ନର୍ଲାର ବାହୁଡା ଯାତ୍ରା: ଆଜି ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କୋଭିଡ କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ନର୍ଲାର ବାହୁଡା଼ ଯାତ୍ରା ସମ୍ପନ୍ନ ହୋଇଛି। ଆଜି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ତିନି ଠାକୁର। ଗତକାଲି ସକାଳ ୬ ଘଣ୍ଟା ସମୟରେ ମଙ୍ଗଳ ଆଳତୀ ସାଙ୍ଗକୁ ଶ୍ରୀ ଜୀଉ ମାନଙ୍କ ସମସ୍ତ ରୀତି ନୀତି ଆରମ୍ଭ ହୋଇଯାଇଥିଲା। ସମୟାନୁଯାୟୀ ସମସ୍ତ ଭୋଗ ଲାଗି ହୋଇଥିଲା। ଅପରାହ୍ନ ୪ ଟା ସମୟରେ ତିନି ବିଗ୍ରହ ପହଣ୍ଡି ବିଜେ କରିଥିଲେ। ଠାକୁରଙ୍କ ମଉସା ମାଉସୀ ନର୍ଲାର ବିଶିଷ୍ଟ ଧର୍ମପରାୟଣ ଦମ୍ପତି ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ଚାନ୍ଦ୍ ଓ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଚାନ୍ଦ୍ ଶ୍ରୀ ଜୀଉ ମାନଙ୍କୁ ବଡ ଦେଉଳ ଅଭିମୁଖେ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ନର୍ଲାର ବରିଷ୍ଠ ନାଗରିକ ସତ୍ୟ ନାରାୟଣ ପାତ୍ର ଓ ତପିନ୍ଦ୍ର ଗଉଡିଆ ଛେରା ପହରା କରିଥିଲେ। ଶ୍ରୀ ଜୀଉମାନେ କୋଭିଡ କଟକଣା ଯୋଗୁଁ ଜଗନ୍ନାଥ ମନ୍ଦିର ପରିସରରେ ରହିଥିବା ଅସ୍ଥାୟୀ ମାଉସୀ ମା ମଣ୍ଡପରୁ ଜଗନ୍ନାଥ ମନ୍ଦିର ଯାଏଁ ପହଣ୍ଡି ବିଜେ କରି ଯାଇଥିଲେ। କୋଭିଡ କଟକଣା ଯୋଗୁଁ ଭକ୍ତ ସମାଗମ ହୋଇନଥିବା ବେଳେ କେବଳ ପଣ୍ଡା, ମନ୍ଦିର ପରିଚାଳନା କମିଟି, ଓ ପୂଜା କମିଟିର ସଦସ୍ୟ ମାନେ ତିନି ଠାକୁରଙ୍କ ପହଣ୍ଡି କରି ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ଯୁବ ପଣ୍ଡା ମନ୍ମୟ ଚାନ୍ଦ ସୁଦର୍ଶନ ବିଗ୍ରହକୁ ଓ ଅଜୟ ନନ୍ଦ ଗରୁଡ ବିଗ୍ରହକୁ ଧରି ସବା ଆଗରେ ଚାଲିଥିବା ବେଳେ ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସୁଦାମ ପଣ୍ଡା, ମଧୁସୁଦନ ପାଢୀ, ସାନକୁନୁ ଚାନ୍ଦ, ସଞ୍ଜୟ ପଣ୍ଡା, ପ୍ରଶାନ୍ତ ପଣ୍ଡା, ମହେଶ ଚାନ୍ଦ୍, ସୁଶାନ୍ତ ଚାନ୍ଦ, ଗୌତ୍ତମ ଚିନ୍ଦା, ମୋହନ ଭଟ୍ଟ ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ମନ୍ଦିର ଯାଏଁ ନେଇଯାଇଥିଲେ। କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଚୁଳମଣି ଗୌଡିଆ, ନବୀନ ଚିନ୍ଦା, ଶମ୍ଭୁ ଜଡା ପ୍ରମୁଖ ସହଯୋଗ କରିଥିଲେ। ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ସୁଶାନ୍ତ ଚାନ୍ଦ, ମଧୁସୁଦନ ପାଢୀ, ପ୍ରଶାନ୍ତ ପଣ୍ଡା ପ୍ରମୁଖ ଠାକୁର ମାନଙ୍କୁ ବେଦୀରେ ଆସ୍ଥାନ ଉପରେ ବସାଇଥିଲେ। ଆଜି ପବିତ୍ର ଏକାଦଶୀରେ ଠାକୁର ମାନଙ୍କ ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଭିଡ କଟକଣା ଯୋଗୁଁ ଭକ୍ତ ସମାଗମ ହୋଇନଥିଲା। ସୁନାବଶେ ଦେଖିବା ପାଇଁ ଅଳ୍ପ କିଛି ଭକ୍ତରହିଥିଲେ। ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ (ଡିଏସ୍ପି) ଅଭିଷେକ ପାଣିଗ୍ରାହୀ ଓ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। ଚଳିତ ବର୍ଷ ନର୍ଲା ଅଞ୍ଚଳର ନର୍ଲା ସମେତ ରୁପ୍ରାରୋଡ, ତୁଳାପଡା, ମାଣ୍ଡେଲ, ଲାଖଗୁଡା, ରୁପ୍ରା, ସରିଆଁ, ସେରଗଡ, ବୁଢୀପଦର, ପଲମ୍, ଉଲିକୁପା ଏସବୁ ୧୪ ଗୋଟି ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ କୋଭିଡ କଟକଣା ମଧ୍ୟରେ ବାହୁଡାଯାତ୍ରା ଓ ସୁନାବେଶ ସମ୍ପନ୍ନ ହୋଇଯାଇଛି। ପବିତ୍ର ବାହୁଡାଯାତ୍ରାର ଶୁଭ ଅବସରରେ କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତଚରଣ ଦାସ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତୀ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ନର୍ଲା ସରପଞ୍ଚ ସଂଘ ସଭାପତି ଚିରଞ୍ଜିବୀ ଗୌଡିଆ, ସମ୍ପାଦକ ତଥା ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର, ନର୍ଲା ବ୍ଲକ୍ ବିଜେଡି ସଭାପତି ପରେଶ କୁମାର ପଧାନ, ସର୍ଗିଗୁଡା ପୂର୍ବତନ ସରପଞ୍ଚ ତଥା ବିଜେଡି ଯୁବ ନେତା ହମେଶ କୁମାର ଜୈନ, ରାକ୍ସୀ ସରପଞ୍ଚ ଚନ୍ଦ୍ରମା ଧଙ୍ଗଡାମାଝୀ, ନର୍ଲା ବଣିକ ସଂଘ ସଭାପତି ଅଜୟ କୁମାର ପଣ୍ଡା ପ୍ରମୁଖ ନର୍ଲା ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.