ସନାତନ ସଂସ୍କୃତିର ଏକ ମହାନପର୍ବ ଦିପାବଳୀ ସାରା ଦେଶରେ ଭିନ୍ନ ଭିନ୍ନ ରିତିନିତି ଅନୁସାରେ ପାଳିତ ହୋଇଥାଏ। ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂପ୍ରଦାୟ ପାରମ୍ପରିକ ରିତି ନିତି ଅନୁକ୍ରମେ ଆଲୋକର ପୂର୍ବକୁ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳନ କରିଥାନ୍ତି। କଳାହାଣ୍ଡି ସମେତ ପଶ୍ଚିମ ଓଡିଶାର ଏକ ପ୍ରାଚୀନ ଗୋଷ୍ଠୀ ମଗଧା ଯାଦବ ମାନେ ଏହି ପର୍ବକୁ ‘ଦିଆଲ୍ ଓ ଚଉଲ୍ ଧୁଆ ପର୍ବ’ ପାଳନ କରିଥାନ୍ତି । ଏହି ନିଆରା ପର୍ବ ମାଧ୍ୟମରେ ଆମେ ସେହିସମୟର ପରମ୍ପରାର ଛିଟା ଦେଖିବାକୁ ପାଇବା ।
ଆଲୋକର ପର୍ବ ଦୀପାବଳୀକୁ ପଶ୍ଚିମାଞ୍ଚଳରେ ‘ଦିଆଲ୍’ ବା ‘ଦିବାଲି’ କୁହାଯାଇଥାଏ । ସର୍ବ ସାଧାରଣ ଏହି ପର୍ବକୁ ପାଳନ କରୁଥିଲେ ମଧ୍ୟ ହଜାର ହଜାର ବର୍ଷଧରି ଅନୁଶୃତ ହୋଇ ଆସୁଥିବା ପ୍ରାଚୀନ ଧାରା ବର୍ତମାନର ଦିପାବଳି ପର୍ବ ଠାରୁ ଭିନ୍ନ ପ୍ରକାର ହୋଇଥାଏ । ପ୍ରାଚୀନ କାଳରେ ଆଟବିକ, ବିଦ୍ୟାଧର ରାଜ୍ୟ, କାରୁଣ୍ଡ, ମହାକାନ୍ତାର ଓ ଇନ୍ଦ୍ରବନ ନାମରେ ଖ୍ୟାତ କଳାହାଣ୍ଡିରେ କେଉଁ ଏକ ସ୍ମରଣାତିତ କାଳରୁ ଆଦିବାସୀ କନ୍ଧ ଓ ଜନଜାତି ଡମ୍ବଙ୍କ ସହ ବସବାସ କରି ଆସୁଥିବା ମଗଧା ଯାଦବ ବା ମଗଧା ଗଉଡ ମାନଙ୍କ ଏକ ସମୃଦ୍ଧ ସଂସ୍କୃତି ରହିଛି । ଏହି ଗୋଷ୍ଠୀର ପ୍ରାୟ ଅଧିକାଂଶ ପର୍ବ ପର୍ବାଣୀ ପିତୃ ଉପାସନା ଓ ପ୍ରକୃତି ପୂଜନ ଆଧାରରେ କୂଳାଚାର ନିତିରେ ସଂପାଦିତ ହୋଇଥାଏ । ୧୨୦ ବଂଶ/ଗୋତ୍ର ସମ୍ମିଳିତ ଏହି ବିଶାଳ ଗୋଷ୍ଠୀର ପର୍ବ ପର୍ବାଣୀ କେତେକ ନିର୍ଦ୍ଧିଷ୍ଠ ବଂଶ ମଧ୍ୟରେ ଅନୁଷ୍ଠୀତ ହୋଇଥାଏ ଓ ଆନ୍ୟାନ୍ୟ ବଂଶର ବନ୍ଧୁ ବାନ୍ଧବ ମାନେ ସେମାନଙ୍କୁ ସହଯୋଗ କରିଥାନ୍ତି । ଦିବାଲି ପର୍ବ ମଗଧା ଯାଦବଙ୍କ ବିଭିନ୍ନ ବଂଶରେ ପାରଂପାରିକ ବିଧାନ ଅନୁସାରେ ପାଳନ କରୁଥିବା ବେଳେ ଏହି ଆଲେଖ୍ୟରେ କରୁଆଁ, ବନ୍ଦିଛୋଡ ଓ ଜାଲ୍ ବଂଶର ଦିଆଲ୍ ପରବ ବିଷୟରେ ଆଲୋକପାତ କରିବାକୁ ଚେଷ୍ଟା କରାଯାଇଛି ।
