ଭାରତୀୟ ତନ୍ତ୍ର ଧାରାର ଏକ ବୃହତ ଶ୍ରୋତ ‘ଅଭିଚାର ତନ୍ତ୍ର ଧାରା’ ଆଜି ମଧ୍ୟ କଳାହାଣ୍ଡିରେ ଦେଖିବାକୁ ମିଳେ। ଏହି କ୍ରମରେ ଜିଲ୍ଲାର ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଞ୍ଚଳରେ ଅନେକ ପ୍ରାଚୀନ ଦେବାଦେବୀ ଆରାଧିତ ହୋଇ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ମା ଚକାମଲେନଙ୍କ ବିଶେଷ ପ୍ରସିଦ୍ଧି ରହିଛି। ପ୍ରତିବର୍ଷ ଦଶହରା ସମୟରେ ଦେବୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏବର୍ଷ କୋଭିଡ ସଂକଟ ମଧ୍ୟରେ ପାରମ୍ପରିକ ରୀତିନୀତି ଅନୁସାରେ ଆଶ୍ୱିନ ଶୁକ୍ଳ ପୂର୍ଣ୍ଣିମା ଦିନ ମା ଚକାମଲେନଙ୍କ ଯାତ୍ରା ସଂପନ୍ନ ହୋଇଯାଇଛି।

କିନ୍ବଦନ୍ତି ଓ ଲୋକଶୃତି
ଦେବୀ ଚକାମଲେନଙ୍କ ଉତ୍ପତିକୁ ନେଇ ଏକ ଜନଶୃତି ଓ କିମ୍ବଦନ୍ତୀ ରହିଛି। ଅନେକ ଦିନ ତଳର କଥା ଖଡ଼ିଆଲ ଅଞ୍ଚଳର ବାରମୁଲା ଗାଁରେ ଜଣେ ଜମିଦାର ଥିଲେ। ‘ଅଗ୍ନିକନ୍ୟା’ ନାମରେ ତାଙ୍କର ଜଣେ ଅତ୍ୟନ୍ତ ରୂପବତୀ କନ୍ୟା ଥିଲେ। ଅଗ୍ନିକନ୍ୟା ହଟାତ ବସନ୍ତ ରୋଗରେ ପୀଡିତ ହୋଇ ମୃତ୍ୟବରଣ କଲେ। ପରମ୍ପରା ବିରୋଧରେ ଯାଇ ଜମିଦାର ଅଗ୍ନିକନ୍ୟାର ଶବକୁ ଦାହ ସଂସ୍କାର କରିଥିଲେ। ଏହାପରେ ଜମିଦାରଙ୍କ ଘରେ ବିଭିନ୍ନ ଆଲୌକିକ ଘଟଣାମାନ ଘଟିବାକୁ ଲାଗିଲା। ଅନେକ ତନ୍ତ୍ରମନ୍ତ୍ର ପରେ ମଧ୍ୟ ଠିକ ହେଲା ନାହିଁ। ଶେଷରେ ବାର ଭାଇ ମରାଲ ଗୁରୁ ଜମିଦାରଙ୍କ ଘରକୁ ଆସି ପ୍ରେତାତ୍ମାକୁ ବଶୀଭୂତ କରିଥିଲେ। କିନ୍ତୁ ପ୍ରେତାତ୍ମାର ଏକ ସର୍ତ୍ତ ରହିଲା ଯେଉଁଠି ସକାଳ ପାହିବ ସେଠାରେ ତାଙ୍କର ସ୍ଥାପନ କରି ପୂଜାର୍ଚ୍ଚନା କରାଯିବ। ସର୍ତ୍ତ ଅନୁସାରେ ପ୍ରେତାତ୍ମା ପାଇଁ ଦୋଳା ବନ୍ଧା ହେଲା। ଦୋଳାରେ ପ୍ରେତାତ୍ମା ବିଜେ କଲା ପରେ ଗଉଡ (ନରିଆ)ଙ୍କ ସହ ନିଶାନ, ନାଗରା ତାଳେ ତାଳେ ମରାଲ ଗୁରୁ ମାନେ ବାରମୁଲା ଗାଁରୁ ବାହାରିଲେ।
