ସାରଳା ଦାସ ମହାଭାରତର ମଧ୍ୟପର୍ବରେ ଲେଖିଲେ –
“ଗୋସିଂହ ବୋଲିଣ ଅଟେ ଯେବଣ ରାକ୍ଷସ
ମଣିଷ ଶରୀର ତା’ର ଗୋମୁଣ୍ଡ ସଂଯାତ ।।
ମହା ପ୍ରତାପୀ ମହିଷା ଅସୁରର ବଂଶ
ଜେନାବଳୀ ନଗ୍ରେ ରାଜ୍ୟ କରଇ ଅସୁର ।।”
ସାରଳା ମହାଭାରତ ବର୍ଣ୍ଣନା ଅନୁସାରେ ମହିଷାସୁର ବଂଶଜ ଗୋସିଂହ ଦୈତ୍ୟ ଜେନାବଳୀ ନଗ୍ରରେ (ବର୍ତ୍ତମାନର ଅବିଭକ୍ତ କଳାହାଣ୍ଡି, କୋରାପୁଟ ଓ ବସ୍ତର ଅଞ୍ଚଳ) ରାଜୁତି କରୁଥିଲା । ତା’ର ରାଜଧାନୀ କୁଳାବଳୀପାଟଣା (ଅସୁରଗଡ) ଓ ସେଥି ମଧ୍ୟରେ କନକ (ଦେବଗିରି) ନାମରେ ଗୋଟିଏ ପର୍ବତ ଅଛି । ସୂଚନା ଯୋଗ୍ୟ ଆଦିକବି ସାରଳା ଦାସ ଗୋସିଂହ ଦୈତ୍ୟ ବଧ ପ୍ରକରଣ ପ୍ରସଙ୍ଗ ଉତ୍ଥାପନ କରି କହିଛନ୍ତି ଯେ, ରୈବତ ପର୍ବତରେ କୃଷ୍ଣ ବଳରାମ ଏକ ଯଜ୍ଞର ଆୟୋଜନ କରି ଚାରି ଦିଗକୁ ନିଜ ବଂଶଜମାନଙ୍କୁ ଦୂତ ଭାବେ ପଠାଇଲେ । ସେମାନଙ୍କ ମଧ୍ୟରୁ ସାତ୍ୟକୀ ଦାନବ କି ମାନବ ରାଜ୍ୟ ବୋଲି ଜାଣି ନପାରି ଜେନାବଳୀ ରାଜ୍ୟର ରାଜଧାନୀ କୁଳାବଳୀପାଟଣାରେ ପ୍ରବେଶ କରିଛି । ଏହାକୁ ନେଇ ସାରଳା ଦାସ ସାତ୍ୟକୀ ମୁଖରେ ନଗ୍ରର ଶୋଭା ବର୍ଣ୍ଣନା କରିବା ସହ ଏହି ରାଜ୍ୟର ରାଜାଙ୍କ ବଂଶ ପରିଚୟ ବଖାଣ କରିଛନ୍ତି ।
ଏ ତ ଗଲା ପୁରାଣ କଥା । ଏହା ବ୍ୟତିରେକ ଲୋକକଥା ଓ କିମ୍ବଦନ୍ତିରେ ଗୋସିଙ୍ଗ ଦୈତ୍ୟ ଅସୁରଗଡରେ ରାଜୁତି କରୁଥିବା କଥା ସାମ୍ନାକୁ ଆସେ । ବର୍ତ୍ତମାନ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅସୁରଗଡ ଦୁର୍ଗର ଖନନ ଜାରି ରଖିଛି ଓ ଏଥିରୁ ଗୁପ୍ତ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଅନେକ ପ୍ରତ୍ନତାତ୍ତ୍ବିକ ଉପାଦାନ ପ୍ରାପ୍ତ ହେଉଛି । ଏହି ଖନନ ସଂପୂର୍ଣ୍ଣ ହେଲେ ଏହି ପ୍ରାଚୀନ ନଗରୀ ବିଷୟରେ ସବିଶେଷ ତଥ୍ୟ ଲୋକଲୋଚନକୁ ଆସିବ ।