କରୁଆଁ ବଂଶୀ ଯାଦବଙ୍କ ଐତିହାସିକ ପୃଷ୍ଠଭୂମୀ ଓ ଦିଆଲ୍ ପର୍ବର ସ୍ବତନ୍ତ୍ରତା
ମଗଧା ଯାଦବଙ୍କ ବିଭିନ୍ନ ବଂଶ ମଧ୍ୟରୁ କରୁଆଁ ମାନେ ଏକ ସୁସଂଗଠିତ ଗୋଷ୍ଠୀ । ପୂର୍ବରୁ ଏହି ଗୋଷ୍ଠୀ ଗୋଟିଏ ସ୍ଥାନରେ ଦଳବଦ୍ଧ ଭାବରେ ରହୁଥିଲେ ଓ ଅତି ଦୂର୍ଦଶ ଥିବା ଜଣାଯାଏ । ବିଭିନ୍ନ ପର୍ବ ପର୍ବାଣୀ ଓ ଘର ପୂଜା ଏମାନଙ୍କ ସଂଘବଦ୍ଧତାର ସୂଚନା ପ୍ରଦାନ କରେ । ଏମାନଙ୍କ ଘର ପୂଜା ହଜାର ହଜାର କରୁଆଁ ପରିବାରର ସମାଗମରେ ହୋଇଥାଏ, ତେଣୁ ଲୋକ କଥାରେ ‘ଲକ୍ଷେ କରୁଆଁ ଗୋଟେ ପୂଜା’ ବୋଲି କୁହାଯାଇଥାଏ । ଖ୍ରୀ: ପୂ: ୨୬୧ରେ ଏମାନେ ମଗଧରୁ କଳିଙ୍ଗ ଓ ସେଠାରୁ ଆଟବିକ ରାଜ୍ୟ (ବର୍ତ୍ତମାନର ଅବିଭକ୍ତ କଳାହାଣ୍ଡି,କୋରାପୁଟ ଓ ବସ୍ତର ଅଞ୍ଚଳ)କୁ ଆସି ବସବାସ କରିବାକୁ ଲାଗିଲେ । ଜନଶୃତି ଅନୁସାରେ ବାଗ, ନାଗ, ବନ୍ଦିଛୋଡ, ଦୀପ, ଗହିର, ଭୋରା ସଗରିଆ ଆଦି ଅନେକ ବଂଶ ମାନେ ମଧ୍ୟ ଏମାନଙ୍କ ସହ ଆସିଥିଲେ । ସେହି ସମୟରେ ଯାଦବ ଗୋଷ୍ଠୀ ସାତ୍ବତ ଧର୍ମର ଅନୁସରଣକାରୀ ହୋଇଥିବାରୁ ପ୍ରକୃତି ଓ ପିତୃ ଉପାସକ ଥିଲେ । ଏମାନଙ୍କ ଧର୍ମଧାରାରେ ବହୁଦେବାଦେବୀ ଉପାସନା, ମୂର୍ତ୍ତିପୂଜା କିମ୍ବା କର୍ମକାଣ୍ଡର ଚିହ୍ନବର୍ଣ୍ଣ ନଥିଲା । ଋକବେଦ ପରି ପ୍ରାଚୀନ ଗ୍ରନ୍ଥରେ ଏମାନଙ୍କ ବିଷୟରେ ସମ୍ୟକ ସୂଚନାମିଳେ । ଦିପାବଳି ବା ଦିଆଲ୍ ପର୍ବ କରୁଆଁ ମାନଙ୍କ ଦ୍ବାରା ଅତ୍ୟନ୍ତ ନିଷ୍ଠାର ସହ ପାଳନ କରାଯାଏ । କାର୍ତ୍ତିକ ଅମାବାସ୍ୟା ଦିନ ଏହି ପର୍ବ ପାଳନ କରାଯାଏ । ପୂର୍ବରୁ ଘରଦ୍ବାର ଲିପାପୋଛା କରାଯାଇଥାଏ । ଦିଆଲ ଦିନ ଅପରାହ୍ନରେ ଘରର ମହିଳା ମାନେ ମସାନ୍ କୁନା/ପିଦର (ପିତୃ ଓ ଇଷ୍ଟ ଉପାସନା ସ୍ଥଳ ) କୁ ଗୋମୟ ଦ୍ବାରା ଲିପାପୋଛା କରି ପିଠଉରେ ତିନୋଟି ଆଙ୍ଗୁଠି ଦ୍ବାରା ବନା ପକାଇଥାନ୍ତି । ଏହାସହ ଦ୍ବାର ବନ୍ଧ ପାଖରୁ ମସାନ କୁନା ଯାଏଁ ଦୁଇ ହାତକୁ ପିଠଉରେ ବୁଡାଇ କାନ୍ଥରେ ଚିହ୍ନ କରିଥାନ୍ତି । ଏପରି କରିବାର ତାତ୍ପର୍ଯ୍ୟ ହେଉଛି ପରଲୋକଗତ ପିତୃ ପୁରୁଷ ମାନେ ଏହି ଚିହ୍ନକୁ ଅନୁସରଣ କରି ଉପାସନା ସ୍ଥଳରେ ପହଞ୍ଚିବେ । କାର୍ତ୍ତିକ ମାସରେ ଅମଳ ହେଉଥିବା ସାନ ଧାନରୁ ଉତ୍ପନ୍ନ ଚାଉଳକୁ ଏହି ଦିନ ପ୍ରଥମ କରି ଧୁଆ ଯାଇଥାଏ । ଏହା ସାଧାରଣତଃ ଅରୁଆ ଚାଉଳ ହୋଇଥାଏ । ଧୁଆ ଯାଇଥିବା ନୂତନ ଚାଉଳରେ ଖିରି ପ୍ରସ୍ତୁତ ହୁଏ । ଆଉ କେତେକ ଚାଉଳକୁ ଢେଙ୍କିରେ କୁଟି ଚୁନା ପ୍ରସ୍ତୁତ କରାଯାଏ । ଏହି ଚୁନାରୁ ପୂଜା ପାଇଁ ଦିପ ଓ ପିଠା ପ୍ରସ୍ତୁତ କରାଯାଏ । ଏହି ସମୟରେ ଉତ୍ପନ୍ନ ହୋଇଥିବା ଝୁଡଙ୍ଗକୁ ଭାଜି ଡାଲି ପ୍ରସ୍ତୁତ କରାଯାଏ । ମସାନ କୁନାରେ ଏକ ଆଖୁ ଖଣ୍ଡକୁ ରଖା ଯାଇଥାଏ ଓ ଅନ୍ୟ ଏକ ଆଖୁକୁ ବାହାରେ ପିତୃଙ୍କୁ ଡାକିବା ପାଇଁ ରଖାଯାଏ । ଏହି ଆଖୁର ଶିର୍ଷ ସ୍ଥାନକୁ କଟୁରୀ ଦ୍ବାରା ଆଘାତ କରି ବଳିତା ଖଞ୍ଜା ଯାଇଥାଏ । ମସାନ କୁନାରେ ଚାଉଳ ପୁଞ୍ଜି ପକାଯାଇ ଚାଉଳଚୁନାରେ ନିର୍ମିତ ଦିପ ପ୍ରଜ୍ଜଳନ ପୂର୍ବକ ପୂର୍ବରୁ ପ୍ରସ୍ତୁତ ଖିରି, ପିଠା ଓ ଡାଲିରେ ଥୋଏତ୍ ବଢାଯାଏ । ଏହା ପରେ ଘରର ମୂରବୀ, ସମସ୍ତ ବିବାହିତ ମହିଳା, ପୁରୁଷ ଓ ଶିଶୁ ମାନେ ଚାଉଲ ପକାଇ ମୁଣ୍ଡିଆ ମାରି ଇଷ୍ଟ ଦେବାଦେବୀ ଓ ପିତୃ ପୁରୁଷଙ୍କୁ ଆବାହନ କରିଥାନ୍ତି । ପିଦରରେ କୌଣସି ଦେବାଦେବୀଙ୍କ ପ୍ରତିମା ରହିନଥାଏ । ଏହା ଶୂନ୍ୟ ଉପାସନାର ପ୍ରତିକ । ଏଥିରେ ଘରର ଇଷ୍ଟଦେବାଦେବୀ ସହ ପିତୃ ପୁରୁଷଙ୍କ ଆରଧନା କରାଯାଏ । ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ପିତୃ ପୁରୁଷ ଭାବରେ ପୂଜା ପାଆନ୍ତି । ତେବେ ସେମାନଙ୍କ ମୂର୍ତ୍ତି ପୂଜା ନହୋଇ ମାନସ ପୂଜା ହୋଇଥାଏ । ପରିବାରର ସମସ୍ତେ ଚାଉଳ ପକାଇ ସାରିବାପରେ ସମର୍ପିତ ଥୋଏତକୁ ପାଣିଛଡା ଯାଇଥାଏ । ଏହାପରେ ଅଗଣାରେ ପରିବାରର ସମସ୍ତ ପୁରୁଷ ଲୋକ ଆଖୁରେ ଖଞ୍ଜା ଯାଇଥିବା ସାତଟି ବଳିତାରେ ଅଗ୍ନି ସଂଯୋଗ କରି ଆକାଶକୁ ଦେଖାଇ ପିତୃଙ୍କ ଉଦ୍ଦେଷ୍ୟରେ ପାରଂପାରିକ ବୋଳି କହିଥାନ୍ତି । ଏହି ସମୟରେ ଘରର ମହିଳା ଓ ଝିଅ ମାନେ ଦୂରରୁ ପିତୃ ପୁରୁଷଙ୍କ ଉଦ୍ଦେଷ୍ୟରେ ପ୍ରଣାମ ନିବେଦନ କରିଥାନ୍ତି । ପୂଜା ପରେ କୁଲାରେ ଥୋଏଥ ସାମଗ୍ରୀ ସହ ଦୀପ ନେଇ ପରିବାରର ଜଣେ ମହିଳା ଗୁହାଳ ଘରେ ରଖିଦେଇ ଆସିଥାନ୍ତି । ପୂର୍ବରୁ କଞ୍ଚା ମାଟିରେ ପ୍ରସ୍ତୁତ ବଇଠାରେ ତୁଳାଦେଇ ଜଡାତେଲ ଢାଳି ଗୃହ ଚତୁଃପାର୍ଶ୍ବକୁ ଆଲୋକିତ କରାଯାଏ । ଏହି ଦିନ ଜାତି ବର୍ଣ୍ଣ ନିର୍ବଶେଷରେ ଗ୍ରାମର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କରାଯାଏ । ସମସ୍ତେ ଏକାଠି ବସି ରନ୍ଧନ ହୋଇଥିବା ଭାତ, ଡାଲି, ଖିରି, ପିଠା, ତରକାରୀ ଆଦି ବିବିଧ ବ୍ୟଞ୍ଜନ ଭୋଜନ କରିଥାନ୍ତି ।
ବନ୍ଦିଛୋଡ ଓ ଜାଲ ବଂଶର ଦୀପାବଳୀ : ରାଜକୀୟ ରୀତି ଓ ଶକ୍ତି ପୂଜନର ଛାପ
କରୁଆଁ ଯାଦବ ମାନଙ୍କ ପରି ସମାନ ରିତି ନିତି ବନ୍ଦିଛୋଡ ଓ ଜାଲ ବଂଶରେ ଦେଖା ଯାଉଥିବାବେଳେ ଦେବତା ଓ ଉପାସନା ପଦ୍ଧତ୍ତିରେ ସାମାନ୍ୟ ବୈଷମ୍ୟ ପରିଳକ୍ଷିତ ହୁଏ । କରୁଆଁ ମାନେ ଶୁକ୍ଲ ପୂଜା କରୁଥିବା ବେଳେ ବନ୍ଦିଛୋଡ ଓ ଜାଲ ମାନେ ବଳିଭୋଜା ପ୍ରଦାନ କରିଥାନ୍ତି । କିମ୍ବଦନ୍ତି ଅନୁସାରେ ବନ୍ଦିଛୋଡ ମାନେ ଚନ୍ଦ୍ର ବଂଶିୟ ମଗଧ ରାଜା ଜରାସନ୍ଧଙ୍କ ପାଖରେ ରହି ରାଜକାର୍ଯ୍ୟ ପରିଚାଳନା କରୁଥିଲେ, ଏମାନେ କରୁଆଁ ବଂଶର ଦୂଦ୍ ଭାଇ । ଭୀମଙ୍କ ଦ୍ବାରା ଜରାସନ୍ଧ ବଧ ହେବାପରେ ଭଗବାନ ଶ୍ରୀକୃଷ୍ଣ ବନ୍ଦିଥିବା ରାଜା ମାନଙ୍କୁ ବନ୍ଧନ ମୁକ୍ତ କରିବାକୁ ଉପସ୍ଥିତ ଯାଦବ ମାନଙ୍କୁ ଆଜ୍ଞା ଦେଲେ । ଉକ୍ତ ରାଜା ମାନଙ୍କୁ ବନ୍ଦିରୁ ମୁକ୍ତ କରାଇଥିବା ଯାଦବ ଗୋଷ୍ଠୀଙ୍କୁ ଶ୍ରୀକୃଷ୍ଣ ବନ୍ଦିଛୋଡ ନାମରେ ସମ୍ଭୋଧିତ କଲେ । ଏହି ଦିନଠାରୁ ସେହି ଗୋଷ୍ଠୀର ବଂଶ ବନ୍ଦିଛୋଡ ନାମରେ ଖ୍ୟାତ ହେଲା । ମହାରାଜ ଜରାସନ୍ଧଙ୍କ ଶକ୍ତି ପୂଜାରେ ସହାୟତା କରୁଥିବା ବନ୍ଦିଛୋଡ ମାନଙ୍କ ଉପାସନା ଧାରାରେ ଦେବୀ ପୂଜନ ସହ ବଳିଭୋଜା ଦେବାର ପରଂପରା ଅନୁଶୃତ ହେଉଛି ।
ସେହିପରି ମଗଧରୁ ଓଡିଶାର ପଶ୍ଚିମାଞ୍ଚଳକୁ ଆସି ବସବାସ କରୁଥିବା ୧୨୦ ବଂଶୀ ମଗଧା ଯାଦବଙ୍କ ମଧ୍ୟରେ ଜାଲ ମାନେ ଅନ୍ୟତମ । ଏହି ଗୋଷ୍ଠୀର ଅଧିକାଂଶ ପରିବାର ପ୍ରାଚୀନ ଧାରା ଅନୁସାରେ ଦିପାବଳୀ ଦିନ ଉପ ଦେବତା ମାନଙ୍କୁ ଗୁହାଳ ଘରେ ବଳିଭୋଜା ଦେଇ ପୂଜା କରୁଥିବାବେଳେ କେତେକ ଜାଲ ବଂଶୀ ଶୁକ୍ଲାହାରରେ ପୂଜା କରିଥାନ୍ତି ।
ବନ୍ଦିଛୋଡ ଓ ଜାଲ ବଂଶିୟ ମାନେ ଗୁହାଳ ଘରେ ଦେବୀଦେବତା ମାନଙ୍କୁ ପାରଂପାରିକ ରିତି ନିତି ଅନୁସାରେ ବଳି ଓ ମଦ୍ୟ ପ୍ରଦାନ କରି ଆରଧନା କରିଥାନ୍ତି । ବଳି ସାମଗ୍ରିକୁ ରନ୍ଧନ କରି ସ୍ବଜାତିୟ ଅନ୍ୟ ବଂଶର ବନ୍ଧୁ ବାନ୍ଧବଙ୍କୁ ଡାକି ଭୋଜନ କରାଇଥାନ୍ତି । ଏମାନେ ଏହି ଦିନ ଚାଉଲ୍ ଧୁଆ କରିବା ସହ ନୂତନ ଝୁଡଙ୍ଗକୁ ଭାଜି ରନ୍ଧନ କରିଥାନ୍ତି ।
ମଗଧା ଯାଦବଙ୍କ ଅନ୍ୟ କେତେକ ବଂଶ ମଧ୍ୟ ଦିଆଲ୍ ପାଳନ କରିଥାନ୍ତି । କୂଳାଚାର ଭିତ୍ତିରେ ଏଥିରେ ସାମାନ୍ୟ ପାର୍ଥକ୍ୟ ଦେଖାଯାଉଥିଲେ ମଧ୍ୟ ଏହି ପର୍ବ ପାଳନର ଲକ୍ଷ ଓ ଉଦ୍ଦେଷ୍ୟ ଏକା ପ୍ରକାରର ହୋଇଥାଏ । ପିତୃ ପୁରୁଷଙ୍କ ପ୍ରତି ସମର୍ପିତ ଭାବ ଓ ଗଭିର ଭଲ ପାଇବା ଏହି ପର୍ବର ଛତ୍ରେ ଛତ୍ରେ ଦେଖାଯାଇଥାଏ । ପିତୃ ପୁରୁଷଙ୍କ ପ୍ରତି କୃତଜ୍ଞ ଭାବ ସହ ପରିବାର ଓ ପଡୋଷୀଙ୍କ ସହ ଉତ୍ତମ ସଂପର୍କ ସୃଷ୍ଟି କରିବାରେ ଏହି ପର୍ବର ଭୂମିକା ଗୁରୁତ୍ବପୂର୍ଣ୍ଣ ।