ଦୀର୍ଘପଥ ଅତିକ୍ରାନ୍ତ ପରେ ଧର୍ମଗଡ଼ର ବଡ଼ଘୁମେର ଗାଁ “ଚକାମାଲ” ନାମକ ଜମିରେ ସମସ୍ତେ ବିଶ୍ରାମ ନେଲେ। ସେଠାରେ ସକାଳ ପାହି ଯାଇଥିବାରୁ ସର୍ତ୍ତ ଅନୁସାରେ ସେହି ଜମି ଉପରେ ଦେବୀଙ୍କୁ ସ୍ଥାପନ କରି ପୂଜାର୍ଚନା କରିବା କଥା, କିନ୍ତୁ ସେମାନେ ତାହା କଲେ ନାହିଁ। ସକାଳ ପହିଲା ବେଳକୁ ସେଠାରେ ବାର ଭାଇ ମରାଲ ଗୁରୁ, ବଜନିଆ, ଗଉଡ ସମସ୍ତେ ମରି ଯାଇଥିଲେ। ଦେବୀ ଅପୂଜା ହୋଇ ରହିବାରୁ ବଡ଼ଘୁମେରରେ ବିଭିନ୍ନ ପ୍ରକାରର ଆଲୌକିକ ଘଟଣାମାନ ଘଟିବାକୁ ଲାଗିଲା। ସେ କାଳରେ ଝିଅ ମାନେ ବୋରିଆ ଖେଳୁଥିଲେ। ପ୍ରେତାତ୍ମା ଝିଅ ଋପ ଧାରଣକରି ବୋରିଆ ଖେଳିବା ସମୟରେ ଝିଅମାନଙ୍କୁ ଉଭାନ କରି ନେଉଥିଲେ। ଘଟଣାକ୍ରମେ ଅନେକ ଅନୁସନ୍ଧାନ ପରେ ବଡ଼ଘୁମେରର ତତ୍କାଳୀନ ଗୌନ୍ତିଆ ଇନ୍ଦ୍ରଜିତ ଓ ଗୟା ନାମକ ଜଣେ ବୈଷ୍ଣବ ଦେବୀଙ୍କୁ ବଶୀଭୂତ କରିପାରିଥିଲେ ଓ ଦେବୀଙ୍କର ପୂଜାର୍ଚ୍ଚନାର ବନ୍ଦୋବସ୍ତ କରିଥିଲେ।
ଦେବୀ ଚକାମଲେନଙ୍କ ପୂଜା ନୀତି
ଗୈାନ୍ତିଆ ଇନ୍ଦ୍ରଜିତ ଓ ଗୟା ବୈଷ୍ଣବ ଦେବୀଙ୍କୁ ବଶୀଭୂତ କରିବା ସମୟରେ ସର୍ତ୍ତ ରହିଲା ଯେ, ଦେବୀଙ୍କ ପାଇଁ ଏକ ପୋଖରୀ ଖନନ କରାଯିବ। ସେଠାରେ ଏକ ପୋଖରୀ ଖୋଲାଯାଇ ତା’ର ନାମ “ଜୁନାବନ୍ଧ” ରଖାଗଲା ଓ ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଦେବୀଙ୍କ ପୂଜାର୍ଚନା ପାଇଁ ସର୍ତ୍ତ ରଖାଗଲା। ସେହି ଦିନ ଠାରୁ କୁମାର ପୂର୍ଣ୍ଣିମା ତିଥିରେ ଦେବୀଙ୍କ ଯାତ୍ରା ମହା ସମାରୋହରେ ପାଳିତ ହୋଇଥାଏ। ଦେବୀଙ୍କ ସହ ବାର ଭାଇ ମରାଲ ଗୁରୁ , ବଜନିଆ, ଗଉଡ ମଧ୍ୟ ପୂଜା ପାଇଥାନ୍ତି। ଦେବୀଙ୍କ ପାଖରେ ବୋଦା ବଳୀ, ବାର ଭାଇ ମରାଲ ଗୁରୁଙ୍କୁ ଗଞ୍ଜେଇ, ବଜନିଆଙ୍କ ପାଇଁ ମଦ, ଗଉଡଙ୍କ ପାଇଁ ଭୋଗ ଲାଗି ହୋଇଥାଏ। ଚକାମାଲ ନାମକ ଜମିର ଏକ ବୃକ୍ଷ ମୂଳରେ ଦେବୀଙ୍କ ପୂଜା ହୋଇଥାଏ। ପୂଜା ଦିନ ଦେବୀଙ୍କ ଆସ୍ଥାନଙ୍କୁ ଗୋମୟରେ ଲିପାପୋଛା ହୋଇ ଗଙ୍ଗାଜଳରେ ଶୁଦ୍ଧ କରି ଯଥା ରୀତି ପୂଜା ହୋଇଥାଏ। ବଡ଼ଘୁମେର ଗୌନ୍ତିଆ ପରିବାରରୁ ଜଣେ ଓ ଗୟା ନାଗାଙ୍କ ବଂଶଧର ପର୍ଲା ଗୌନ୍ତିଆଙ୍କ ପରିବାରରୁ ଜଣେ ଉପସ୍ଥିତ ରହି ଗାଁ ଦେବୀଙ୍କୁ ପାଟ ବସ୍ତ୍ର , ସିନ୍ଦୁର, ଚୁଡ଼ି ଆଦି ଦେବୀଙ୍କ ବିଭିନ୍ନ ପୂଜା ଦ୍ରବ୍ୟ ରେ ଆଭୂଷଣ କରାଇଥାନ୍ତି। ପ୍ରଥମେ ବଡ଼ଘୁମେର ଗ୍ରାମର ଗୌନ୍ତିଆଙ୍କ ଘରୁ ଯାଇଥିବା ବିଭିନ୍ନ ପୂଜା ସାମଗ୍ରୀ ନଡ଼ିଆ, ବୋଦା ପୂଜାର୍ଚନା ପରେ ପର୍ଲା ଗୋୖନ୍ତିଆ ପରିବାରରୁ ଯାଇଥିବା ପୂଜା ସାମଗ୍ରୀ ନଡ଼ିଆ ବୋଦା ଆଦିକୁ ପୂଜା କରିଥାନ୍ତି। ପରେ ପରେ ସମସ୍ତ ଭକ୍ତଙ୍କ ପୂଜାର୍ଚନା କରିଥାନ୍ତି। ବର୍ଷକ ଥରେ ଆଶ୍ୱିନ ପୂର୍ଣ୍ଣିମା ଦିନ ପୂଜା ହେଉଥିବା ବେଳେ ପୀଠରୁ ୨୦୦ ମିଟର ଦୂର ପର୍ଲାରୁ ବୋଡେ଼ନ ଯିବା ରାସ୍ତାରେ ଡାହାଣ ପାର୍ଶ୍ବରେ ଥିବା ଏକ ନିମ୍ବ ବୃକ୍ଷ ମୂଳରେ ପୂଜା ହୋଇଥାଏ। ଏଥିପାଇଁ କୌଣସି ପୂଜକଙ୍କ ଦରକାର ପଡେ ନାହିଁ। ଯେ କୌଣସି ବ୍ୟକ୍ତି ମଧ୍ୟ ପୂଜା କରି ନଡ଼ିଆ ସିନ୍ଦୁର ଧୁପକାଠି ଦେଇ ଦେବୀଙ୍କୁ ପୂଜା କରିଥାନ୍ତି ଏହାକୁ “ଆଡ଼ ପୂଜା” କୁହାଯାଏ। ଦେବୀଙ୍କ ପାଖରେ ଭୋଗ ଲାଗିଥିବା ପ୍ରାସାଦ କେବଳ ପୁରୁଷ ମାନେ ହିଁ ଖାଇଥାନ୍ତି। ପ୍ରସାଦକୁ ଗାଁ ଭିତରକୁ ପ୍ରବେଶ ପାଇଁ ବାରଣ ଅଛି। ଜମିଦାରଙ୍କ ପରିବାରରେ କେହି ଗର୍ଭାବତୀ ହେଲେ ସେ ଦେବୀ ତାର ଗର୍ଭକୁ ଖାଇଯାଉଥିଲା ଫଳରେ ଗର୍ଭପାତ ହୋଇଯାଉଥିଲା। ତେଣୁକରି ଗର୍ଭାବତୀ ମାନେ ଦେବୀଙ୍କ ପ୍ରସାଦ ଖାଆନ୍ତି ନାହିଁ। ଦେବୀ ଜମିଦାରଙ୍କ ଭଣ୍ଡାର ଘରେ ରହୁଥିବାରୁ ଦେବୀଙ୍କ ଅନ୍ୟନାମ ଭଣ୍ଡାର ଘରେନ ହୋଇଛି।