ସମୟରେ ମଧ୍ୟ ୩ ହଜାର ଟଙ୍କା ନଦେବାରୁ ସେହି ଘରକୁ ନିକଟସ୍ଥ ଗାଁ ଖେମୁଣ୍ଡି ପଦରର ଜଣେ ଆଦିବାସୀଙ୍କୁ ଦିଆଯାଇଥିଲା। ଘର ନମିଳିବା ଯୋଗୁଁ ପ୍ରେମଶିଳା ନିରାଶ ହୋଇ ଯାଇଥିଲେ। ପରେ ୨୦୧୬ ମସିହା ମାର୍ଚ୍ଚ ମାସରେ ତତ୍କାଳୀନ କଳାହାଣ୍ଡି ଜିଲ୍ଲାପାଳ ଡ଼. ବୃନ୍ଦା ଡି ତ୍ରିଲୋଚନପୁର ଠାରେ ଏକ ଗ୍ରାମ ସଭାରେ ଯୋଗ ଦେଇଥିଲେ। ଏହି ସମୟରେ ଗ୍ରାମ ପଞ୍ଚାୟତର ବହୁ ଗରିବ ନିରିହ ଲୋକଙ୍କୁ ଘର ପାଇଁ କାର୍ଯ୍ୟାବେଶ ବଣ୍ଟନ କରିଥିଲେ।ପ୍ରେମଶିଳାଙ୍କ ଦୁଇ ପୁଅ ଦଶରଥ ଗଉଡ଼ ଓ ଯୁଗେଶ୍ୱର ଗଉଡ଼ ମାଁଙ୍କ ଘର ବିଷୟରେ ଜିଲ୍ଲା ପାଳଙ୍କୁ ଅଭିଯୋଗ କରି ଯିବା ସମୟରେ ଅଧା ରାସ୍ତାରୁ ପଞ୍ଚାୟତ କର୍ମଚାରୀ ମାନେ ଦୁଇ ଭାଇଙ୍କୁ ଆମେ ତମ ମା ନାମରେ ଘର କରିଦେବୁ ତମେ ଜିଲ୍ଲା ପାଳ ପାଖକୁ ଯାଅନି ବୋଲି ନେହୁରା ହୋଇଥିଲେ। କିନ୍ତୁ ମା ପ୍ରେମଶିଳାଙ୍କ ବୟସ ସୀମା ସେତେବେଳେ ୬୦ ରୁ ଉର୍ଦ୍ଧ୍ବ ହୋଇ ଯାଇଥିବା ଯୋଗୁଁ ପ୍ରେମଶିଳା ତାଙ୍କ ନାମରେ ଘର ନଦେଇ ପୁଅ ମାନଙ୍କ ନାମରେ କରିଦେବାକୁ କହିଥିଲେ। କିନ୍ତୁ ପଞ୍ଚାୟତ ଅଧିକାରୀ ମାନେ କିଛି ଚିନ୍ତା କରନ୍ତୁ ନାହିଁ ତମ ନାମରେ ଥିଲେ ମଧ୍ୟ ଆମେ ପୁଅମାନଙ୍କ ପାସବୁକରେ ପଇସା ଜମା କରିବୁ ବୋଲି କହିଥିବା ସେମାନେ ପ୍ରକାଶ କରିଛନ୍ତି। ଏସବୁ ଭିତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ୨୦୧୬ ଜୁନ ମାସରେ ପ୍ରେମଶିଳାଙ୍କୁ କାର୍ଯ୍ୟାବେଶ ପ୍ରଦାନ କରାଗଲା। ପ୍ରଥମ କିସ୍ତି ୨୦ ହଜାର ଟଙ୍କା ଘର ନିର୍ମାଣ ପାଇଁ ମିଳିବା ବିଳମ୍ବ ହେଲା ତେଣୁ ବନ୍ଧୁବାନ୍ଧବଙ୍କୁ ପଇସା ମାଗି ପ୍ରେମଶିଳା ପ୍ରାୟ ୬୦ ହଜାର ଟଙ୍କା ଘର ନିର୍ମାଣରେ ଖର୍ଚ୍ଚ କରିଥିଲେ। ପଇସା ପାଇଁ ବାରମ୍ବାର ପଞ୍ଚାୟତ ଓ ବ୍ଲକ ଅଫିସକୁ ଦୌଡ଼ିବା ପରେ ତତ୍କାଳୀନ ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ଏସବିଆଇ ବ୍ୟାଙ୍କର ଜଣେ କର୍ମଚାରି ଓ ପଞ୍ଚାୟତ କର୍ମଚାରୀ ପ୍ରେମଶିଳାଙ୍କ ଘରକୁ ଯାଇ ୩ ଟି ଚେକରେ ଦସ୍ତଖତ କରି ଆଣିଥିଲେ। କିଛିଦିନ ପରେ ଦୁଇଟି କିସ୍ତିର ପଇସା ୫୫ ହଜାର ଟଙ୍କା ପ୍ରେମଶିଳାଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥିଲା। ପଇସା ମିଳିବା ପରେ ଘର କାମ ପୁଣି ଆରମ୍ଭ କରିଥିଲେ। କିନ୍ତୁ ବକେୟା ଥିବା ୭୫ ହଜାର ଟଙ୍କା ଆଉ ମିଳିଲା ନାହିଁ। ଅପେକ୍ଷା କରି କରି ପ୍ରେମଶୀଳାର ୨୦୧୯ ଜୁନ ମାସରେ ମୃତ୍ୟୁ ଘଟିଥିଲା।
ମୃତ୍ୟୁ ପରେ ମଧ୍ୟ ଦାଇତ୍ୱରେ ଥିବା ପଞ୍ଚାୟତ କର୍ମଚାରୀ ଗ୍ରାମ ରୋଜଗାର ସେବକ ଅରବିନ୍ଦ ମହାନ୍ତି ଓ ଯୋଗାଣ ସହାୟକ ଦେବରାଜ ନାଏକ ସେହି ଘରକୁ ପ୍ରାୟ ୧୫ ଥର ହେଲା ଫୋଟୋ ଉଠାଇ ଆସୁଥିବା ବେଳେ ଅତିଶୀଘ୍ର ପଇସା ମିଳିବ ବୋଲି ସୁଶୀଳାଙ୍କ ପୁଅ ଦସରଥଙ୍କୁ ପ୍ରତିଶ୍ରୁତି ଦେଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ପରିବାର ଲୋକ ବ୍ୟାଙ୍କରେ ପଚାରି ବାରୁ ଘର ବାବଦରେ ମିଳିବା ପଇସା ଉଠା ଯାଇଥିବା ବ୍ୟାଙ୍କ କର୍ମଚାରୀ ପରିବାର ଲୋକଙ୍କୁ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ତଦନ୍ତ କରି ବକେୟା ପଇସା ଦେବା ପାଇଁ ସାଧାରଣରେ ଦାବି ହେଉଛି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in





