ବନ୍ଦିଛୋଡ ବଂଶ ପରମ୍ପରାରେ ବାରମୁନି ଉପାସନା ଓ ଦେବଗିରିର ପ୍ରାଚୀନ ଧର୍ମଧାରା : ଏକ ସଂକ୍ଷିପ୍ତ ଆଲୋଚନା

ପ୍ରାଚୀନ ମହାକାନ୍ତାର ସଭ୍ୟତା ସମୟରୁ କଳାହାଣ୍ଡିରେ କନ୍ଧ, ଡମ୍ବଙ୍କ ସହ ବସବାସ କରିଆସୁଥିବା ମଗଧା ଯାଦବ ମାନଙ୍କ ଏକ ସମୃଦ୍ଧ ସଂସ୍କୃତି ରହିଛି। ମଗଧା ଯାଦବଙ୍କ ୧୨୦ ବଂଶ ମଧ୍ୟରୁ ବନ୍ଦିଛୋଡମାନେ ଏକ ପ୍ରମୂଖ ବଂଶ ଭାବେ ପରିଗଣିତ ହୁଅନ୍ତି। କଳିଙ୍ଗ ଯୁଦ୍ଧ ସମୟରେ ସୁଦୂର ମଗଧରୁ ଆସିଥିବା ଏହି ଯାଦବ ଗୋଷ୍ଠୀ ଆଦିବାସୀ ସଂସ୍କୃତିର ସହ ସମତାଳ ଦେଇ ଗତିକରିଛି। ଆଦିବାସୀ କନ୍ଧ ସଂସ୍କୃତିର ଅନେକ ବିଭବ ମଗଧା ଯାଦବ ସଂସ୍କୃତିସହ ସଂଶ୍ଲିଷ୍ଟ ହୋଇ ଏକ ମହାନ ସାଂସ୍କୃତିକ ଧାରାରେ ରୂପାନ୍ତରିତ ହୋଇଛି। ମଗଧା ଯାଦବଙ୍କ ୧୨୦ ବଂଶ ମଧ୍ୟରୁ ବନ୍ଦୀଛୋଡ ମାନେ ଏକ ପ୍ରମୂଖ ବଂଶ। ଏମାନେ କରୁଆଁ ମାନଙ୍କ ଦୂଧ୍ ଭାଇ। ଲୋକଶୃତି ଓ କିମ୍ବଦନ୍ତି ଅନୁସାରେ ମଗଧରୁ ଅନେକ ଯାଦବ କଳିଙ୍ଗ ଯୁଦ୍ଧରେ ଯୋଗ ଦେବାକୁ ସମ୍ରାଟ ଅଶୋକଙ୍କ ସହ ଆସିଥିଲେ। କଳିଙ୍ଗ ଯୁଦ୍ଧ ପରେ ସେମାନେ ଆଟବିକ ବିଦ୍ୟାଧର ରାଜ୍ୟ (ବର୍ତ୍ତମାନର ଅବିଭକ୍ତ କଳାହାଣ୍ଡି, କୋରାପୁଟ ଓ ବସ୍ତର ଅଞ୍ଚଳ)ରେ ଆସି ବସବାସ କରିବାକୁ ଲାଗିଲେ। ସମ୍ରାଟ ଅଶୋକ ଆଟବିକ ରାଜ୍ୟ ଜୟ କରିପାରିନଥିଲେ ମଧ୍ୟ ମଗଧା ଓ ଆଟବିକ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଅନୁସାଶନ ପ୍ରଣୟନ କରିଥିଲେ, ଯାହା ଜଉଗଡ ଶିଳା ଲେଖାରୁ ସ୍ପଷ୍ଟ ହୋଇଥାଏ।

Omkar Vasthu
Omkar Vasthu
(କ୍ଲିକ୍ କରି ଦେଖନ୍ତୁ ଶୁଭେଚ୍ଛା ବାର୍ତ୍ତା👆🏽)

