ଆଦିମ ସଂସ୍କୃତିରେ କାଲିସୁନ୍ଦରୀ ଉପାସନା : ଏକ ବିହଙ୍ଗାବଲୋକନ

ଭାରତ ବର୍ଷରେ ମାତୃ ଶକ୍ତି ଉପାସନା ଧାରା ଅତି ପ୍ରାଚୀନ। ଏହି ଧାରାର ଏକ ବଳିଷ୍ଠ ଦେବୀ ହେଉଛନ୍ତି କାଳୀ। ଭାରତରେ ବୈଦିକ ସଭ୍ୟତାର ବହୁ ପୂର୍ବରୁ ଆଦିବାସୀ ସଂସ୍କୃତି ଏକ ମହାନ ସଂସ୍କୃତି ଭାବେ ପ୍ରତିଷ୍ଠିତ ହୋଇଥିଲା। ଏହି ସଂସ୍କୃତିର ଏକ ପ୍ରାଚୀନ ଧାରା ଆଜି ବି ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଦେଖାଯାଏ। ଏହି ଧାରାର ଅନେକ ଦେବାଦେବୀ ଯଥା – ଡୁକରୀ ବୁଡ଼ି, କଲାପାର୍, ଭାଲୁମୁଡେନ୍, ଗଙ୍ଗାଦୀ, ଦୁଆରସୁନୀ, ମାଏଲୀ, କାଲିସୁନ୍ଦରୀ, ଗବଡ଼ା, ବଞ୍ଜାରୀ, ବସ୍ତରେନ, ଧରନୀ, ବୁଡ଼ାରଜା, ଡଙ୍ଗରବୁଡ଼ା, ବାବୁରା, ବାରମୁନି, ଭୈରବ, ଘାଟି ମୁଡ଼େନ୍, ଠେଙ୍ଗା, ପାହାଡେନ୍, କୋକଡେନ୍, ଦୁଲା, ମାନେକସରୀ ଆଦି ଅସଂଖ୍ୟ ଦେବାଦେବୀ ମଧ୍ୟରୁ କାଲିସୁନ୍ଦରୀ ଅନ୍ୟତମ।

Omkar Vasthu
Omkar Vasthu
(କ୍ଲିକ୍ କରି ଦେଖନ୍ତୁ ଦିପାବଳୀ ଶୁଭେଚ୍ଛା ବାର୍ତ୍ତା 👆)

ଅନେକ ଗ୍ରାମରେ ଗ୍ରାମଦେବୀ ରୂପେ ଉପାସିତା ହେଉଥିବା ଏହି ଦେବୀଙ୍କୁ କେତେକ ସଂପ୍ରଦାୟ ଗୃହରେ କିମ୍ବା ଗଛମୂଳେ ଇଷ୍ଟଦେବୀ ରୂପେ ଉପାସନା କରିଥାନ୍ତି। ପୂର୍ବେ ଆଦିମ ସମାଜରେ ମୂର୍ତ୍ତି ପୂଜାର ପ୍ରଚଳନ ନଥିବାରୁ ଦେବାଦେବୀମାନଙ୍କ ପ୍ରତୀକ ରୂପେ ପଥରକୁ ରଖି ପୂଜା କରାଯାଉଥିଲା। ଏହି ପରଂପରା ବର୍ତ୍ତମାନ ମଧ୍ୟ ଅନୁସୃତ ହୋଇଆସୁଛି। ଆଦିମ ସଂସ୍କୃତି ଧାରାରେ ଦେବୀ କାଲିସୁନ୍ଦରୀ ଶୂନ୍ୟରୂପା। ତାଙ୍କର ଆକାର ନାହିଁ, କିନ୍ତୁ ସେ ତ୍ରିବିଧ ଜଗତରେ ବ୍ୟାପ୍ତ ହୋଇ ରହିଥାନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଦିମ କାଳରେ ନାଗ୍ନୀ, ଯୋଗ୍ନୀ, ଖରାପ ଗ୍ରହ, ଭୂତପ୍ରେତ ଆଦି କବଳରୁ ଶିଶୁ ଓ ଗୃହପାଳିତ ପଶୁମାନଙ୍କୁ ରକ୍ଷା କରିବାର ମାନସିକତାରୁ ଅନେକ ଦେବାଦେବୀ ଉପାସନା ଆରମ୍ଭ ହୋଇଥିଲା। ସେହି କ୍ରମରେ କାଲିସୁନ୍ଦରୀ ଉପାସନା କରାଯାଇଥିବା ଅନୁମାନ କରାଯାଏ। ପ୍ରାଚୀନ ସଂସ୍କୃତି ପରଂପରା ଆଧାରରେ ଦେବୀଙ୍କୁ ମଦ୍ୟ, ବଳୀ ଆଦି ପ୍ରଦାନ କରାଯାଇଥାଏ। ସମୟ ସମୟରେ ଦେବୀ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ଉଭା ହେଇଥାନ୍ତି। କାଳିସୀ ମାଧ୍ୟମରେ ସେ ଭଲମନ୍ଦ କଥା ପ୍ରକାଶ କରିଥାନ୍ତି।

