ରାୟଗଡ: ଭାରତୀୟ ମଜଦୁର ସଂଘର ରାଜ୍ୟ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପ୍ରଦାନ କରାଯାଇଛି । ଏହି କ୍ରମରେ ରାୟଗଡ ଜିଲ୍ଲା କଲୋନରା ବ୍ଳକର ସଭାପତି ପ୍ରଦୀପ କୁମାର ମିଶ୍ର ଓ ସଂପାଦକ ସହଦେବ ନାଏକଙ୍କ ନେତୃତ୍ୱରେ କୋଭିଡ- ୧୯ କୁ ଦୃଷ୍ଟିରେ ରଖି ସାମାଜିକ ଦୂରତାକୁ ବଜାୟ ରଖି କଲୋନରା ସ୍ଥିତ ମାଁ ମଝୀଘରିଆଣିଙ୍କ ମନ୍ଦିର ଠାରେ ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସହର ମୂଖ୍ୟ ରାସ୍ତା ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ୫ ଦଫା ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ତଥା ଜିଲ୍ଲା ସଭାପତି ଯୋଗେଶ୍ଵର ଦାସ, ସମ୍ମାନିୟ ଅତିଥି ଭାବେ ଜିଲ୍ଲା ସଂପାଦକ ଖଗେଶ୍ବର ସିଂ ଓ ଉପସଭାପତି ମହନ ରାଓ ମାଝୀ ଉପସ୍ଥିତ ଥିଲେ, ମୁଖ୍ୟ ଅତିଥି ଯୋଗେଶ୍ଵର ଦାସ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ବର୍ତ୍ତମାନ ରାଜ୍ୟ ସରକାର କରୋନା ନାଁରେ ଶ୍ରମିକ ମାନଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳୁଛି । ତାହା ତୁରନ୍ତ ବନ୍ଦ କରି ସେମାନଙ୍କୁ ତୁରନ୍ତ କର୍ମନିଯୁକ୍ତି ଦେବା ସହ ସେମାନଙ୍କ ଥଇଥାନ ପାଇଁ ଦାବି କରିଥିଲେ । ୫ ଦଫା ଦାବି ମଧ୍ୟରେ ସମସ୍ତ ପ୍ରବାସୀ ଶ୍ରମିକ ତଥା ବେକାର ଯୁବକ ଯୁବତୀ ମାନଙ୍କ ଦକ୍ଷତା ସର୍ବେକ୍ଷଣ କରାଯାଇ ଅନୁରୁପ ନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇ ଦେବା, ହସ୍ପିଟାଲ କର୍ମଚାରୀଙ୍କ ଭଳି ସମସ୍ତ ମହିଳା କରୋନା ଯୋଦ୍ଧା ଅଗଂନବାଡି କର୍ମଚାରି ଏବଂ ଆଶା ଓ ଆଶା ସାଥି କର୍ମଚାରୀ ଇତ୍ୟାଦିଙ୍କୁ ଦିନିକିଆ ୫୦୦ ଟଙ୍କା କରୋନା ସହାୟତା ଭତ୍ତା ପ୍ରଦାନ କରିବା,ଅର୍ଥାଭାବ ଦର୍ଶାଇ କୌଣସି ଠିକା ଏବଂ କଣ୍ଟ୍ରାକ୍ତୁଆଲ କର୍ମଚାରୀଙ୍କୁ ଛଟେଇ କରା ନ ଯାଉ ଓ ବନ୍ଦ ଥିବା ସରକାରୀ ନିଯୁକ୍ତିକୁ ତୁରନ୍ତ ଚାଲୁ କରିବା, ନିର୍ମାଣ ଶ୍ରମିକ, ରିକ୍ସା ଚାଳକ, ଓଟୋ ଚାଳକ, ସ୍ୱ-ରୋଜାଗାରୀ, ଉଠା ଦୋକାନୀ, ପରିବା ବ୍ୟବସାୟୀ ଏବଂ ଅଣସଗଠିତ ଶ୍ରମିକଙ୍କୁ ତାଲା ବନ୍ଦ ସମୟରେ ମାସିକ ଦୁଇ ହଜାର ଟଙ୍କା କରୋନା ସହାୟତା ରାଶି ପ୍ରଦାନ କରିବା, ସମସ୍ତ ପ୍ରବାସୀ ଓ ଦାଦନ ଶ୍ରମିକଙ୍କୁ ନିଶ୍ଚିତ ପଞ୍ଜୀକରଣ କରିବା
ଆଦି ସବୁ ଦାବି ଉପସ୍ଥାପନ କରାଯାଇଥିଲା।
ଉକ୍ତ କାଯ୍ୟକ୍ରମରେ ରାୟଗଡ଼ ବ୍ଲକ ସଭାପତି ଗୋପୀନାଥ ଗୌଡ଼, ଜେ.କେ. ପେପେର ମଜଦୂର ସଂଘର ସଭାପତି ଏସ ଦୁର୍ଗା ଏବଂ ଜନାର୍ଦ୍ଧନ ଲେଙ୍କା, ବିଶ୍ଵକର୍ମା ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଦୁର୍ଗାମାଧବ ଘୋଷ, କୃଷି ଗ୍ରାମୀଣ ମଜଦୂର ସଂଘର ଜିଲ୍ଲା ସଭାପତି ରମେଶ କୀଲାନା, ରାଜକୁମାର ଲିମା, ରବି ଗୌଡ଼ ପ୍ରମୁଖ ପରିଚାଳନା କରିଥିଲେ।
ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in