ମଗଧରୁ ଆସିଥିବା ଚନ୍ଦ୍ରବଂଶୀ ବା ସୋମବଂଶୀମାନେ ପରବର୍ତ୍ତୀ ସମୟରେ ମଗଧା ଯାଦବ ବା ମଗଧା ଗଉଡ ଭାବେ ଲୋକମୁଖରେ କଥିତ ହେଲେ। ଲୋକଶୃତି ଅନୁସାରେ ମଗଧରାଜ ଜରାସନ୍ଧ ବନ୍ଦି କରି ରଖିଥିବା ରାଜାମାନଙ୍କୁ କୃଷ୍ଣଙ୍କ ନିର୍ଦ୍ଦେଶରେ ବନ୍ଧନ ମୁକ୍ତ କରିଥିବା ଚନ୍ଦ୍ର ବଂଶୀ କ୍ଷେତ୍ରୀୟମାନେ ପରବର୍ତ୍ତୀ ସମୟରେ ବନ୍ଦିଛୋଡ ଭାବେ ଖ୍ୟାତ ହେଲେ। ଏହି ଯାଦବ କୁଳଙ୍କ ବଂଶ ମଧ୍ୟ ବନ୍ଦିଛୋଡ ହୋଇଗଲା। ମଗଧରୁ ୧୪ବର୍ଗର ବାଗ, ନାଗ, କରୁଆଁ, ବନ୍ଦିଛୋଡ, କେତକି, ହେର୍ଣ୍ଣା, ସଗରିଆ, ପୋଢ, ହାତୀ, ବଗାର, ରତେ, ଦୀପ, ମଟାଲି ଆଦି ସମେତ କେତେକ ମଗଧା ଯାଦବ ବଂଶ ପ୍ରଥମେ କଳିଙ୍ଗକୁ ଆସିଥିଲେ। ସେଠାରୁ ଆଟବିକ ରାଜ୍ୟରେ ପହଞ୍ଚିବା ପରେ ଆଟବିକ ରାଜ୍ୟର ମୂଳ ବାସିନ୍ଦା ଭୁମିପୁତ୍ର ଆଦିବାସୀ କନ୍ଧ ମାନେ ମଗଧା ଗଉଡ ମାନଙ୍କୁ ସେମାନଙ୍କ ଜମି ସହ ଦେବତା ଭାଗ ଦେଇ ଶାନ୍ତିରେ ସହବସ୍ଥାନ କଲେ। କନ୍ଧ, ଗଣ୍ଡ, ଡମ୍ବ ମାନେ କୃଷି କ୍ଷେତ୍ରର ରକ୍ଷାକର୍ତ୍ତି ଦେବୀ ମାଉଲିଙ୍କ ସମେତ ଦୁଲା, ପାହାଡେନ, ଭାଲୁମୁଡେନ ଆଦି ଅନେକ ଦେବୀ ଓ ଡଙ୍ଗରବୁଡା, ବୁଢ଼ାରଜା, ବାରମୁନି, ଭୈରବ ଆଦି ଅନେକ ଦେବତାଙ୍କୁ ଉପାସନା କରୁଥିଲେ। କନ୍ଧମାନେ ମଗଧା ମାନଙ୍କୁ ଜମିଦାନ କରିବାପରେ ସେହି ଜମି ଉପରେ ଥିବା ଦେବତାମାନଙ୍କୁ ମଧ୍ୟ ଉପାସନା କଲେ। ତେବେ ମଗଧା ଯାଦବଙ୍କ ବନ୍ଦିଛୋଡ ବଂଶଜଙ୍କୁ କନ୍ଧମାନେ ‘ବାରମୁନି’ ଦେବତା ଭାଗଦେଲେ। ୧୨ ଭାଇ ବନ୍ଦିଛୋଡ ବାରମୁନି ଦେବତାଙ୍କୁ କନ୍ଧଙ୍କ ଠାରୁ ପ୍ରାପ୍ତହୋଇ ଉପାସନା କରିବାକୁ ଲାଗିଲେ । ଏହା ସହ କାଲିସୁନ୍ଦରୀ, ଦୂଲା ଓ ଦୂଆରସୁନୀ ଦେବୀଙ୍କୁ ମଧ୍ୟ ପୂଜା କଲେ। କିନ୍ତୁ ପରଂପରା ଅନୁକ୍ରମରେ ଯାଦବଙ୍କ ସମସ୍ତ ଇଷ୍ଟ ଦେବା ଦେବୀ ଗୃହରେ ପୂର୍ବବତ ରହିଲେ।

Pearl dental clinic
Near Ashish Medical Store, Bhawanipatna
(କ୍ଲିକ୍ କରି ଦେଖନ୍ତୁ ଶୁଭେଚ୍ଛା ବାର୍ତ୍ତା👆🏽)

ସମୟକ୍ରମେ ବିଭିନ୍ନ ସ୍ଥାନରେ ବସତି ସ୍ଥାପନ କରି ବନ୍ଦିଛୋଡଙ୍କ ଏକ ବିରାଟ ଗୋଷ୍ଠୀ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲବ ବୁଢିପଦର ଦେବଗିରି ନିକଟସ୍ଥ ଅର୍ଜୁନଗାଁ ଠାରେ ବାରମୁନି ଦେବତାଙ୍କ ଆସ୍ଥାନ ନିର୍ମାଣ କରି ଉପାସନା କରିଆସୁଛନ୍ତି। ଦଶହରା ସମୟରେ ବାରମୁନି ଦେବତାଙ୍କ ଝାଞ୍ଜିମଡା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଥିରେ ପ୍ରାଚୀନ ତନ୍ତ୍ର ପରମ୍ପରାର ଝଲକ ଦେଖିବାକୁ ମିଳିଥାଏ। ବାରମୁନି ଦେବତାଙ୍କ ସହ କାଲିସୁନ୍ଦରୀ ଓ ଦୁଆରସୁନୀ ଦେବୀ ମଧ୍ୟ ଝାଞ୍ଜି ମାଡି ଥାନ୍ତି।

Udyog Nursery
Udyogi Nursery
(କ୍ଲିକ୍ କରି ଦେଖନ୍ତୁ ଶୁଭେଚ୍ଛା ବାର୍ତ୍ତା👆🏽)

ଅର୍ଜୁନ ଗାଁର ମୁଖ୍ୟ ପୀଠରେ ବନ୍ଦିଛୋଡ ଯାଦବ ମାନେ ପୂଜା କରୁଥିବାରୁ ବାରମୁନି ଶୁକ୍ଲାହାର ଗ୍ରହଣ କରିଥାନ୍ତି। ଦେବତାଙ୍କୁ ପ୍ରାଚୀନ ତନ୍ତ୍ର ମାଧ୍ୟମରେ ଆବାହନ କରାଯାଇ ଖଇ, ଖିର, କଦଳୀ, ନାରିକେଳ ଆଦି ସମର୍ପଣ କରାଯାଏ। କିନ୍ତୁ ଅନ୍ୟ ଦେବାଦେବୀ ମାନଙ୍କୁ ଗୁହାଳ ଠାରେ ବଳିଭୋଜା ଦିଆଯାଇଥାଏ। ବାରମୁନିଙ୍କ ଦଶରା ପୂଜା ଗୁପ୍ତ ଭାବରେ ସଂପନ୍ନ ହୋଇଥାଏ। କାଲିସୁନ୍ଦରୀ, ଦୁଲା ଓ ଦୁଆରସୁନୀ ଦେବୀଙ୍କୁ ଯନ୍ତ୍ର ମଣ୍ଡଳ ଉପରେ ପ୍ରାଚୀନ ଅଭିଚାର ତନ୍ତ୍ର ଧାରାରେ ମଧ୍ୟ ବଳିଭୋଜା ଦିଆଯାଉଥିବା ବେଳେ ବାରମୁନିଙ୍କ ଉପାସନା ପଦ୍ଧତିରେ ସାମାନ୍ୟ ବ୍ୟତିକ୍ରମ ଦେଖାଯାଇଥାଏ।

(କ୍ଲିକ୍ କରି ଦେଖନ୍ତୁ ଶୁଭେଚ୍ଛା ବାର୍ତ୍ତା👆🏽)

