ନର୍ଲାରେ ପୁଣି ଚାଲିଲା ଆଧାରକାର୍ଡ ପ୍ରସ୍ତୁତି ଓ ସଂଶୋଧନ କେନ୍ଦ୍ର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଫିସ ପରିସରରେ ଗତ ତିନି ବର୍ଷ ତଳେ ଆରମ୍ଭ ହୋଇଥିବା ଆଧାରକାର୍ଡ ପ୍ରସ୍ତୁତି ଓ ସଂଶୋଧନ କେନ୍ଦ୍ର କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେବା ପରଠୁଁ ଅପ୍ରେଲ ମାସରୁ ବନ୍ଦ ହୋଇ ପଡିଥିଲା। ଏବେ ସଂକ୍ରମଣ ସଂଖ୍ୟା ନିମ୍ନମୁଖୀ ହେବା ଆରମ୍ଭ କରିବାରୁ ଓ ଲକଡାଉନ ପ୍ରକ୍ରୀୟା କୋହଳ ହେବାରୁ ଗତ ଜୁନ ମାସ ୨୨ ତାରିଖରୁ ପୁଣି ନର୍ଲା ବ୍ଲକ୍ ପରିସରରେ ଆରମ୍ଭ ହେଲା ଆଧାର କାର୍ଡ ପ୍ରସ୍ତୁତି ଓ ସଂଶୋଧନ କାମ। ପୂର୍ବରୁ ଦୀର୍ଘ ବର୍ଷଟେ ଏହି ଆଧାର ପ୍ରସ୍ତୁତି ପ୍ରକ୍ରୀୟା ବନ୍ଦ ହୋଇ ପଡିବା ପରେ ଏବେ ଗତ ଜାନୁୟାରୀ ମାସ ୨୪ ତାରିଖରୁ ପୁଣି ନର୍ଲା ବ୍ଲକ୍ ମଧ୍ୟରେ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲାଯାଇ ଆଧାର କାର୍ଡ ସଂଶୋଧନ କାମ ଚାଲିଥିଲା। ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭାବରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଏଥିରେ ନିୟୋଜିତ କରାଯାଇ ଆଧାରକାର୍ଡ ପ୍ରସ୍ତୁତି କାମ ଚାଲିଥିଲା। ଯେଉଁ ମାନେ ଆଧାରକାର୍ଡ ପାଇ ପାରି ନାହାନ୍ତି, କିମ୍ବା ଯେଉଁ ନୂଆ ଅଳ୍ପ ବୟସ୍କ ଶିଶୁ, ଛାତ୍ରଛାତ୍ରୀ ମାନଙ୍କ ଆଧାରକାର୍ଡ ପ୍ରସ୍ତୁତି ହୋଇପାରି ନାହିଁ ସେମାନଙ୍କ ପାଇଁ, ଆଧାରକାର୍ଡ ରେ ଜନ୍ମ ତାରିଖ, ବାପାଙ୍କ ନାମ କିମ୍ବା ଆଧାରକାର୍ଡ ଧାରୀଙ୍କ ନାମ ଭୁଲଥାଏ ସେମାନଙ୍କ ଆଧାରକାର୍ଡ ସଂଶୋଧନ କାମ ଚାଲିଥିଲା। ଉପଭୋକ୍ତାମାନେ ୧୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ପଇଠ କରି ସେ ବାବଦକୁ ସରକାରଙ୍କ ତରଫରୁ ରସିଦ ପାଇ ସୁବିଧାରେ ଆଧାର କାର୍ଡ କାମ ବ୍ଲକ୍ ମଧ୍ୟରେ କରି ପାରୁଥିଲେ। ପ୍ରଥମେ ପ୍ରଥମେ ଯେତେବେଳେ ଆଧାରକାର୍ଡ ପ୍ରକ୍ରୀୟା ଚାଲିଲା। ୬୦ ପ୍ରତିଶତରୁ ଉଦ୍ଧ୍ୱର୍ ବ୍ୟକ୍ତି ଯେ କୌଣସୀ କାରଣରୁ ହେଉନା କାହିଁକି ଆଧାରକାର୍ଡ ପ୍ରକ୍ରୀୟାରେ ରହିଥିଲେ ମଧ୍ୟ ଆଧାରକାର୍ଡ ପାଇବାରୁ ବଞ୍ଚିତ ହୋଇଥିଲେ। ସେମାନଙ୍କ ଅଭିଯୋଗ କୁ ଭିତ୍ତିକରି ୨୦୧୬/୧୭ ରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ କ୍ୟାମ୍ପ କରି ଆଧାରକାର୍ଡରୁ ବଞ୍ଚିତ ଓ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଘରୋଇ କମ୍ପାନୀକୁ ଠିକା ଜରିଆରେ ଆଧାର କାର୍ଡ ପ୍ରସ୍ତୁତି ଓ ସଂଶୋଧନ କାମ କରେଇଥିଲେ।


ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ବ୍ଲୁମ୍ ଓ ଶାରଦା ସିଷ୍ଟମ ନାମକ ଦୁଇ ଗୋଟି କମ୍ପାନୀ ଆଧାର କାର୍ଡ କାମ କରିଥିବା ବେଳେ ନର୍ଲା ବ୍ଲକରେ ଶାରଦା ସିଷ୍ଟମ କମ୍ପାନୀ ଆଧାର କାର୍ଡ କାମ କରିଥିଲା। ହେଲେ ଆଧାର କାର୍ଡ କାମ କରୁଥିବା ଡାଟାଏଣ୍ଟ୍ରି ଅପରେଟର ଓ ପରିଚାଳକ ମାନେ ଦକ୍ଷିଣ ଭାରତୀୟ ବ୍ୟକ୍ତି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭାଷା ବୁଝିପାରୁ ନଥିଲେ କିମ୍ବା କହିପାରୁ ନଥିଲେ। ଫଳରେ ନର୍ଲା ଅଞ୍ଚଳର ଅଧିକାଂଶ ବ୍ୟକ୍ତି ବିଶେଷଙ୍କ ନାମ, ବାପାଙ୍କ ନାମ, ଗାଁ ର ନାମ ଓ ଜନ୍ମ ତାରିଖ ସବୁ ଆଧାରକାର୍ଡରେ ଭୁଲ ଭାଲ ଛପେଇ ହୋଇଯାଇଛି। ଫଳରେ ବ୍ୟାଙ୍କ ତଥା ଅନ୍ୟାନ୍ୟ ଅଫିସ ଗୁଡିକରେ, ପ୍ରତ୍ୟେକ କାମରେ ଆଧାରକାର୍ଡକୁ ସରକାର ଅପରିହାର୍ଯ୍ୟ କରିଥିବାରୁ ଉପଭୋକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଥିଲା। ୨୦୧୮ରେ ନର୍ଲା ବ୍ଲକ ମଧ୍ୟରେ ଆଧାରକାର୍ଡ ସଂଶୋଧନ ଚାଲିବା ପରେ ଲୋକେ ଆସ୍ୱସ୍ଥି ଅନୁଭବ କରିଥିଲେ। ହେଲେ ତାହା ୭ ମାସ ଚାଲି ବନ୍ଦ ହେଇପଡିବାରୁ ଲୋକେ ପୁଣି ନିରାଶ ହୋଇଥିଲେ। ପୁଣି ସରକାରୀ ଭାବରେ ନର୍ଲା ବ୍ଲକ୍ ମଧ୍ୟରେ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇଥିଲା ଆଧାରକାର୍ଡ ପ୍ରସ୍ତୁତି ଓ ସଂଶୋଧନ କାମ। ହେଲେ କରୋନାର ଦ୍ୱିତୀୟ ଲହର ଆସିବା ପରେ ଅପ୍ରେଲ ମାସରୁ ପୁଣି ବନ୍ଦ ହୋଇ ପଡିଥିଲା ଆଧାରକାର୍ଡ ପ୍ରସ୍ତୁତି କାର୍ଯ୍ୟ। ଏଥିପାଇଁ ନର୍ଲା ଅଞ୍ଚଳର ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଥିଲା। ହେଲେ ନର୍ଲା ଅଞ୍ଚଳବାସୀ ଜନସାଧାରଣଙ୍କ ଦାବୀକୁ ନେଇ ଗତ ତା୨୨/୬ରୁ ପୁଣି ନର୍ଲା ବ୍ଲକ୍ ପରିସରରେ ଆରମ୍ଭ ହୋଇଛି ଆଧାର ପ୍ରସ୍ତୁତି ଓ ସଂଶୋଧନ କାମ। ଏନେଇ ଲୋକେ ଆସ୍ୱସ୍ଥି ଅନୁଭବ କରୁଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.