ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, ଜଣେ ଗୁରୁତର

ପ୍ରଶାସନର ପ୍ରତିଶୃତି ପରେ ହଟିଲା ରାସ୍ତାରୋକ

ଗୁଣୁପୁର, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ଗୁଡାରି ଥାନା ସୁଥରାଜପୁର ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗୋପାଳପୁର ଗ୍ରାମର ନିମାଲା କୁନା(୪୫) ଏବଂ ମିଟୁ ପାଳାକା (୪୦) ଓଡି ୧୦ଏ ୪୭୭୧ ନମ୍ବର ବିଶିଷ୍ଟ ନିଜ ବାଇକ ଯୋଗେ ରାମନାଗୁଡାକୁ କୌଣସି ଏକ କାର୍ଯ୍ୟରେ ଯାଇ ନିଜ ଘରକୁ ଫେରିବା ସମୟରେ ସୁଥରାଜପୁର ବୁଲାଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଅଜଣା ଗାଡି ସହ ମଧ୍ୟାହ୍ନ ସମୟରେରେ ମୁହାଁ ମୁହିଁ ଧକ୍କା ହୋଇଥିଲେ। ଫଳରେ କୁନା ନିମାଲାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ମିଟୁ ପାଲାକାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି। ଗୁରୁତର ଆହତ ଅବସ୍ଥାରେ ମିଟୁ ପାଲାକାଙ୍କୁ ପଦ୍ମପୁର ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ରକୁ ପଠେଇ ଦେଇଥିବା ଖବର ମିଳିଛି। ମୃତ ବ୍ୟକ୍ତିଙ୍କ ଶବକୁ ରାସ୍ତା ଉପରେ ରଖି ସ୍ଥାନୀୟ ଲୋକମାନେ ମୁଖ୍ୟ ରାସ୍ତା ଅବରୋଧ କରିଥିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଥିଲା। ଦୋଷୀକୁ ଖୁବଶୀଘ୍ର ଗିରଫ କରିବା ସହ ଦୁର୍ଘଟଣା ଘଟାଇ ଥିବା ଗାଡିକୁ ଜବତ କରିବା ପାଇଁ ଦାବି କରି ରାସ୍ତା ଅବରୋଧ କରିଥିଲେ।


ଦୁର୍ଘଟଣା ଜନିତ ଖବର ପାଇ ଗୁଣୁପୁର ଏସଡିପିଓ ଅଜୟ କୁମାର ବାରିକ, ଗୁଡାରି ଥାନାଧିକାରୀ ସୁଶାନ୍ତ କୁମାର ତାଉଡ଼ିଆ, ଗୁଡାରି ସବ ଇନ୍ସପେକ୍ଟର ଅନିରୁଦ୍ଧ ଜାଲି, ରାମନାଗୁଡା ଅତିରିକ୍ତ ତହସିଲଦାର ଫର୍ଡିଲାଣ୍ଡ ଏକ୍କା, ଭାମିନି ସରପଞ୍ଚ ରାମୂର୍ତି ବିଡ଼ିକା, ଗୋସେଇଁ ଗୁଳୁମୁଣ୍ଡା ରାଜସ୍ବ ନିରୀକ୍ଷକ ଅକ୍ରୁର ଶବର, ସାଂସଦ ପ୍ରତିନିଧି ଜି ପ୍ରସାଦ ରାଓ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ପରେ ରାସ୍ତା ଅବରୋଧ ହଟିଥିଲା। ମୃତ କୁନାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଗୁଣୁପୁର ପଠେଇ ଦେଇଥିବା ବେଳେ ଗୁଣୁପୁର ଏସ ଡି ପି ଓ ଅଜୟ କୁମାର ବାରିକ ଦୁର୍ଘଟଣା ଘଟେଇ ଥିବା ଗାଡିକୁ ଖୁବଶୀଘ୍ର ଜବତ କରିବା ସହିତ ଚାଳକ ଙ୍କୁ ଗିରଫ କରିବାକୁ ପ୍ରତିଶୃତି ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.