ଐତିହାସିକ ଅସୁରଗଡ ଦୁର୍ଗ କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ ଅନ୍ତର୍ଗତ ଅସୁରଗଡ ବେସ୍କା ପ୍ରଗଣାରେ ଅବସ୍ଥିତ । ଏହି ମାଟିର ଭୂମିପୂତ୍ର ହେଉଛନ୍ତି ଆଦିବାସୀ କନ୍ଧ । ସେମାନଙ୍କ ବିଶ୍ବାସ ଅନୁସାରେ ଗୋସିଙ୍ଗ ଦୈତ୍ୟ ‘ବେସ୍କା କନ୍ଧ’ ଓ ନାଗ ଗୋତ୍ରୀୟ । ଲୋକ ବିଶ୍ବାସ ଅନୁସାରେ ଗୋସିଙ୍ଗ ଦୈତ୍ୟଙ୍କ ମନ୍ତ୍ରୀ ଜପାସୁର ଦଳିତ ଡମ୍ବ ସଂପ୍ରଦାୟର ଓ ବାଗ ବଂଶଜ। ସେହିପରି ଗୋସିଙ୍ଗ ଦୈତ୍ୟଙ୍କ ସେନାପତି ଗଖାସୁର ଗଉଡ ସଂପ୍ରଦାୟର ତଥା କରୁଆଁ ବଂଶର ଦାୟାଦ। ହଜାର ହଜାର ବର୍ଷଧରି ଏହି ମାଟିରେ ଆଦିବାସୀ କନ୍ଧଙ୍କ ସହ ଡମ୍ବ ଓ ଗଉଡ ସଂପ୍ରଦାୟ ବାସ କରି ଆସିଛନ୍ତି । ତେଣୁ ଐତିହାସିକ ଅନୁଶୀଳନ ପରିପ୍ରେକ୍ଷୀରେ ଏହି ଲୋକବିଶ୍ବାସ ଓ କିମ୍ବଦନ୍ତିକୁ ମଧ୍ୟ ସଂପୂର୍ଣ୍ଣ ଉପେକ୍ଷା କରାଯାଇନପାରେ। ଆଜି ମଧ୍ୟ ଏ ଅଞ୍ଚଳରେ ଗୋସିଙ୍ଗ ଦୈତ୍ୟ ଓ ମହିଷାସୁରର ଗାଥାକୁ ନେଇ ଅନେକ ଲୋକ ନାଟକ ପରିବେଷିତ ହୋଇ ଆସୁଛି।
ଯେହେତୁ ଲୋକ ବିଶ୍ବାସ ଅନୁସାରେ ଗୋସିଙ୍ଗ ଦୈତ୍ୟ ‘ବେସ୍କା କନ୍ଧ’, ତେଣୁ ତାଙ୍କ ପୂର୍ବଜ ମଧ୍ୟ କନ୍ଧ ହେବା ଯୁକ୍ତିଯୁକ୍ତ । ସେହି ନ୍ୟାୟରେ ଗୋସିଙ୍ଗ ଦୈତ୍ୟଙ୍କ ପୂର୍ବ ପୁରୁଷ ମହିଷାସୁର ମଧ୍ୟ ବେସ୍କା କନ୍ଧ । ପଶ୍ଚିମ ଓଡିଶାରେ ଏହି ଲୋକବିଶ୍ୱାସ ବଳବତ୍ତର ଥିବାବେଳେ ଦେଶର ଅନେକ ପ୍ରାନ୍ତରେ ଆଦିବାସୀ ଓ ଦଳିତମାନେ ମହିଷାସୁରକୁ ନିଜର ପୂର୍ବଜ ବୋଲି ବିବେଚନା କରିଥାନ୍ତି। ସେମାନଙ୍କ କହିବା ଅନୁସାରେ ଦେବୀ ଦୁର୍ଗା ଓ ମହିଷାସୁରକୁ ନେଇ ଯେଉଁ କାହାଣୀ ପ୍ରଚଳିତ, ପ୍ରକୃତରେ ତାହା ନୁହଁ। ଦେବତାମାନେ ଅସୁରଙ୍କୁ ନୁହଁ ବରଂ ସେମାନଙ୍କ ପୂର୍ବଜଙ୍କୁ ହତ୍ୟା କରିଛନ୍ତି।
