ଉଚ୍ଚତମ ପ୍ରତିମୂର୍ତ୍ତିର କ୍ଷୁଦ୍ରତମ ପ୍ରତିକୃତି ଗଢ଼ିଲେ ଶିଳ୍ପୀ ସଞ୍ଜୟ ରାଉଳ

● ସଞ୍ଜୟଙ୍କ ସୃଜନ କୀର୍ତ୍ତିରେ ଲାଗିଲା ଲୋକପ୍ରିୟତାର ମୋହର
● ଚକ୍ ଖଡ଼ିରେ ଫୁଟାଇଲେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ 

ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଭାସ୍କର୍ଯ୍ୟ କଳାରେ ନିଜକୁ ପ୍ରତିଷ୍ଠା ଦେବାକୁ ପ୍ରୟାସୀ ବାଲେଶ୍ବରର ତରୁଣ ଚିତ୍ରଶିଳ୍ପୀ ସଞ୍ଜୟ କୁମାର ରାଉଳ ବିଭିନ୍ନ ସମୟରେ ନିଜର ଅଭୂତପୂର୍ବ କଳାକୃତି ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି। ସଂପ୍ରତି ଭାରତର ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର କ୍ଷୁଦ୍ର ପ୍ରତିକୃତି ତିଆରି କରି ସେ ଏବେ ରେକର୍ଡ କରିଛନ୍ତି। ଗତକାଲି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସଞ୍ଜୟ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ଦୁଇ ଇଞ୍ଚ୍ ଲମ୍ବର ଏକ ଚକଖଡି ଦେହରେ ସେ ସବୁଠୁ ଉଚ୍ଚତମ ପତିମୂର୍ତ୍ତି କୁହା ଯାଉଥିବା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ନିଡିଲ୍ ସାହାଯ୍ୟରେ ଖୋଦେଇ କରି ରୂପାୟିତ କରିଛନ୍ତି।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଚକ୍ ଖଡ଼ିରେ ସର୍ଦ୍ଦାର ପଟେଲଙ୍କ ପ୍ରତିକୃତି ଖୋଦେଇ କରି ସେ ଗଢିଛନ୍ତି। ଏଥିପାଇଁ ତାଙ୍କୁ ଏକ ଘଣ୍ଟା ସମୟ ଲାଗିଥିଲା। ଏହି ଚକଖଡିରେ ନିଜ ଭାସ୍କର୍ଯ୍ୟ କଳାର ଅଦ୍ଭୁତ କରିସ୍ମା ଦେଖାଇ ଶ୍ରୀ ରାଉଳ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ନାମ୍ପୋ ଅଞ୍ଚଳର ଲକ୍ଷ୍ମୀନାରାୟଣ ଓ ଭବାନୀ ରାଉଳଙ୍କ ପୁଅ ସଞ୍ଜୟ। ଶ୍ରୀ ରାଉଳ ପୂର୍ବରୁ ଚକ ଖଡ଼ିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିକୃତି ଖୋଦେଇ କରି ଚର୍ଚ୍ଚାକୁ ଆସିଥିଲେ। ସେହିପରି ଚକ ଖଡ଼ିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ବିଶେଷ ଅବଦାନ ଥିବା ଓଡ଼ିଶାର ୬ ବରପୁତ୍ର କୃଷ୍ଣଚନ୍ଦ୍ର ଦେବ, ଉତ୍କଳମଣି ଗୋପବନ୍ଧୁ ଦାସ, ସ୍ବଭା କବି ଗଙ୍ଗାଧର ମେହେର, କଥା ସମ୍ରାଟ ଫକୀରମୋହନ ସେନାପତି, ବାରିଷ୍ଟର ମଧୁସୂଦନ ଦାସ ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ପ୍ରତିକୃତି ପୃଥକ ପୃଥକ ଚକ୍ ଖଡ଼ିରେ ଖୋଦେଇ କରି ଉତ୍କଳ ଦିବସ ଅବସରରେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ଗୁରୁ ଦିବସ ଅବସରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିକୃତି ମାତ୍ର ୩୦ ମିନିଟରେ ଖୋଦେଇ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାବ୍ୟତୀତ ପୂର୍ବରୁ ଏକ ପ୍ରଥମଥର ପାଇଁ ଟି-ସାର୍ଟରେ ମହାପୁରୁଷ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଚିତ୍ର କରି ବେଶ ପ୍ରଶଂସା ସାଉଁଟିଥିଲେ। ସଞ୍ଜୟ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅନାବଶ୍ୟକ ପଦାର୍ଥ ମାଧ୍ୟମରେ ଏକ ବିଶାଳ ବୁଦ୍ଧ ମୂର୍ତ୍ତି ନିର୍ମାଣ, ବାଲୁକା ମାଧ୍ୟମରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ବିଭିନ୍ନ ସମୟରେ କିଛି ନୂଆ କଳାକୃତି କରି ପ୍ରଶଂସିତ ହୋଇଥାନ୍ତି। ସେ ସଂପ୍ରତି ନିଜର ଏକ ଷ୍ଟୁଡିଓ କରି ସେଥିରେ କଳାସାଧନାରେ ନିଜକୁ ନିୟୋଜିତ କରିବା ସହ କିଛି ଚିତ୍ରଶିଳ୍ପୀଙ୍କ ପାଇଁ କର୍ମସଂସ୍ଥାନର ସୁଯୋଗ ତିଆରି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.