ରାୟଗଡ ଜିଲ୍ଳା ମନରେଗା ଲୋକପାଳ ଭାବେ ନିଯୁକ୍ତ ହେଲେ ଆଇନଜୀବୀ ଲକ୍ଷ୍ମୀ ନାରାୟଣ ପାଢୀ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ହୋଇଥିବା ଦୁର୍ନୀତି ସମ୍ବନ୍ଧରେ ଅଭିଯୋଗ ଶୁଣାଣୀ ଓ ତାର ସମାଧାନ ନିମନ୍ତେ ଲୋକପାଳ ଭାବେ ରାୟଗଡର ଆଇନଜୀବୀ ଲକ୍ଷ୍ମୀ ନାରାୟଣ ପାଢୀ ଆଜି ବୁଧବାର ଠାରୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇ ଡିଆରଡିଏରେ ଥିବା କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି । ମନରେଗା ନିମନ୍ତେ ଉଦ୍ଦିଷ୍ଠ ନିୟମ ଧାରା ୨୭ ଅଧୀନରେ ଥିବା ଶ୍ରମିକ ଓ ଅନ୍ୟମାନଙ୍କ ଠାରୁ ସେ ଯେ କୈାଣସି ଅଭିଯୋଗ ଗ୍ରହଣ କରିବେ ଓ ନିୟମାନୁସାରେ ଅଭିଯୋଗୁଡିକର ସୁଗମିକରଣ କରାଇବେ । ଅଭିଯୋଗ ସମାଧାନର ସୁଗମିକରଣ ପାଇଁ ସେ ବିଶେଷଜ୍ଞଙ୍କୁ ନିୟୋଜିତ ମଧ୍ୟ କରିପାରିବେ ଓ ପ୍ରତିକାର,ଶୃଙ୍ଖଳାଗତ ଓ ଶାସ୍ତିମୂଳକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେବେ । ନିଜ ଅନୁସନ୍ଧାନର ସିଦ୍ଧାନ୍ତ ଭିତିରେ ଭୁଲ କରିଥିବା ବ୍ୟକ୍ତିଙ୍କ ଉପରେ ଆଇନ ଅନୁଯାୟୀ ବିହିତ ପଦକ୍ଷେପ ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ନୋଡାଲ ସଚିବ (ପଂଚାୟତିରାଜ)ଙ୍କୁ ବିବରଣୀ ପ୍ରଦାନ କରିବେ । ଲୋକପାଳ ଭାବେ ଶ୍ରୀ ପାଢୀ ନିଯୁକ୍ତ ହୋଇଥିବାରୁ ସେ ପଂଚାୟତରାଜ ବିଭାଗକୁ କୃତଞତା ଜଣାଇଥିବା ବେଳେ ଜିଲ୍ଳାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ବାର୍ତା ସୂଅ ଛୁଟିଛି । ମନରେଗା ଯୋଜନାରେ କୈାଣସି ବି ହିତାଧିକାରୀଙ୍କୁ ନ୍ୟାୟରୁ ବଂଚିତ କରାଯିବ ନାହିଁ ବୋଲି ଲୋକପାଳ ଶ୍ରୀ ପାଢୀ ପ୍ରକାଶ କରିଛନ୍ତି ।


ଆଜି କାର୍ଯ୍ୟଭାର ଗ୍ରହଣ କରିବା ପରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ସମେତ ବରିଷ୍ଠ ଆଇନଜୀବି ପଦ୍ମନାଭ ଦାଶ, ଗଙ୍ଗାଧର ପାଢୀ, ପ୍ରଳୟ ବାଡତ୍ୟା ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିବା ସହ ମନରେଗା ଯୋଜନାରେ ଜିଲ୍ଳାରେ ହେଉଥିବା ଦୁର୍ନୀତିର ମୂଳତ୍ପୋଟନ କରିବାରେ ଶ୍ରୀ ପାଢୀ ପଦକ୍ଷେପ ଗ୍ରହଣ କରି ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରିବାରେ ସହାୟକ ହେବେ ବୋଲି ଆଶା କରିଛନ୍ତି । ପ୍ରକାଶ ଥାଉ କି, ଗତ ୨୦୨୦ ମସିହା ୨୫ ଜୁଲାଇରେ ତତ୍କାଳୀନ ମନରେଗା ଲୋକପାଳ ଶ୍ରୀମତି ବିଦୁଲତା ହୁଇକାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଉକ୍ତ ଦିନ ଠାରୁ ପ୍ରାୟ ଏକ ବର୍ଷ ଧରି ଏହି ପଦବୀ ଖାଲି ପଡିଥିଲା । ପରିଶେଷରେ ଚଳିତ ବର୍ଷ ଗତ ଜୁନ୍ ୨୫ ତାରିଖରେ ଓଡିଶା ସରକାରଙ୍କ ପଂଚାୟତିରାଜ ବିଭାଗ ପକ୍ଷରୁ ଲକ୍ଷ୍ମୀ ନାରାୟଣ ପାଢୀଙ୍କୁ ରାୟଗଡ ଜିଲ୍ଳା ମନରେଗା ଲୋକପାଳ ଭାବେ ମନୋନୀତ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.