ଦେବୀ କାଲିସୁନ୍ଦରୀଙ୍କ ପ୍ରିୟ ବାଦ୍ୟ ହେଉଛି ଡମ୍ ବଜା। ଡମବଜା ବା ଗଣାବଜାର ଦେବତା ପାହାର ସୁଲ(୧୬) ଭରନୀ ବଜାକୁ ନେଇ ଗତିଶୀଳ ହୋଇଥାଏ। ଏହାର ତ୍ରିପାଦ କିମ୍ବା ପଞ୍ଚମ ପାଦରେ କାଲିସୁନ୍ଦରୀ ପାହାର ଆସିଥାଏ। କାଲିସୁନ୍ଦରୀ ଉପାସନା ସମୟରେ ମୁହୁରିଆ ଏହି ପାହାର ବଜାଇବା ସହ ପଞ୍ଚ ବାଦ୍ୟର ଶକ୍ତ ଶୃଙ୍ଖଳ ମଧ୍ୟରେ ଦେବୀଙ୍କୁ ଆବାହନ କରାଯାଇଥାଏ। ଏହା ବ୍ୟତିରେକ ବିବାହ ସଂସ୍କାର ସମୟରେ ବଜାବସା ଦିନ ପ୍ରଥମେ ଦେବତା ପାହାର ବାଜିଥାଏ।

(କ୍ଲିକ୍ କରି ଦେଖନ୍ତୁ ଦିପାବଳୀ ଶୁଭେଚ୍ଛା ବାର୍ତ୍ତା 👆)

ଏଥିରେ ମଧ୍ୟ ସୁଲ ଭରନୀ ବାଦ୍ୟ ବାଜିଥାଏ ଏବଂ ଅନ୍ୟାନ୍ୟ ଦେବାଦେବୀ ସମେତ କାଲିସୁନ୍ଦରୀଙ୍କୁ ଅଭିଚାର ତନ୍ତ୍ର ଧାରାରେ ଆବାହନ କରାଯାଇଥାଏ। ପଶ୍ଚିମ ଓଡ଼ିଶାର ‘ବାରମାସୀ ଦଣ୍ଡନୃତ୍ୟ’ ରାଧାକୃଷ୍ଣଙ୍କ ଶାଶ୍ୱତ ପ୍ରେମଗାଥାକୁ ନେଇ ଗତିଶୀଳ ହୋଇଥାଏ। ଦଣ୍ଡନୃତ୍ୟର ପ୍ରାରମ୍ଭରେ ଢୋଲିଆ ସୁଲ ଭରନୀ ବାଦ୍ୟନାଦ କରି ଦେବାଦେବୀ ଆବାହନ କରିଥାଏ। ଏଥିରେ ମଧ୍ୟ କାଲିସୁନ୍ଦରୀ ପାହାର ବାଦନ କରିବାର ବିଧି ରହିଛି। ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ବିଘ୍ନ ନିବାରଣ ପାଇଁ ଆଦିମ ସମାଜ ଅନ୍ୟ ଦେବାଦେବୀଙ୍କ ସହ କାଲିସୁନ୍ଦରୀଙ୍କୁ ଉପାସନା କରି ଆସୁଛି। ଯାହା ଆଜି ମଧ୍ୟ ଅନୁସୃତ ହୋଇଆସୁଛି।

