ଗୁଡାରୀ ଅଞ୍ଚଳର ଚାଷୀଙ୍କ ସ୍ଵାର୍ଥକୁ ନେଇ ଅନଶନ ଧର୍ମଘଟ ଡାକରା

ଗୁଣୁପୁର, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ଓ ଵିଜ୍ଞାପିତ ଅଞ୍ଚଳ ପରିଷଦର ଚାଷୀ ଦୀର୍ଘଦିନରୁ ଅବହେଳିତ ହୋଇ ରହିଛନ୍ତି। କେବଳ ରାଜନୈତିକ ଚାଟୁକାରିତା ଓ ବୃଥା ଆଶ୍ୱାସନାରେ ଏହି ଅଞ୍ଚଳ ବାସୀଙ୍କୁ ବାରମ୍ବାର ପ୍ରତାରଣା କରାଯାଉଛି। ପାଣିଡଙ୍ଗର ପ୍ରକଳ୍ପ ୧୮ ବର୍ଷ ହେଲା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି, ମାତ୍ର ବାଲି ଟୋକେଇଏ ମଧ୍ଯ ପଡିପାରୁନାହିଁ।ଜଳସେଚନର ଅଭାବ, ପ୍ରଶାସନିକ ଅବହେଳା, ରାଜନୈତିକ ହତାଦର ଚାଷୀର ଅଣ୍ଟା ଭାଙ୍ଗିଦେଇଛି। ତେଣୁ ଚାଷୀ ପରିବାର ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ଯହେଉଛି। ଏଣୁ ଏଠାକାର କୃଷକନେତା ଗଙ୍ଗାଧର ଚଲାଣ ଆଜି ବିଭିନ୍ନ ନିର୍ଦ୍ଧାରିତ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଦାବୀନେଇ ଅନିର୍ଦ୍ଦିଷ୍ଟ କାଳ ଅନଶନ ଧର୍ମଘଟ ଡାକରା ଦେଇଛନ୍ତି। ସେ କରିଥିବା ଦାବୀ ଗୁଡ଼ିକ ହେଉଛି 

୧).ଖାରିକୁଟି ପ୍ରକଳ୍ପକୁ ତୁରନ୍ତ ସମାପ୍ତ କରି କାର୍ଯ୍ୟକ୍ଷମ କରିବା,୨).ରାଶିଗୁମି ଜଳଅମଳ ପ୍ରକଳ୍ପ କାର୍ଯ୍ୟକାରୀ,
୩).ପାଣିଡଙ୍ଗର ପ୍ରକଳ୍ପକୁ ଆରମ୍ଭକରି ବଂଶଧାରା ନଦୀର ସଂଯୋଗୀକରଣ,
୪).କୋରାନାଳ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା।

ତାଙ୍କର ଏହି ଧର୍ମଘଟକୁ ଅଂଚଳର ଚାଷୀଙ୍କ ସମେତ ଦଳମତ ନିର୍ବିଶେଷରେ ସମର୍ଥନ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଗୁଡାରୀ ବିଡିଓ ନୃସିଂହ ଚରଣ ସେଠୀ, ତହସିଲଦାର ଭାରତୀ ଦେବୀ ଓ ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡିଆ ଅନଶନ ସ୍ଥଳକୁ ଆସି ଅନୁରୋଧ କଲେ ଯେ, ଆଗାମୀ ଏକ ମାସ ମଧ୍ୟରେ ଏହିସବୁ ପ୍ରକଳ୍ପର ବିସ୍ତୃତ ରିପୋର୍ଟ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିବେ ଏବଂ ଯଥାଶୀଘ୍ର କାମଗୁଡିକ ଆରମ୍ଭ କରିବାକୁ ପ୍ରଯତ୍ନ କରିବେ। ଯଦି ଏକମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନ ହେଲେ ପୁନର୍ବାର ଧର୍ମଘଟରେ ବସିବାକୁ ଗଙ୍ଗାଧର ଚଲାଣ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.