ରାୟଗଡ଼ (ଶିବ ନାରାୟଣ ଗୌଡ଼) : ଜ୍ୟୋତିର୍ମୟ ଯୁବମଞ୍ଚର ଶାରଦୀୟ ମିଳନ ଓ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ଉନ୍ମୋଚିତ ହୋଇଯାଇଛି ‘ଜ୍ୟୋତିର୍ମୟ : ଯୁବପିଢିଙ୍କ ସ୍ୱର’ ଶାରଦୀୟ ସଂଖ୍ୟା ଏବଂ ତରୁଣ ସ୍ରଷ୍ଟା ରୂପେଶ ସାହୁଙ୍କ ପୁସ୍ତକ ‘ଏକ ଏକାକାର’। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ସୁସାହିତ୍ୟିକ ତଥା ‘ଆମ ପଞ୍ଚବଟୀ’ର ସମ୍ପାଦକ ସୁଶାନ୍ତ କୁମାର ନାୟକ, ବିଶିଷ୍ଟ ଗାଳ୍ପିକା ହିରଣ୍ମୟୀ ମିଶ୍ର, ଓଡ଼ିଆ ସାହିତ୍ୟ ଏକାଡେମୀ ସଦସ୍ୟ ଡମ୍ବରୁଧର ପଟ୍ଟନାୟକ, କବି ତଥା ପ୍ରଶାସନିକ ଅଧିକାରୀ ଚିତ୍ତରଞ୍ଜନ ନାୟକ, ଅନୁବାଦକ ଆଶୁତୋଷ ପାତ୍ର, କବି ଶ୍ରୀଧର ପଟ୍ଟନାୟକ, ଗାଳ୍ପିକ ବିମଳ ଚାନ୍ଦ ପଟ୍ଟନାୟକ। ରାଜ୍ୟ ସ୍ତରୀୟ ଏହି ଭର୍ଚୁଆଲ ଶାରଦୀୟ ଭେଟାଭେଟି କାର୍ଯ୍ୟକ୍ରମରେ ଅନେକ ଯୁବ ସ୍ରଷ୍ଟା ଯୋଗଦେଇଥିଲେ। ସୁବ୍ରତ ସେନାପତି, ସ୍ୱାଗତିକା ନାୟକ, ରୂପେଶ ସାହୁ ଓ ଓମ୍ ପ୍ରକାଶ ବିଶ୍ୱାଳଙ୍କ ସମ୍ପାଦନାରେ ପତ୍ରିକା ସମ୍ପାଦିତ ହୋଇଛି।
ଏଥିପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣେଇ ଅତିଥିମାନେ ଜ୍ୟୋତିର୍ମୟ ପତ୍ରିକା ଆଗାମୀ ଦିନରେ ତରୁଣ ସ୍ରଷ୍ଟାମାନଙ୍କୁ ଓଡ଼ିଆ ସାହିତ୍ୟ ସହ ପରିଚିତ କରେଇବାରେ ଏକ ବଳିଷ୍ଠ ଭୂମିକା ନେବ ବୋଲି ମତ ପ୍ରକାଶ କରି ଜ୍ୟୋତିର୍ମୟ ପତ୍ରିକାର ମଙ୍ଗଳ କାମନା କରିଥିଲେ। ପଶ୍ଚିମା ପ୍ରକାଶନୀ ଭଳି ଅଗ୍ରଣୀ ସଂସ୍ଥାରୁ ରୂପେଶ ସାହୁଙ୍କ ପ୍ରଥମ କବିତା ସଙ୍କଳନ ପ୍ରକାଶ ପାଇବା ଏକ ଉଲ୍ଲେଖନୀୟ ସଫଳତା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଓଡ଼ିଆ ସାହିତ୍ୟରେ ଆଗାମୀ ଦିନର ସେ ଜଣେ ସୁନ୍ଦର ଭବିଷ୍ୟତ ବୋଲି ମତ ଦେଇ ଅତିଥିମାନେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ଅନେକ ସାହିତ୍ୟିକ ତଥା ବୁଦ୍ଧିଜୀବିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତରୁଣ ସ୍ରଷ୍ଟା ରୂପେଶ ସାହୁ ପ୍ରକାଶକ ଅଶୋକ ମହାନ୍ତି ଏବଂ ରାୟଗଡ ଜିଲ୍ଲାର ବରିଷ୍ଠ ସ୍ରଷ୍ଟାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।