କାଲି ସୁନ୍ଦରୀ ଏକ ପ୍ରତ୍ୟକ୍ଷ ଦେବତା ରୂପେ ଆଜି ବି ପଶ୍ଚିମ ଓଡିଶାର ଜନ ଜୀବନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି। ଅତ୍ୟନ୍ତ ନିଷ୍ଠା ଓ ପାରମ୍ପାରିକ ବିଧାନ ଅନୁସାରେ ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ନବାନ୍ନ ପୂର୍ବରୁ ଗ୍ରାମମାନଙ୍କରେ ଅନୁଷ୍ଠିତ ହେଉଥିବା ‘ପନା ପାଏନ୍’ କାର୍ଯ୍ୟକ୍ରମ ହେଉ କିମ୍ବା ଦଶହରା, ଚଇତ୍ରା, ପୋଡ୍ ପୂଜା, ବିବାହ ସଂସ୍କାରର ଦେ’ ଗନସନ୍, ଓ ବିଭିନ୍ନ ଅନୁଷ୍ଠାନରେ ଅନ୍ୟ ଦେବାଦେବୀ ଆବାହନ ସମୟରେ ଗାଁର ଜାନୀ, ଝାଙ୍କର, ଗୌନ୍ତିଆ କାଲିସୁନ୍ଦରୀ ଦେବତାଙ୍କୁ ସ୍ବତନ୍ତ୍ର ଭାବେ ଆମନ୍ତ୍ରଣ କରି ପୂଜାର୍ଚ୍ଚନା କରିଥାନ୍ତି। କୃଷି କ୍ଷେତ୍ରରେ ମାଏଲି ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଚୋରୋ’ରେ ମଧ୍ୟ ସ୍ଥାନାନୁପାତରେ ଅନ୍ୟାନ୍ୟ ଦେବତାଙ୍କ ସହ କାଲିସୁନ୍ଦରୀଙ୍କୁ ଆବାହନ କରାଯାଇଥାଏ। 

ଅନେକ ଲୋକ ମତପୋଷଣ କରନ୍ତି ‘କାଳୀ’ ଓ ‘କାଲିସୁନ୍ଦରୀ’ ଏକ ଓ ଅଭିନ୍ନ । କାଲିସୁନ୍ଦରୀରୁ କାଳୀ କି କାଳୀରୁ କାଲିସୁନ୍ଦରୀ ରୂପେ ଦେବୀ ରୂପାନ୍ତରିତ ହୋଇଛନ୍ତି, ତାହା ଏକ ବିତର୍କର ବିଷୟ। କିନ୍ତୁ ସ୍ଥୂଳ ଦୃଷ୍ଟିରେ ସେ ଏକ ମହାନ ଦେବତାର ଆସନରେ ଉପବେଶନ କରି ସଂସାରର ଜନ ସମୁଦାୟ ସହ ସମସ୍ତ ପ୍ରାଣୀଙ୍କୁ କୃପା ଦୃଷ୍ଟିରେ ଅବଲୋକନ କରିଆସୁଛନ୍ତି। ଜ୍ଞାନ ବିଜ୍ଞାନର ଧାରା ଯେତେ ଯେତେ ଉନ୍ନତତର ହେବାକୁ ଲାଗିଛି, ମା’ କାଳୀ ଓ କାଲିସୁନ୍ଦରୀ ସେତେ ସେତେ ରହସ୍ୟାବୃତ୍ତ ହୋଇ ଯାଉଛନ୍ତି।

✍️ସୁନୀଲ କୁମାର ଧଙ୍ଗଡ଼ାମାଝୀ
ସମ୍ପାଦକ, ‘ଓଡ଼ିଆ ବାର୍ତ୍ତା’

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.