ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ବିପ୍ଳବ ସୃଷ୍ଟି କରୁଥିବା ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଗୁଗଲ୍ ମିଟ୍ ଜରିଆରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଧାୟକ (ଭୁବନେଶ୍ୱର ମଧ୍ୟ) ଅନନ୍ତ ନାରାୟଣ ଜେନା ଓ ବିଶିଷ୍ଟ କବି ରକ୍ଷକ ନାୟକ (ଓଡ଼ିଶା ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ) ଉଦଘାଟନ କରିଥିଲେ।ପଣ୍ଡିତ ନାରାୟଣ ରଥଙ୍କ ଭଜନରୁ ଆରମ୍ଭ ହୋଇଥିଲା ସାରଗର୍ଭକ ଆଲୋଚନାଚକ୍ର। ସଂସଦର ସଭାପତି ଡ.ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ୱ ଅଭିଭାଷଣରେ ସାହିତ୍ୟର ବିଭିନ୍ନ ଦିଗ ଉପରେ ଅଭିମତ ରଖିଥିଲେ। ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ପ୍ରଥମତଃ ସମକାଳୀନ ଓଡ଼ିଆ ସାହିତ୍ୟ (କବିତା) ଦିଗରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବ ତଥା ବିଶିଷ୍ଟ କବି ଡ.କୁଳମଣି ଓଝା ନିଜର ବଳିଷ୍ଠ ବକ୍ତବ୍ୟ ରଖିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ “ଓଡ଼ିଆ ସାହିତ୍ୟରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭୂମିକା” ଉପରେ ବାଗ୍ମୀ ପଦ୍ମନାଭ ତ୍ରିପାଠୀ ତଥ୍ୟଗତ ବକ୍ତବ୍ୟ ରଖି ଆଲୋଚନାକୁ ଯଥାର୍ଥ କରିଥିଲେ। ପରେ ପରେ ତୃତୀୟ ପର୍ଯ୍ୟାୟରେ ସାମ୍ବାଦିକ, ସ୍ତମ୍ଭକାର ତଥା ଭାଷାବିତ୍ ପ୍ରଦ୍ୟୁମ୍ନ ଶତପଥୀ “ଏକବିଂଶ ଶତାବ୍ଦୀରେ ସାହିତ୍ୟର ବିକାଶ'” ଦିଗରେ ବହୁମୂଲ୍ୟ ଆଲୋଚନା କରିଥିଲେ। ସମସ୍ତ ଅତୁଳନୀୟ ଶବ୍ଦ, ଭାବ, ଆବେଗ ତଥା ତଥ୍ୟଯୁକ୍ତ ଆଲୋଚନାର ସାରାଂଶ ସଂସଦର ଉପସଭାପତି ଚିତ୍ତରଞ୍ଜନ ନନ୍ଦ ପ୍ରଦାନ କରିଥିଲେ। ଶେଷରେ ସାହିତ୍ୟିକ ତଥା ପଶ୍ଚିମାଞ୍ଚଳର ବିଚାରକ କୈଳାଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଂସଦର କାର୍ଯ୍ୟକାରୀ ସଭାପତି ଡ.ଗୀତାଶ୍ରୀ ପ୍ରିୟମ୍ବଦା ପରିଚାଳନା କରିଥିଲେ। ଏହି ଆଲୋଚନାଚକ୍ରରେ ମୁଖ୍ୟ ସମ୍ପାଦିକା ସରସ୍ୱତୀ ନାୟକ, କରୁଣାକର ମଲ୍ଲିକ, ଅନୁସୟା ଦେବତା, ଅର୍ଚ୍ଚନା ଦାସ, ରଶ୍ମିମୟୀ ପଟ୍ଟନାୟକ ଆଦି ସାହିତ୍ୟିକଙ୍କ ସହ ନୂଆପଡ଼l ଜିଲ୍ଲା ଓଟିଭି ପ୍ରତିନିଧି ମାୟାଧର ସରାଫ, ଅନୁଗୁଳ କବି ଅନିତା ପାଣି, ରାମନାରାୟଣ ଶର୍ମା, ପ୍ରଦୀପ୍ତ ପଟ୍ଟନାୟକ, ଭଗବାନ ଓତ୍ତା, ତ୍ରିନାଥ ପଟ୍ଟନାୟକ, ଗଣେଶ ଚନ୍ଦ୍ର ଜେନା, କରୁଣାକର ଘଣ୍ଟୁଆଳ ଆଦି ଅନେକ ସ୍ରଷ୍ଟା ଉପସ୍ଥିତ ରହି ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରକୁ ସଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ମହାମାରୀ କରୋନାରୁ ସମଗ୍ର ମାନବ ଜାତିକୁ ଉଦ୍ଧାର କରିବାକୁ ଉପସ୍ଥିତ ସଭ୍ୟସଭ୍ୟା ତଥା କବି କବୟିତ୍ରୀମାନେ ମହାମୃତ୍ୟଞ୍ଜୟ ମନ୍ତ୍ର ପାଠ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.