ଦଶହରା ସମୟରେ ବାରମୁନି ଦେବତାଙ୍କ ଉପାସନା କରାଯାଏ। ପୁର୍ବପୁରୁଷ ଅନୁକ୍ରମରେ ଚାଲି ଆସୁଥିବା ପରମ୍ପରା ଅନୁକ୍ରମେ ଯନ୍ତ୍ର ମଣ୍ଡଳ ଅଙ୍କନ କରି ଘଣ୍ଟ, ଶଙ୍ଖ ଓ ଗଣା ବଜାର ନାଦସହ ଦେବତାଙ୍କୁ ଆବାହନ କରାଯାଇଥାଏ। ତେବେ ବାରମୁନି ଅଭିଚାର ତନ୍ତ୍ର ଧାରାର ଜଣେ ବଳିଷ୍ଠ ଦେବତା ହେବାସତ୍ବେ ବନ୍ଦିଛୋଡ ମାନେ ତାଙ୍କ ପାଖରେ ବଳିଭୋଜା କିମ୍ବା ମଦ୍ୟ ପ୍ରଦାନ କରିନଥାନ୍ତି।

(କ୍ଲିକ୍ କରି ଦେଖନ୍ତୁ ଶୁଭେଚ୍ଛା ବାର୍ତ୍ତା👆🏽)

ବନ୍ଦିଛୋଡ ବଂଶର ଜଣେ ଦାୟାଦଙ୍କ ଦେହରେ ବାରମୁନି ଦେବତା ଉଭା ହୋଇଥାନ୍ତି। ସେହିପରି ଅନ୍ୟ ଦୁଇ ଜଣଙ୍କ ଦେହରେ କାଲିସୁନ୍ଦରୀ ଓ ଦୁଆରସୁନି ଦେବତା ବିଜେକରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।ଦେବତାଙ୍କ ପାଇଁ ପୂର୍ବରୁ କଣ୍ଟାଦୋଳି ଏବଂ ଖନ୍ଦା (ଝାମୁ) ପ୍ରସ୍ତୁତ ହୋଇ ରହିଥାଏ। ପ୍ରଥମେ ବାରମୁନି ଦେବତା ଝାଞ୍ଜି ମାଡିଥାନ୍ତି। ଏହାପରେ କାଲିସୁନ୍ଦରୀ ଓ ଦୁଆରସୁନୀ ଦେବୀ ଝାଞ୍ଜିମାଡି ନିଜ ଶକ୍ତିର ପରିଚୟ ଦେଇଥାନ୍ତି। ଝାଞ୍ଜିମଡା ସଂପନ୍ନ ହେବାପରେ ବାରମୁନି କଣ୍ଟା ଦୋଳିରେ ବସି ଭକ୍ତଙ୍କ ଗୁହାରି ଶୁଣିଥାନ୍ତି।

(କ୍ଲିକ୍ କରି ଦେଖନ୍ତୁ ଶୁଭେଚ୍ଛା ବାର୍ତ୍ତା👆🏽)

ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ଭାବେ ପରିଚିତ ଦେବଗିରି ଏକ ପ୍ରମୁଖ ତନ୍ତ୍ର ପୀଠ ଭାବେ ମଧ୍ୟ ସ୍ବକିୟ ସ୍ବତନ୍ତ୍ରତା ପ୍ରତିପାଦନ କରେ। ଏହାର ସମୟସୀମା ଖ୍ରୀ:ପୂ: ପଞ୍ଚମ ଶତାବ୍ଦୀ ରୁ ଖ୍ରୀଷ୍ଟାବ୍ଦ ୫ମ ଶତାବ୍ଦୀ ମଧ୍ୟରେ ଆକଳନ କରାଯାଇଛି। ଲୋକଶୃତି ଅନୁସାରେ ଗୋସିଙ୍ଗଦୈତ୍ୟ ଦେବଗିରିରେ ଶିବ ଓ ଶକ୍ତିଙ୍କୁ ଉପାସନା କରୁଥିଲେ। ଅସୁରଗଡରେ ଗଙ୍ଗାଦୀ, କଳାପାର, ଦୁଆରସେନୀ, ବୁଢାରଜା ଆଦି ଦେବାଦେବୀ ପୂଜା ପାଇଥାନ୍ତି।