ମହିଷାସୁରଙ୍କୁ କିଛି ଆଦିବାସୀ ଓ ଦଳିତ ଅଞ୍ଚଳରେ ଭଗବାନର ମାନ୍ୟତା ଦିଆଯାଇଥାଏ। ଏହି ଅଞ୍ଚଳର ଆଦିବାସୀମାନେ ମହିଷାସୁରଙ୍କୁ ନିଜର ପୂର୍ବଜ ବୋଲି ମାନିଥାନ୍ତି। ଝାରଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଛତିଶଗଡର କିଛି ଆଦିବାସୀ ଅଞ୍ଚଳରେ ମହିଷାସୁରଙ୍କ ପୂଜା କରାଯାଇଥାଏ। ସେମାନଙ୍କ କହିବା ଅନୁସାରେ ଦେବୀ ଦୁର୍ଗା ଛଳନାର ଆଶ୍ରୟନେଇ ତାଙ୍କୁ ବଧ କରିଥିଲେ। ମହିଷାସୁର ସେମାନଙ୍କ ପୂର୍ବଜ ଓ ଦେବତାମାନେ ଅସୁରଙ୍କୁ ନୁହଁ ବରଂ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ସଂହାର କରିଥିଲେ।
ଝାରଖଣ୍ଡର ଗୁମଲାରେ ଅସୁର ନାମରେ ଏକ ଜନଜାତି ବାସ କରନ୍ତି। ସେମାନେ ମହିଷାସୁରଙ୍କୁ ନିଜ ପୂର୍ବଜ ବୋଲି ମାନିଥାନ୍ତି। ଝାରଖଣ୍ଡର ସିଂହଭୂମି ଅଞ୍ଚଳର କିଛି ଜନଜାତି ମଧ୍ୟ ମହିଷାସୁରଙ୍କୁ ନିଜର ପୂର୍ବପୁରୁଷ ବୋଲି ବିଶ୍ବାସ କରିଥାନ୍ତି। ଏହି ଅଞ୍ଚଳରେ ନବରାତ୍ରୀ ସମୟରେ ମହିଷାସୁରଙ୍କ ବଳିଦାନ ଦିବସ ପାଳନ କରାଯାଇଥାଏ। ପଶ୍ଚିମବଙ୍ଗର କାଶିପୁର ଅଞ୍ଚଳରେ ମଧ୍ୟ ଆଦିବାସୀ ସମୁଦାୟ ଦ୍ବାରା ମହିଷାସୁରଙ୍କ ବଳିଦାନ ଦିବସ ଧୁମଧାମରେ ପାଳନ କରାଯାଏ। କେତେକ ସ୍ଥାନରେ ମହିଷାସୁରଙ୍କୁ ରାଜା ବୋଲି ମନାଯାଏ। ଅସୁର ଜନଜାତିର ଲୋକ ନବରାତ୍ରୀ ସମୟରେ ଦଶ ଦିନ ଧରି ଶୋକ ପାଳନ କରିଥାନ୍ତି।
✍️ସୁନୀଲ କୁମାର ଧଙ୍ଗଡାମାଝୀ
ସମ୍ପାଦକ, ‘ଓଡିଆ ବାର୍ତ୍ତା’