ଜୀବନ ଯୁଦ୍ଧରେ ହାରିଗଲେ ଜଣେ ଅଙ୍ଗନଓ୍ବାଡି କର୍ମୀ 

କଳାହାଣ୍ଡି: ମହାମାରୀ କରୋନାର କରାଳ ଛାୟାରୁ ସାଧାରଣ ଜନତା କିପରି ସୁରକ୍ଷିତ ରହିପାରିବେ ସେନେଇ ସଚେତନ କରିବାସହ ଶିଶୁ ଓ ପ୍ରସୂତିଙ୍କୁ ଅନବରତ ସେବା ପ୍ରଦାନ କରୁଥିବା ଅଙ୍ଗନୱାଡ଼ି କର୍ମୀ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଭବାନୀପାଟଣା ବ୍ଲକ ହଳଦିଗଡ ଗ୍ରାମର ଅଙ୍ଗନୱାଡି କର୍ମୀ ଅମେରା ସୁନା ବୁର୍ଲା କୋଭିଡ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ପରିବାର ଓ ଆତ୍ମିୟଙ୍କ ସୂତ୍ରରୁ ପ୍ରକାଶ। ପ୍ରାପ୍ତ ସୂଚନା ଆଧାରରେ ମେ’ ୧ରେ ହଠାତ ଅମେରାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେ କୋଭିଡ୍ ପଜିଟିଭ ଚିହ୍ନଟ ହେବାରୁ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସାହାଯ୍ୟରେ ବୁର୍ଲା କୋଭିଡ ଡାକ୍ତର ଖାନାକୁ ସ୍ଥାନନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସରକାରଙ୍କ ଗାଇଡ଼ ଲାଇନ ମୁତାବକ ତାଙ୍କର ଶେଷ କୃତ୍ୟ ସମ୍ବଲପୁର ସ୍ଥିତ ମହାନଦୀ ସ୍ୱର୍ଗ ଧାମରେ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି। ସେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମୀ ଭାବରେ ଦୀର୍ଘ ଦିନରୁ ସରକାରୀ କାର୍ଯ୍ୟ ତୁଲାଇ ଆସୁଥିଲେ। ଅନ୍ୟପକ୍ଷରେ ସାଧାରଣ ଜନତାଙ୍କ ଦାବି ହେଲା, ଅମେରା ସୁନା କରୋନା ଯୋଦ୍ଧା ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ କୋଭିଡର ଶିକାର ହୋଇ ମୃତ୍ୟୁବରଣ କରିଥିବାରୁ ତାଙ୍କୁ ସରକାରଙ୍କ ଦ୍ୱାରା ଘୋଷିତ କୋଭିଡ ଯୋଦ୍ଧା ଅର୍ଥ ରାଶି ପ୍ରଦାନ କରାଯାଉ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.