ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହେଲେ ମହାପ୍ରଭୁ: ଭକ୍ତି ଭାବନାର ଡୋରିକୁ ଅଟକାଇ ଦେଇଛି ଆଇନର ଡୋରି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ଦୁର୍ଲଭ ଯୋଦ୍ଧା ବେଶରେ ସଜ୍ଜିତ ହୋଇଛନ୍ତି। ତେବେ କରୋନା କଟକଣା ଦୃଷ୍ଟିରୁ ମହାବାହୁଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଐଶ୍ୱର୍ଯ୍ୟ ଲିଳାର ପ୍ରତିକ ହେଉଛି ନାଗାର୍ଜୁନ ବେଶ। ସିଂହାରୀ ଏବଂ ଖୁଣ୍ଟିଆ ସେବାୟତଙ୍କ ବିବାଦ ଯୋଗୁଁ ଏଥର ବିଳମ୍ବରେ ଆରମ୍ଭ ହେଲା ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ। ଆଜି ସକାଳ ୭ଟାରେ ବେଶ ଆରମ୍ଭ ହୋଇଥିଲା। ମହାପ୍ରଭୁ ରତ୍ନ ସିଂହାସନରେ ନାଗାର୍ଜୁନ ବେଶର ଦିବ୍ୟ ଆଭୂଷଣରେ ସଜେଇ ହୋଇଛନ୍ତି। ସୁବର୍ଣ୍ଣ ଅଳଙ୍କାର ସହ ନାଗାର୍ଜୁନ ବେଶ ଆଭୂଷଣ ଲାଗିରେ ମହାପ୍ରଭୁଙ୍କ ବୀରବେଶରେ ବିରାଜମାନେ ହୋଇଛନ୍ତି । ପାଳିଆ ସେବକମାନେ କହିଛନ୍ତି ମହାପ୍ରଭୁ ଦିବ୍ୟ ବେଶରେ ସଜେଇ ବସିଛନ୍ତି। କିନ୍ତୁ ଭକ୍ତ ନଥିବାରୁ ଶ୍ରୀମୁଖ ମଳିନ ପଡ଼ିଯାଇଛି। ଶ୍ରୀମନ୍ଦିର ସେବାୟତଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ଏହି କଟକଣା ଲାଗୁ ହେବ। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ରାତି ଦୁଇଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚୌହଦିରେ ୧୪୪ ଧାରା ଜାରି ରହିବ। ବିଶେଷ କରି ଶ୍ରୀମନ୍ଦିର ଚାରିପାଖସ୍ଥିତ ମରିଚକୋଟ୍ ଛକ, ଦୋଳମଣ୍ଡପ ସାହି ଛକ, ଜହ୍ନିଖାଇ ମୁଣ୍ଡିଆ ଛକ, କାକୁଡ଼ିଖାଇ ଛକ, ଧାନକୁଟୀ ସାହି ରଘୁନାଥ ଲଜ୍, ଗାଣ୍ଡୁଆ ଚଉରା ଛକ, ଗଡନ୍ତି ଛକ, ଦୋଳବେଦୀ କୋଣ ଛକ ଆଦି ଇଲାକା ମଧ୍ୟରେ ୧୪୪ ଧାରା କଟକଣା ରହିବ। ସେ କହିଛନ୍ତି ଯେ, ନାଗାର୍ଜୁନ ବେଶ ଭଳି ମହାପ୍ରଭୁଙ୍କ ଗୁରୁତ୍ୱପୂର୍ଣ୍ଣ ନୀତିକୁ ଶୃଙ୍ଖଳାର ସହ ପାଳନ କରିବାକୁ ସହରବାସୀ ଏବଂ ସେବାୟତଙ୍କ ସହଯୋଗ ଆବଶ୍ୟକ। ପତିତପାବନଙ୍କ ନାଗାର୍ଜୁନ ବେଶ ହେଉନାହିଁ । ତେଣୁ ପୁରୀ ସହର ଏବଂ ଜିଲ୍ଲା ବାହାର ଲୋକମାନେ ପୁରୀ ନ ଆସିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ସିଂହଦ୍ୱାର ସାମ୍ନା କାକୁଡ଼ିଖାଇ ଛକ ପାଖରୁ ଲକ୍ଷ୍ମୀବଜାର ଛକ ପର୍ଯ୍ୟନ୍ତ ଇଲାକାକୁ ବ୍ୟାରିକେଡ୍ଦେଇ ସିଲ୍ କରି ଦିଆଯାଇଛି। ଏହା ଭିତରକୁ ଭକ୍ତ ତଥା ସର୍ବସାଧାରଣଙ୍କ ପ୍ରବେଶ ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ମନା ହୋଇଛି। ଶୁକ୍ରବାର ଅପରାହ୍ଣ ୨ଟାରେ ବେଶ ଓଲାଗି ହେବେ। କୋଭିଡ୍ କଟକଣା ମଧ୍ୟରେ ଶ୍ରୀମନ୍ଦିର ଭିତରେ ବେଶ ବିଧି ପାଳନ ହୋଇଛି। ବେଶ ଓଲାଗି ପରେ ଭକ୍ତଙ୍କ ପାଇଁ ଦର୍ଶନ ସିଂହଦ୍ୱାର ବ୍ୟାରିକେଡ୍ ସମ୍ମୁଖରେ ସୁବିଧା ମିଳିବ। ଅରୁଣ ସ୍ତମ୍ଭ ନିକଟକୁ ଦର୍ଶନାର୍ଥୀଙ୍କ ପ୍ରବେଶ ଉପରେ ରୋକ୍ ଲାଗିଛି। ପ୍ରବେଶ ନିଷେଧ ଇଲାକାକୁ ପୁଲିସ ବଳ ପ୍ରହରା ଦେଉଛନ୍ତି।