ଅସୁରଗଡ ଦୁର୍ଗର ଦକ୍ଷିଣ ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ ଦେବଗିରିର ବୃହତ ଅଞ୍ଚଳରେ ଅନେକ ଦେବାଦେବୀ ଉପାସିତ ହୋଇଥାନ୍ତି। ଦେବଗିରି ଗୁମ୍ଫା ମଧ୍ୟରେ କାଶି ବିଶ୍ୱନାଥ ମହାଦେବ ଓ ମହାମାୟା ଚଣ୍ଡୀ ପୂଜା ପାଉଥିବାବେଳେ ଗୁମ୍ଫାର ବାହାର ପାର୍ଶ୍ଵରେ ବାମନେନ ବୁଢୀ ପୂଜା ପାଇଥାନ୍ତି। ଦେବଗିରିର ସମ୍ମୁଖ ବୁଢିପଦରରେ ଦୁଲା, ମାନେକସରୀ, ଗବଡା ଆଦି ଦେବତା, ସଗରପଡାରେ ଦୁଆରସେନୀ ଓ ପାହାଡେନ, ରାକ୍ସିରେ ବାଲି ଭୈରବ, କଁଟା ଭୈରବ, ଅଗ୍ନି ଭୈରବ ଓ ବିମଳା, ଗୋଖରାରେ ବାବୁରା ଓ ବୁଢ଼ିମା ଏବଂ ଦେବଗିରିର ପଶ୍ଚାତ ଭାଗ ଅର୍ଜୁନ ଗାଁରେ ବାରମୁନି ଦେବତାଙ୍କ ସହ କାଲିସୁନ୍ଦରୀ ଓ ଦୁଆରସେନୀ ପୂଜା ପାଇଥାନ୍ତି।

(କ୍ଲିକ୍ କରି ଦେଖନ୍ତୁ ଶୁଭେଚ୍ଛା ବାର୍ତ୍ତା👆🏽)

ଦେବଗିରିର ସଂସ୍କୃତିରେ କନ୍ଧ, ଡମ୍ବ ଓ ଯାଦବଙ୍କ ସଂପୃକ୍ତି ଦେଖାଯାଇଥାଏ। ବନ୍ଦିଛୋଡ ବଂଶର କୃପାସିନ୍ଧୁ ଦାସ ( ଗଉଡ ) ଦେବଗିରିର ମହନ୍ତ ହୋଇଥିଲେ। କୃପାସିନ୍ଧୁ ଦାସଙ୍କ ପରେ ତାଙ୍କ ପୁତ୍ର ଦୂର୍ବାଦଳ ଦାସ ଦେବଗିରି ମଠର ହେରିଡେଟାରି ଟ୍ରଷ୍ଟିକ ଓ ସେବାୟତ ଭାବେ କାର୍ଯ୍ୟରତ। ଦେବଗିରିର ପୂର୍ବ ପରମ୍ପରା ଅନୁକ୍ରମେ ଦୁଲା, ଧର୍ନି ଓ ଗବଡାଙ୍କୁ କନ୍ଧମାନେ ପୂଜା କରିଥାନ୍ତି। ସେହିପରି ଦୁଆରସେନୀ ଓ ଭୈରବଙ୍କୁ ଡମ୍ବ ଏବଂ ବାରମୁନି, କାଲିସୁନ୍ଦରୀ, ଦୁଆରସେନୀ, ବିମଳା, ବାବୁରା, ବୁଢିମାଙ୍କୁ ଏହି ଅଞ୍ଚଳର ଯାଦବମାନେ ଉପାସନା କରିବାର ଅଧିକାର ପ୍ରାପ୍ତ ହୋଇଥାନ୍ତି। ତେବେ ଉପରୋକ୍ତ ଜାତିମାନେ ପାରମ୍ପାରିକ ରିତିନୀତି ଅନୁସାରେ ଏହି ଗ୍ରାମ ଦେବାଦେବୀମାନଙ୍କୁ ଉପାସନା କରୁଥିଲେ ମଧ୍ୟ ଦେବତାଙ୍କୁ ସମସ୍ତେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପୂଜା ଓ ଦର୍ଶନ କରିଥାନ୍ତି। ଦେବଗିରିର ପ୍ରାଚୀନ ଧର୍ମ ପରମ୍ପରାରେ ବାରମୁନି ଏକ ପ୍ରତ୍ୟକ୍ଷ ଦେବତା ଭାବେ ଜନମାନସରେ ଆରାଧିତ ହୋଇ ଆସୁଛନ୍ତି।

ସୁନୀଲ କୁମାର ଧଙ୍ଗଡାମାଝୀ

ସଂପାଦକ, ‘ଓଡ଼ିଆ ବାର୍ତ୍ତା’

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.