ଶ୍ରୀମନ୍ଦିର ଚୌହଦିକୁ ମଧ୍ୟ ପୁଲିସ ବ୍ୟାରିକେଡ୍ କରାଯାଇଛି। ଦୋଳମଣ୍ଡପ ସାହି, ଲୋକନାଥ ରୋଡ, ପାଣିଟାଙ୍କି ଛକ, ମିଶ୍ର ସାହି ଛକ, ଦକ୍ଷିଣ ଦ୍ୱାର ସାମ୍ନା ଧାନକୁଟି ସାହି, ଶ୍ରୀନଅର ରାସ୍ତାକୁ ବ୍ୟାରିକେଡ୍ ମଧ୍ୟରେ ରଖାଯାଇଛି । ଖାଲି ସେତିକି ନୁହେଁ ମ୍ୟୁନିସପାଲିଟି ଛକରୁ ଯାନବାହନ ପ୍ରବେଶ ନିଷେଧ କରାଯାଇଛି। ମରିଚ୍କୋଟ ଛକରେ ଆଉ ଏକ ବ୍ୟାରିକେଡ୍ ଲାଗିଛି। ଏହି ବ୍ୟାରିକେଡ୍ ସମ୍ମୁଖରେ ପୁଲିସ ଛାଉଣି ପକାଇଛି। ପ୍ରଶାସନ ଘୋଷଣା କରିଛି ସେବକ ବେଶରେ ଅଣସେବକ ଶ୍ରୀମନ୍ଦିର ପ୍ରବେଶ କରିବାକୁ ଉଦ୍ୟମ କଲେ ଦଣ୍ଡବିଧି ଲାଗୁ ହେବ। ସେବକ ଏବଂ ଶ୍ରୀମନ୍ଦିର କର୍ମଚାରୀ ବଡ଼ଦେଉଳ ଭିତରକୁ ମୋବାଇଲ ଫୋନ ନେଇପାରିବେ ନାହିଁ। ରତ୍ନସିଂହାସନରେ ପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶର ମୋବାଇଲ ଫଟୋ ଏବଂ ଭିଡିଓ କରିବାର ପ୍ରୟାସକୁ ଏହି କଟକଣା ପ୍ରତିହତ କରିବ ବୋଲି ପ୍ରଶାସନ ଆଶା କରୁଛି। ଶ୍ରୀମନ୍ଦିର ଚାରିଦ୍ୱାରରେ ସେବକଙ୍କୁ ଚିହ୍ନଟ କରିବାକୁ ମଧ୍ୟ ପୁଲିସ ସହ ଶ୍ରୀଜଗନ୍ନାଥ ଟେମ୍ପୁଲ୍ ପୁଲିସ ନିୟୋଜିତ ହୋଇଛନ୍ତି । ମହାପ୍ରଭୁଙ୍କ ବେଶକୁ ଭକ୍ତମାନେ କୌଣସି ବିଧି ଉଲ୍ଲଂଘନ ଉପାୟ ଅବଲମ୍ବନରେ ଦର୍ଶନ କରିବାର ସମସ୍ତ ରାସ୍ତାକୁ ବନ୍ଦ କରି ଦେଇଛି ପ୍ରଶାସନ। ଦର୍ଶନ ରୂପରେଖ ଏବଂ ସୁରକ୍ଷା ବ୍ୟବସ୍ଥାରେ ଶ୍ରୀମନ୍ଦିର ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନି ଦ୍ୱାରରେ ବ୍ୟାରିକେଡ୍ ନିର୍ମାଣ ହୋଇଛି। ବ୍ୟାରିକେଡ୍ ଦେଇ କେବଳ ସେବାୟତ ଏବଂ ଡ୍ୟୁଟିରେ ଥିବା କର୍ମଚାରୀ ପ୍ରବେଶ କରିପାରିବେ। ପୁରୀରେ ଅବସ୍ଥାପିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ତଦାରଖରେ ଏସ୍ପି ଏହି ସୁରକ୍ଷା ବ୍ୟବସ୍ଥାର ନିୟନ୍ତ୍ରଣରେ ରହିବେ। ସାମଗ୍ରିକ ସୁରକ୍ଷା ଦାୟିତ୍ୱରେ ରହିବେ ୨୪ ପ୍ଳାଟୁନ୍। ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ ୨ ଜଣ ଅତିରିକ୍ତ ଏସ୍ପି। ୮ ଜଣ ଡିଏସ୍ପି ଆଉ କମାଣ୍ଡାଣ୍ଟ ତଥା ୧୯ ଇନ୍ସପେକ୍ଟର ସୁରକ୍ଷା ବ୍ୟବସ୍ଥାର ସଞ୍ଚାଳନ କରିବେ। ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ ୭୭ ଏଏସ୍ଆଇ ଆଉ ଡେପୁଟି ସୁବେଦାର। ଏମାନଙ୍କୁ ସହଯୋଗ କରିବେ ୬୦ ହୋମଗାର୍ଡ। ଗୁରୁବାର ରାତିରୁ ପୁରୀର ସମସ୍ତ ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.